କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ବୁଲା କୁକୁରଙ୍କ ପ୍ରତି ଲୋକଙ୍କ ଧାରଣା ବଦଳୁଛି, ଘୃଣା ଭାବ ବଢ଼ୁଛି । ବୁଲା କୁକୁରଙ୍କୁ ଦେଖିଲେ, ଲୋକେ ଆଉ ପାଖ ପୂରାଇ ଦେଉନାହାନ୍ତି । ରାସ୍ତାରେ ଯିବାବେଳେ, କାଳେ ଗୋଡେଇ ଆସିବ, ଲୋକଙ୍କ ଭିତରେ ଭୟ ସୃଷ୍ଟି ହେଉଛି । ପରିସ୍ଥିତି ଏମିତି ହୋଇଛି ବୁଲା କୁକୁରଙ୍କୁ ଦେଖିଲେ ଲୋକେ ଡରୁଛନ୍ତି ।
କେବଳ ବୁଲା କୁକୁରଙ୍କ ପ୍ରତି ଲୋକଙ୍କ ମାନସିକତା ବଦଳୁନି, ଯେଉଁମାନେ ବୁଲା କୁକୁରଙ୍କୁ ଖାଇବାକୁ ଦେଉଛନ୍ତି, ସେମାନେ ଏବେ ବିରୋଧର ସମ୍ମୁଖୀନ ହେଉଛନ୍ତି । ଭୁବନେଶ୍ୱରର ଏହି ମହିଳା ଜଣଙ୍କ ଦୀର୍ଘ ବର୍ଷ ହେବ ବୁଲା କୁକୁରଙ୍କୁ ଖାଇବାକୁ ଦେଇଥାନ୍ତି । ନିଜ ସ୍କୁଟିରେ ବୁଲି ବୁଲି ରାଜଧାନୀର ଗଳି କନ୍ଦିରେ ଖାଇବାକୁ ପାଉନଥିବା କୁକୁରମାନଙ୍କୁ ଖାଇବାକୁ ଦେଇଥାନ୍ତି । ପୂର୍ବରୁ ଏଥିପାଇଁ ତାଙ୍କୁ ପ୍ରଶଂସା କରାଯାଉଥିଲା । କିନ୍ତୁ ଏବେ ତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡୁଛି । ବୁଲା କୁକୁରଙ୍କୁ କାହିଁକି ଖାଇବାକୁ ଦେଉଛନ୍ତି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି ।
ପଶୁ ବିଶେଷଜ୍ଞଙ୍କ କହିବା ଅନୁସାରେ ବୁଲା କୁକୁର ହିଂସ୍ର ହେବା ପଛରେ ଅନେକ କାରଣ ରହିଛି । ସେଥି ମଧ୍ୟରୁ ସହର ଭିତରେ ଅଳିଆ ଗାଡି ଓଦା ଶୁଖିଲା ଅଳିଆ ନେଇଯାଉଥିବାରୁ ବର୍ତମାନ ଖାଦ୍ୟ ଅଭାବ ସୃଷ୍ଟି ହୋଇଛି । ଏଥିସହ ଜଳାଶୟ ପୋତି ଦିଆଯିବାରୁ ପିଇବାକୁ ପାଣି ନପାଇ ବୁଲା କୁକୁରଙ୍କ ପ୍ରବୃତି ବଦଳୁଛି । ଧିରେ ଧିରେ ସେମାନେ ହିଂସ୍ର ହେଉଛନ୍ତି ।
ରାଜଧାନୀରେ ବୁଲା କୁକୁର ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ବିଏମସି ପକ୍ଷରୁ କୁକୁର ବନ୍ଧ୍ୟାକରଣ କରାଯାଉଛି । ଏଥିପାଇଁ ମହାରାଷ୍ଟ୍ରର ଭେଟ ଫର ଆନିମଲ୍ସ ନାମକ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । କୁକୁର ପିଛା ୧୬୫୦ ଟଙ୍କା ଧାର୍ଯ୍ୟ କରାଯାଇଛି । ନଭେମ୍ବର ୨୦୨୨ରୁ ଏପ୍ରିଲ ୨୦୨୩ ଭିତରେ ୬ହଜାର କୁକୁରଙ୍କ ବନ୍ଧ୍ୟାକରଣ ଟାର୍ଗେଟ ଥିବାବେଳେ ମାତ୍ର ୨୫୧୦ଟି କୁକୁରଙ୍କ ବନ୍ଧ୍ୟାକରଣ ହୋଇଛି । ମାସକୁ ୧୫ଶହ କୁକୁରଙ୍କ ବନ୍ଧ୍ୟାକରଣ ପାଇଁ ଟାର୍ଗେଟ ରଖାଯାଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛବି ମାସକୁ ମାତ୍ର ୩ଶହରୁ ୪ଶହ କୁକୁରଙ୍କ ବନ୍ଧ୍ୟାକରଣ ହେଉଛି । ଯାହା ଟାର୍ଗେଟଠାରୁ ୮୦ ପ୍ରତିଶତ ପଛରେ । ଅନ୍ୟପଟେ ବୁଲା କୁକୁରଙ୍କୁ ରଖିବା ପାଇଁ ଯେତିକି କେନଲ ଆବଶ୍ୟକ ସେତିକି ନଥିବାରୁ ସହରର ରାସ୍ତାରେ ବୁଲୁଛନ୍ତି ବୁଲା କୁକୁର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/13-8.jpg)