କନକ ବ୍ୟୁରୋ: ପଥର ଦେବତାଙ୍କୁ ଲାଗି ହେଉଛି ପଥର ଭୋଗ । ନଡିଆ କି, କଦଳୀ ନୁହେଁ, ଖୋଦ୍ ପଥର ଦେବତାଙ୍କ ପାଖରେ ଭୋଗ ହେଉଛି ପଥର ଖଣ୍ଡ । ବିଶ୍ୱାସରେ ହରି ମିଳିଲା ଭଳି । ନିଜ ଆରାଧ୍ୟ ଦେବତାଙ୍କୁ ପଥର ଭୋଗ ଦେଉଛନ୍ତି ଶ୍ରଦ୍ଧାଳୁ । ଆଉ ଏ ପଥର ଭୋଗକୁ ଗ୍ରହଣ କରି, ଭକ୍ତଙ୍କ ମନୋବାଞ୍ଝା ବି ପୂରଣ କରୁଛନ୍ତି ଜେନା ଦେବତା ।

Advertisment

ଆଦିବାସୀଙ୍କ ଜୀବନଶୈଳୀ ଯେତିକି ନିଆରା, ସେମାନଙ୍କ ପ୍ରଥା ପରମ୍ପରା ବି ସେତିକି ଭିନ୍ନତା ଦେଖିବାକୁ ମିଳେ । ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ମନ୍ଦିରକୁ ଯିବା ପୂର୍ବରୁ ଠିକ୍ ପଡିଥାଏ ଜେନା ଦେବତାଙ୍କ ଏହି ଆରାଧ୍ୟ ପୀଠ । ତେବେ ଜେନା ଦେବତା ଏଠି , ନଡିଆ କି, କଦଳୀ ନୁହେଁ, ବରଂ ଭୋଗରେ ଖାଇଥାନ୍ତି ଏମିତି ପଥର ଖଣ୍ଡ । ଆଉ ଭକ୍ତ ବି ନିଜ ଭଗବାନଙ୍କ ମନ ବୁଝି ଭେଟିଦିଅନ୍ତି ପଥର ଭୋଗ ।

ବିରାଟ ଝିଲ୍ ଗଛ ତଳେ ପୂଜା ପାଉଥିବା ଜେନା ଦେବତୀଙ୍କୁ ପ୍ରଥମେ ଉପାସନା କରିବାର କିମ୍ବଦନ୍ତୀ ରହିଛି । କୁହାଯାଏ, ପଥର ଖଣ୍ଡେ ଦେବତାଙ୍କୁ ସମର୍ପଣ କଲେ, ସମସ୍ତ ଅନିଷ୍ଟ ଦୂର ହୁଏ । ଖାଲି ସେତିକି ନୁହେଁ, ଭକ୍ତ ଟିଏ ନତମସ୍ତକ ହେଇଗଲେ ବି, ଜେନା ଦେବତା ମଙ୍ଗଳ କରିଥାନ୍ତି ବୋଲି ଲୋକ କଥା ରହିଛି ।

ଜେନା ଦେବତାଙ୍କୁ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ପ୍ରତିନିଧି ବୋଲି କୁହାଯାଏ । ବିଶ୍ୱାସ ରହିଛି, ବିରାଟ ପଥରରେ ଜେନା ଦେବତା ପ୍ରତ୍ୟକ୍ଷ ଭାବେ ରହିଥିବାରୁ, ପଥର ଭୋଗକଲେ ଭକ୍ତଙ୍କ ମନୋକାମନା ପୂର୍ଣ୍ଣ ହୁଏ । ଆଉ ଏ ପରମ୍ପରା ଆଜି ନୁହେଁ, ଦୀର୍ଘ ବର୍ଷ ହେଲା ଏମିତି ଚାଲିଆସୁଛି । କୁହାଯାଏ ବିଶ୍ୱାସରେ ଦୁନିଆ ଚାଲିଛି । ଆଉ ବିଶ୍ୱାସରେ ମଣିଷ ବଞ୍ଚିରହିଛି । ତେବେ ରାୟଗଡାରେ ଭକ୍ତ ଆଉ ଭଗବାନଙ୍କ ଭିତରେ ରହିଥିବା ଏ ଅଗାଢ ବିଶ୍ୱାସ.. ନିଶ୍ଚୟ ଅନନ୍ୟ ଆଉ ବିରଳ ମଧ୍ୟ ।