ସାମ୍ନାକୁ ଆସିଲା ଗୋବିନ୍ଦର ଆଉ ଏକ କୁକର୍ମ । ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ କରିଥିଲା ହତ୍ୟା !

294

କନକ ବ୍ୟୁରୋ : ମମିତାଙ୍କ ହତ୍ୟାକାରୀ ଗୋବିନ୍ଦ ସାହୁ ନାଁରେ ଅଭିଯୋଗ ତାଲିକା ଲମ୍ବିବାରେ ଲାଗିଛି । ରାଜନୈତିକ ଶତ୍ରୁତାରୁ ଜଣେ ଶିକ୍ଷକଙ୍କ ଆଠ ବର୍ଷ କୁନି ଝିଅକୁ ହତ୍ୟା କରିଥିଲା ଗୋବିନ୍ଦ । ୨୦ ବର୍ଷ ତଳେ ଏହି ଘଟଣା ଘଟିଥିଲା ।

କୁନିଝିଅ ରାଜେଶ୍ୱରୀ ନାୟକ । ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲା । କୁନି କୁନି ଆଖିରେ ଭବିଷ୍ୟତର କେତେ କ’ଣ ସ୍ୱପ୍ନ ଆଙ୍କିଥିଲା । ହେଲେ ସେ ଜାଣିନଥିଲା, ପାରିବାରିକ ରାଜନୈତିକ ଲଢ଼େଇ ଭିତରେ ସେ ହିଁ ବଳି ପଡିଯିବ । ଜୀବନକୁ ଭଲ ଭାବେ ଜାଣିବା ପୂର୍ବରୁ ତାକୁ ଚିରନିଦ୍ରାରେ ଶୁଆଇ ଦେଇଥିଲା ଗୋବିନ୍ଦ ସାହୁ ଓ ତାର ଗୁଣ୍ଡାବାହିନୀ । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ରାଜେଶ୍ୱରୀଙ୍କ ବାପା ମହାଲିଙ୍ଗ ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ମୋତିଲାଲ ନାୟକ ।

୨୦୦୦ ମସିହା, ଅଗଷ୍ଟ ୮ ତାରିଖ । ସ୍ଥାନ: ମହାଲିଙ୍ଗ, କଳାହାଣ୍ଡି । ସ୍କୁଲରୁ ଫେରୁଥିଲା ରାଜେଶ୍ୱରୀ । ରାସ୍ତାରେ ଯାଉଥିବା ବେଳେ ରାଜେଶ୍ୱରୀ ଉପରେ ଟ୍ରାକ୍ଟର ଚଢ଼ି ଯାଇଥିଲା । ପ୍ରାୟ ୨୧ ବର୍ଷ ତଳର ଏହି ସାଂଘାତିକ ଘଟଣାର ପୂରା କାହାଣୀ ଜାଣିଲେ ଯେକୌଣସି ଲୋକର ଲୋମ ଟାଙ୍କୁରି ଉଠିବ । ଆଉ ମମିତା ମେହେରା ହତ୍ୟାକାଣ୍ଡର ଅଭିଯୁକ୍ତ ଗୋବିନ୍ଦ ସାହୁର କୁକର୍ମର କଳାଚିଠା ସାମ୍ନାକୁ ଆସିଯିବ ।

ପଂଚାୟତ ନିର୍ବାଚନରେ ଗୋବିନ୍ଦ ସାହୁଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ହରାଇ ସମିତି ସଭ୍ୟ ଭାବେ ବିଜୟୀ ହୋଇଥିଲେ ମୋତିଲାଲଙ୍କ ଭାଇ । ଏହି ପରାଜୟରେ ଉତକ୍ଷିପ୍ତ ହୋଇ ପଂଚାୟତ ସମିତି ଷ୍ଟ୍ରଙ୍ଗରୁମରେ ଥିବା ଭୋଟ୍ ବାକ୍ସକୁ ପେଟ୍ରୋଲ ଢାଳି ପୋଡି ଦେଇଥିଲା ଗୋବିନ୍ଦ । ଦ୍ୱିତୀୟ ଥର ତା’ ସମର୍ଥିତ ପ୍ରାର୍ଥୀ ପୁଣି ହାରିଯିବାରୁ ଗୋବିନ୍ଦର ରାଗ ପଂଚମକୁ ଉଠି ଯାଇଥିଲା । ମୋତିଲାଲଙ୍କ କୁନିଝିଅ ଉପରେ ରାଗ ସୁଝାଇଥିଲା ଏହି ନରରାକ୍ଷସ । ଟାକ୍ଟର ଚଢ଼ାଇ ଅତି ନିର୍ମମ ଭାବେ ରାଜେଶ୍ୱରୀକୁ ମାରି ଦେଇଥିଲା ।

ଛୋଟ ଛୋଟ ଠିକାଦାରୀରୁ କାମ ଆରମ୍ଭ କରିଥିଲେ ବି ଗୁଣ୍ଡାବାହିନୀ ଗଢ଼ି ସ୍ଥାନୀୟ ଅଂଚଳରେ ଆତଙ୍କରାଜ ଚଳାଇଥିଲା ଗୋବିନ୍ଦ । ପୁଲିସ ଓ ପ୍ରଶାସନକୁ ବି ନିଜ ଅକ୍ତିଆରରେ ରଖି ଗଢ଼ିଥିଲା ପାପାର ବିଶାଳ ସାମ୍ରାଜ୍ୟ । ରାଜେଶ୍ୱରୀଙ୍କ ମୃତ୍ୟୁକୁ ନେଇ କେଗାଁ ଥାନାରେ ଏତଲା ଦିଆଯାଇଥିଲା । ଶହ ଶହ ଲୋକ ଥାନା ଘେରାଉ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ହେଲେ ସମସ୍ତଙ୍କୁ ପ୍ରଭାବିତ କରି ଘଟଣାକୁ ବାଏଁ ବାଏଁ ଉଡାଇ ଦେଇଥିଲା ଗୋବିନ୍ଦ । ଦୁଇ ଦଶନ୍ଧୀରୁ ଅଧିକ ଦିନ ଧରି ଲମ୍ବିଛି ଗୋବିନ୍ଦର ପାପକର୍ମର କଳାଚିଠା । ମମିତାଙ୍କ ହତ୍ୟାକାଣ୍ଡ ସାମନାକୁ ଆସିବା ପରେ ଧୀରେ ଧୀରେ ଖୋଲିବାରେ ଲାଗିଛି ତାର କଳାକାହାଣୀ ।