ରାଗିଲେ ମା’ଲକ୍ଷ୍ମୀ ଠାକୁରାଣୀ, ଭାଙ୍ଗିଲେ ନନ୍ଦିଘୋଷ ରଥ । ଶ୍ରୀଜୀଉଙ୍କ ନବଦିନାତ୍ମକ ଗୁଣ୍ଡିଚା ଯାତ୍ରାରେ ଅନୁଷ୍ଠିତ ହେଲା ହେରାପଞ୍ଚମୀ ନୀତି ।

284

କନକ ବ୍ୟୁରୋ : ଋକ୍ମିଣୀ ହରଣ ଏକାଦଶୀରେ ବିବାହ ପରେ ମହାପ୍ରଭୁ ଚତୁର୍ଥୀ (ଚତୁର୍ଦ୍ଦଶୀ ତିଥି) ଦିନ ସ୍ନାନବେଦୀରେ ଅତ୍ୟଧିକ ସ୍ନାନ ଯୋଗୁ ଜ୍ୱରରେ ପଡ଼ି ଅଣସର ଘରେ ଥିଲେ । ଭଲ ହୋଇ ଅଣସର ଘରୁ ବାହାରିଛନ୍ତି କି ନାହିଁ ଭାଇ-ଭଉଣୀଙ୍କୁ ଧରି ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବୁଲିବାକୁ ଚାଲି ଆସିଛନ୍ତି । ସେପଟେ ମା’ଲକ୍ଷ୍ମୀ ଠାକୁରାଣୀଙ୍କ ଅଙ୍ଗବାସରୁ ବିବାହ ଗଇଣ୍ଠାଳ ଫିଟିନି । ନବବିବାହିତା ମା’ଲକ୍ଷ୍ମୀ ଠାକୁରାଣୀ ୫ ଦିନର ବିରହ ବେଦନା ସହ୍ୟ କରି ନ ପାରି ମା’ ବିମଳାଙ୍କ ପରାମର୍ଶ କ୍ରମେ ଆଜି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନ ଯାତ୍ରା କରିଛନ୍ତି । ଏହି ପରମ୍ପରା ଆଧାରରେ ଆଜି ହେରାପଞ୍ଚମୀ ନୀତି ପାଳିତ ହୋଇଛି । ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ ନ ପାଇବାରୁ ଅଭିମାନୀ ମା’ ଲକ୍ଷ୍ମୀ ଠାକୁରାଣୀ ଅପମାନ ଓ ରାଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭାଙ୍ଗିବା ସହ ନିରାଡ଼ମ୍ବର ଶୋଭାଯାତ୍ରାରେ ପୁନର୍ବାର ଶ୍ରୀମନ୍ଦିରକୁ ଫେରି ଆସିଛନ୍ତି ।

ପରମ୍ପରା ଅନୁଯାୟୀ, ଆଜି ବିଳମ୍ବିତ ରାତିରେ ମା’ ଏକ ସ୍ୱତନ୍ତ୍ର ବିମାନରେ ଶ୍ରୀମନ୍ଦିରରୁ ବାହାରିଥିଲେ । ଘଣ୍ଟଘଣ୍ଟା, କାହାଳୀ ଶୋଭାଯାତ୍ରାରେ ବଡ଼ଦାଣ୍ଡ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବା ପରେ ସେଠାରେ ନନ୍ଦିଘୋଷ ରଥ ନିକଟରେ ଦହିପଟି ମଣୋହି ନୀତି ସଂପନ୍ନ ହୋଇଥିଲା । ପରେ ସିଂହଦ୍ୱାର ଦେଇ ମା’ ଲକ୍ଷ୍ମୀ ଜୟବିଜୟ ଦ୍ୱାର ନିକଟରେ ପହଞ୍ଚିଥିଲେ । ଏହି ସମୟରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ଚାଲିଥିବାରୁ ଜୟବିଜୟ ଦ୍ୱାର ନିକଟରେ ମା’ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ଆସିଥିଲେ ମଧ୍ୟ ଧୂପ ଚାଲିଥିବାରୁ ଦୁଇଟି ଯାକ ଦ୍ବାର ବନ୍ଦ କରି ଦିଆଯାଇଥିଲା । ଅପମାନରେ ଜର୍ଜ୍ଜରିତ ମା’ ଲକ୍ଷ୍ମୀ ନାକଚଣା ଦ୍ୱାର ଦେଇ ବାହାରି ଆସିବା ବେଳେ ରାଗ ତମତମ ହୋଇ ମହାପ୍ରଭୁଙ୍କ ରଥ ଭାଙ୍ଗି ଦେଇଥିଲେ । ଯେଉଁ ଘଣ୍ଟଘଣ୍ଟା, କାହାଳୀ ସହ ଶୋଭାଯାତ୍ରାରେ ଯାଇଥିଲେ, ଫେରିବା ସମୟରେ ଆଉ ସେଭଳି ପରିବେଶ ନ ଥିଲା । ରାଗରେ ବଡ଼ଦାଣ୍ଡ ବାଟେ ଶ୍ରୀମନ୍ଦିରକୁ ନଆସି ନିରାଡ଼ମ୍ୱର ପରିବେଶ ଭିତରେ ହେରାଗୋହିରି ସାହି ଦେଇ ଫେରିଥିଲେ । ବିଳମ୍ୱିତ ରାତିରେ ପୁନର୍ବାର ସିଂହଦ୍ୱାର ଦେଇ ମା’ ଶ୍ରୀମନ୍ଦିରକୁ ଫେରି ଯାଇଥିଲେ ।