ପୋଲିସ ଷ୍ଟେସନରୁ ଫେରାର ହେବା ପରେ କେମିତି ମେଡିକାଲରେ କୋଭିଡ୍ ଟେଷ୍ଟ କଲା ଗୋବିନ୍ଦ ସାହୁ ? ହତ୍ୟାକାରୀକୁ ଫେରାର କରିବାକୁ ହୋଇଥିଲା କି ଚକ୍ରାନ୍ତ ?

182

କନକ ବ୍ୟୁରୋ : ମମିତା ମେହେର ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ନେଇ ବଡ ଖୁଲାସା ହୋଇଛି । ୧୭ତାରିଖରେ ଟିଟିଲାଗଡ ଥାନାରୁ ଫେରାର ହୋଇଥିଲେ ଅଭିଯୁକ୍ତ ଗୋବିନ୍ଦ ସାହୁ । କିନ୍ତୁ ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ୧୮ତାରିଖ ଦିନ ଗୋବିନ୍ଦଙ୍କ କୋଭିଡ ଟେଷ୍ଟ ହୋଇଥିବା ନେଇ ଡାକ୍ତରଖାନା ରେଜିଷ୍ଟରରେ ଉଲ୍ଲେଖ ରହିଛି । ୧୭ତାରିଖରୁ ଫେରାର ଥିବା ଗୋବିନ୍ଦ ୧୯ତାରିଖରେ ଗିରଫ ହୋଇଥିଲେ । ତେବେ କେମିତି ୧୮ତାରିଖ ଦିନ ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ଗୋବିନ୍ଦଙ୍କ କୋଭିଡ ପରୀକ୍ଷା କରାଯାଇଥିଲା, ତାକୁ ନେଇ ପ୍ରଶ୍ନ ଉଠିଛି ।

ମମିତା ହତ୍ୟା ମାମଲାରେ ପୋଲିସ ଗୋବିନ୍ଦକୁ ଟିଟିଲାଗଡ ଥାନାରେ ଅଟକ ରଖିଥିଲା । ଏହି ସମୟରେ ୧୭ ତାରିଖ ରାତିରେ ପୁଲିସ ହେପାଜତରୁ ଖସି ଯାଇଥିଲେ ଗୋବିନ୍ଦ । ଏହାପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ପୂରା ଘଟଣା ଏହି ସମୟରେ ହିଁ ପଦାକୁ ଆସିବା ଆରମ୍ଭ କଲା ।

ଚର୍ଚ୍ଚା ହେଲା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଚାପରେ ତାଙ୍କୁ ଖସାଇ ଦେଇଛି ପୋଲିସ । ଚାପ ବଢିବା ପରେ ବଲାଙ୍ଗୀର ପୋଲିସ କେତେକ ଟିମ ଗଠନ କରି ଚାରିଆଡେ ଛାନଭିନ ଆରମ୍ଭ କରିଦେଲା । ଏବଂ ଶେଷରେ ଏକ ନାଟକୀୟ ଘଟଣାରେ ୧୯ତାରିଖ ଦିନ ବଙ୍ଗମୁଣ୍ଡା ଥାନା ଅନ୍ତର୍ଗତ ବୁଢିପଦର ଗାଁରୁ ସାନଭଉଣୀ ଘର ଆଖୁକିଆରିରୁ ଗୋବିନ୍ଦଙ୍କୁ ଗିରଫ କରାଯାଇଥିଲା ।

ତେବେ ଫେରାର ଥିବା ବେଳେ ଟିଟିଲାଗଡ ଡାକ୍ତରଖାନାରେ ଗୋବିନ୍ଦଙ୍କ କୋଭିଡ ଟେଷ୍ଟ କେମିତି ହେଲା ତାକୁ ନେଇ ପ୍ରଶ୍ନ ଉଠିଛି । ବଲାଙ୍ଗୀର ପୋଲିସ ଏ ସମ୍ପର୍କରେ କୌଣସି ଉତ୍ତର ଦେଇନାହିଁ । ଯଦି ଜଣେ ଅଭିଯୁକ୍ତ ଫେରାର ଅଛି, ସେ କେମିତି ଫେରାର ହୋଇଥିବା ସେହି ସ୍ଥାନର ଏକ ସରକାରୀ ଡାକ୍ତରଖାନାକୁ ଯାଇ କୋଭିଡ ଟେଷ୍ଟ କରାଇଲେ, ତାହା ରହସ୍ୟ ହୋଇ ରହିଛି ।