କନକ ବ୍ୟୁରୋ : ଏଣିକି ଅନଲାଇନ ଟିକେଟ କରି ହେବ ଦିଅଁ ଦର୍ଶନ । ତାମିଲନାଡୁ ଓ କର୍ଣ୍ଣାଟକ ଢାଞ୍ଚାକୁ ଆପଣାଇବ ଓଡ଼ିଶା । ଏଥିପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲ କରାଯାଉଛି । ଯେଉଁଥିରେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀର ବିକଳ୍ପ ରହିବ । ଦର୍ଶନ, ପୂଜା ଓ ପ୍ରସାଦ ସେବନ ପାଇଁ ଦୂରଦୂରାନ୍ତ ଭକ୍ତ ଅନଲାଇନ ଟିକେଟ କାଟି ପାରିବେ । ଆଗୁଆ ଟିକେଟ କରିଥିବାରୁ ଆଉ ଧାଡିରେ ଠିଆ ହେବାକୁ ପଡିବନି ।

Advertisment

publive-image

ଆଇନ ବିଭାଗ, ଦେବୋତର କମିଶନଙ୍କୁ ଚିଠି ଲେଖିବା ପରେ ସରକାରଙ୍କ ଏହି ଯୋଜନା ସାମ୍ନାକୁ ଆସିଛି । ଆଇନ ବିଭାଗ, ସଂସ୍କୃତି ବିଭାଗ, ଦେବୋତର କମିଶନ, ଏଏସଆଇ ପକ୍ଷରୁ ବୈଠକ ପରେ ଅନଲାଇନ ଟିକେଟ ଦର୍ଶନ ନେଇ ଏକ ନକ୍ସା ପ୍ରସ୍ତୁତ କରାଯାଇଛି । ଏବଂ କେଉଁ ମନ୍ଦିରରେ ଏହି ନିୟମ ଲାଗୁ କରାଯିବ ସେନେଇ ଖୁବଶୀଘ୍ର ଏକ ତାଲିକା ପ୍ରସ୍ତୁତ କରିବ ଦେବୋତର କମିଶନ । ପ୍ରଥମ ପର୍ଯ୍ୟାୟରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ଘଟଗାଁ ତାରିଣୀ, ଆରଡିର ଆଖଣ୍ଡଳମଣି ମନ୍ଦିରକୁ ସାମିଲ କରାଯାଇପାରେ ।

ଦେଶବିଦେଶର ଭକ୍ତମାନେ ଏହିସବୁ ମନ୍ଦିରରେ ଦର୍ଶନ ପାଇଁ ସ୍ୱତନ୍ତ୍ର ପୋର୍ଟାଲ ଜରିଆରେ ଟିକେଟ୍ କରିପାରିବେ । ରାଜ୍ୟରେ ବର୍ଷକୁ ୨୦ଲକ୍ଷରୁ ଅଧିକ ରାଜସ୍ୱ ସଂଗ୍ରହ କରୁଥିବା ମନ୍ଦିର ଗୁଡିକୁ ଏଥିରେ ସାମିଲ କରାଯିବ । ରାଜ୍ୟରେ ୧୫୦ଟି ମନ୍ଦିରକୁ ପର୍ଯ୍ୟାୟକ୍ରମେ ଏହି ପୋର୍ଟାଲରେ ସ୍ଥାନିତ କରାଯିବ । ତେବେ ଅନଲାଇନରେ ଯେଉଁମାନେ ଟିକେଟ ନକରିବେ, ସେମାନେ ପୂର୍ବଭଳି ଧାଡିରେ ଯାଇ ଦର୍ଶନ କରିପାରିବେ । ପୂଜା ଓ ପ୍ରସାଦ ସେବନ ନିଜ ଇଛାରେ କରିପାରିବେ ।