କନକ ବ୍ୟୁରୋ : ଭାରତବର୍ଷର କୃଷକଙ୍କ ଅତିରିକ୍ତ ଆୟକୁ ବଢାଇବା ଓ ଦେଶର କୋଣ ଅନୁକୋଣରେ ସ୍ୱଚ୍ଛତାର କ୍ରାନ୍ତି ଆଣିବା ଦିଗରେ ବୁଧବାର ଗୋବର୍ଦ୍ଧନ ଯୋଜନାର ଏକୀକୃତ ପୋର୍ଟାଲର ଶୁଭାରମ୍ଭ କରାଯାଇଛି । ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ ରତନ ଲାଲ୍ କଟ୍ଟରିଆଙ୍କ ଉପସ୍ଥିତିରେ ଗୋବର୍ଦ୍ଧନ ପୋର୍ଟାଲର ଶୁଭାରମ୍ଭ ହୋଇଥିଲା ।
ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୱେଷ୍ଟ ଟୁ ୱେଲଥ୍ ମନ୍ତ୍ରକୁ ଫଳପ୍ରଦ କରିବା ଏବଂ ଅନ୍ନଦାତାଙ୍କୁ ଉର୍ଜାଦାତା କରିବା ପାଇଁ ଭାରତ ସରକାର ଦେଶର କୃଷକ ଏବଂ ସ୍ୱଚ୍ଛ ଉର୍ଜା ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଏହି ଗୋବର୍ଦ୍ଧନ ପୋର୍ଟାଲ ମାଧ୍ୟମରେ ଏହାକୁ ସଠିକ୍ ସମୟରେ ନଜର ରଖାଯାଇପାରିବ ।
ବର୍ଜ୍ୟବସ୍ତୁରୁ ଧନ ସମ୍ପତି ଏବଂ ସ୍ୱଚ୍ଛ ଇନ୍ଧନ ପାଇବା ଅଭିଯାନରେ ଗୋବର୍ଦ୍ଧନ ଯୋଜନା କେବଳ ଉର୍ଜା କ୍ଷେତ୍ରକୁ ଆତ୍ମନିର୍ଭର କରିବ ନାହିଁ ବରଂ ଦେଶର ଉର୍ଜା ଆମଦାନୀକୁ ମଧ୍ୟ ହ୍ରାସ କରିବ । ଆଗାମୀ କିଛି ବର୍ଷରେ ଗୋବର୍ଦ୍ଧନ ଯୋଜନା ଏବଂ ସାମନ୍ତରାଳ ପ୍ରକଳ୍ପ ମାଧ୍ୟମରେ ଦେଶରେ ସିବିଜି, ଇଥାନଲ ଏବଂ ଜୈବଇନ୍ଧନ ଭଳି ସ୍ୱଚ୍ଛ ଇନ୍ଧନର ଉତ୍ପାଦନ ଦେଶରେ ଉର୍ଜା କ୍ଷେତ୍ରର ଆତ୍ମନିର୍ଭରତା ବଢ଼ାଇବା ସହ ଏହାଦ୍ୱାରା ଦେଶର କୃଷକମାନେ ଅତିରିକ୍ତ ପ୍ରାୟ ୧ ଲକ୍ଷ କୋଟି ପାଇପାରିବେ ।
ବର୍ଜ୍ୟବସ୍ତୁରୁ ଇନ୍ଧନ ତିଆରି କରିବା ଦିଗରେ ମଧ୍ୟପ୍ରଦେଶର ଇନ୍ଦୋର ଆଜି ଦେଶ ପାଇଁ ଉଦାହରଣ ତିଆରି କରିଛି । ଏହି ସଫଳତାକୁ ଦେଶର କୋଣ ଅନୁକୋଣ ପର୍ଯ୍ୟନ୍ତ ପହଁଚାଇବା ସରକାରଙ୍କ ଲକ୍ଷ୍ୟ ରଖିଥିବା ବେଳେ ଏହା ଦ୍ୱାରା ଆମର ଗ୍ରାମୀଣ ଅର୍ଥବ୍ୟବସ୍ଥାରେ ଅଭୁତପୂର୍ବ ଉନ୍ନତି ପରିଲକ୍ଷିତ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।