ଲଗାଣ ବର୍ଷାରେ ଅଶାନ୍ତ ହୋଇ ଉଠିଛି ଗୋଦାବରୀ : ପଛୁଆ ପାଣି ଯୋଗୁଁ ମାଲକାନଗିରିରେ ବଢୁଛି ସାବେରି ଓ ସିଲେରୁ ନଦୀ, ମୋଟୁ ଓ କାଲିମେଳା ବାହ୍ୟ ଜଗତରୁ ବିଚ୍ଛିନ୍ନ; ସେପଟେ ବାଲେଶ୍ୱର ବସ୍ତାରେ ବିପଦ ସଂକେତ ଉପରେ ଜଳକା 

139

କନକ ବ୍ୟୁରୋ : ଲଗାଣ ବର୍ଷା ପ୍ରଭାବରେ ଅଶାନ୍ତ ହୋଇ ଉଠିଛି ଗୋଦାବରୀ । ଆଉ ଗୋଦାବରୀର ପଛୁଆ ପାଣି ଯୋଗୁଁ ମାଲକାନଗିରିରେ ବଢୁଛି ସାବେରି ଓ ସିଲେରୁ ନଦୀର ପାଣି । ଗୋଟିଏ ପଟେ ବର୍ଷା ଜଳ ନିଷ୍କାସିତ ହୋଇ ପାରୁନଥିବା ବେଳେ ଆଉ ଗୋଟିଏ ପଟେ ଗୋଦବରୀର ପଛୁଆ ପାଣି ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଗତ ୧୩ ତାରିଖରୁ ଲଗାଣ ବର୍ଷା ଫଳରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମାଲକାନଗିରି ଜିଲ୍ଲା । ଜିଲ୍ଲାରେ ସର୍ବାଧିକ ୪୬୩ ଦଶମିକ ୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । କାଲିମେଳା ବ୍ଲକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ସେପଟେ ମୋଟୁରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ମୋଟୁ ତହସିଲରର ଅନେକ ଗାଁ ଏବେ ଜଳମଗ୍ନ । ବାହ୍ୟ ଜଗତରୁ ଏକପ୍ରକାର ବିଛିନ୍ନ ହୋଇଯାଇଛି ।

ଓଡିଶାର ଶେଷ ସୀମା ମୁଗି ପଏଂଟ ମଧ୍ୟ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି । ଏଭଳି ସ୍ଥିତିରେ ଜଳବନ୍ଦୀ ହୋଇ ରହିଥିବା ତଳିଅଂଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ମାଲକାନଗିରିର କୋରକୁଣ୍ଡା ବ୍ଲକରେ ସର୍ବାଧିକ ୬୧୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ଚିତ୍ରକୋଣ୍ଡାରେ ୫୪୬, ମାଥିଲି, କାଲିମେଳା, ଖଇରପୁଟ ଓ ପଡିଆ ବ୍ଲକରେ ୪ଶହ ମିଲିମିଟରରୁ ଅଧିକ ବର୍ଷା ହୋଇଛି ।

ବିପଦ ସଂକେତ ଉପରେ ଜଳକା ନଦୀ । ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇଛି । ବାଲେଶ୍ୱର ଜିଲ୍ଲା ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ନଦୀର ମଥାନୀ ଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ନଦୀର ଉପର ମୁଣ୍ଡ ମୟୁରଭଂଜ ଜିଲ୍ଲା ରାସଗୋବିନ୍ଦପୁର, ମୋରଡ଼ା, ଚିତ୍ରଡ଼ା, ସୁଳିଆପଡ଼ା ଅଂଚଳରେ ପ୍ରବଳ ବର୍ଷା କାରଣରୁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ନଦୀ କୂଳିଆ ଅଂଚଳରେ ଥିବା ଚାଷଜମିରେ ପାଣି ପଶିବାର ଆଶଙ୍କା ରହିଛି । ଗତ ଦୁଇ ଦିନ ହେବ ବସ୍ତା ଅଂଚଳରେ ବର୍ଷା ହୋଇ ନଥିଲେ ମଧ୍ୟ ଉପର ମୁଣ୍ଡାରେ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଥିବା ସୁଚନା ଦେଇଛି ଜଳ ସେଚନ ବିଭାଗ ।