ଛେଳି ଚାଷରୁ ମିଳୁଛି ଭଲ ରୋଜଗାର । କମ୍ ଖର୍ଚ୍ଚ ଓ କମ୍ ପରିଶ୍ରମରେ ଲାଭବାନ ହେଉଛନ୍ତି ନିଆଳିର ଚାଷୀ ସୁଶାନ୍ତ ସାହୁ

1,228

କନକ ବ୍ୟୁରୋ : ଲକ୍ଷପତି କରିଛି ଛେଳି ଚାଷ । କମ୍ ଖର୍ଚ୍ଚରେ ମିଳୁଛି ଭଲ ରୋଜଗାର । ନିଆଳି କୃଷ୍ଣପ୍ରସାଦ ପଂଚାୟତ ନୂଆବେତଣ୍ଡା ଗାଁର ଯୁବ ଚାଷୀ ସୁଶାନ୍ତ ସାହୁ ଏହି ଚାଷକୁ ଆପଣାଇ ବେଶ ଲାଭବାନ ହୋଇଛନ୍ତି । ପୂର୍ବରୁ ଧାନ ଓ ପାନ ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ ସୁଶାନ୍ତ । ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯୟ ଯୋଗୁଁ ଅନେକ ସମୟରେ କ୍ଷତି ସହୁଥିଲେ । ତେଣୁ ଅନ୍ୟ କିଛି ଚାଷ କରି ରୋଜଗାର କରିବାକୁ ଲକ୍ଷ୍ୟ ରଖି ଆରମ୍ଭ କରିଥିଲେ ଛେଳି ଚାଷ । ପ୍ରଥମେ ମାତ୍ର ୪ଟି ବୋଇତାଳି ଛେଳିକୁ ନେଇ ଆରମ୍ଭ ହୋଇଥିବା ଏହି ଫାର୍ମରେ ଏବେ ୭୦ରୁ ୮୦ଟି ଛେଳି ଅଛନ୍ତି । ଗୋଟିଏ ଗୋଟିଏ ଛେଳିକୁ ୧୦ରୁ ୧୨ ହଜାର ଟଙ୍କାରେ ସେ ବିକ୍ରି କରୁଛନ୍ତି । ବର୍ଷକୁ ପାଖାପାଖି ଏକ ଲକ୍ଷ ଟଙ୍କା ରୋଜଗାର ହେଉଥିବା କହିଛନ୍ତି ସୁଶାନ୍ତ ।

ପ୍ରତି ୭ରୁ ୮ ମାସରେ ଥରେ ଛେଳି ମାନେ ଛୁଆ ଜନ୍ମ କରନ୍ତି । ଥରକେ ୨ରୁ ୩ଟି ଛୁଆ ଜନ୍ମ ହେଉଥିବା ବେଳେ ଖୁବ୍ ଶିଘ୍ର ଏମାନଙ୍କ ବଂଶ ବୃଦ୍ଧି ହୋଇଥାଏ । ଆଉ କମ୍ ଖର୍ଚ୍ଚରେ ଭଲ ରୋଜଗାର ଦେଉଥିବାରୁ ଏହି ଚାଷ ପ୍ରତି ଏବେ ଯୁବପିଢ଼ି ମାନେ ଆକୃଷ୍ଟ ହେଉଛନ୍ତି । ସରକାରୀ ସହାୟତା ବିନା ସୁଶାନ୍ତ ଏହି ଚାଷକୁ ଆପଣାଇ ତାଙ୍କ ପରିବାର ପ୍ରତିପୋଷଣ କରୁଛନ୍ତି । ତାଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିପାରୁଛନ୍ତି ।

ଛେଳି ଚରାଇବାକୁ ନେବା ସହ ସେମାନଙ୍କର ଉପଯୁକ୍ତ ଯତ୍ନ ନିଅନ୍ତି ସୁଶାନ୍ତ । କିଛି ଆର୍ଥିକ ସହାୟତା ମିଳିଲେ ଉନ୍ନତ ମାନର ଗୁହାଳ ନିର୍ମାଣ କରି ତାଙ୍କର ବ୍ୟବସାୟରେ ଉନ୍ନତି ଆଣିପାରନ୍ତେ ବୋଲି କହିଛନ୍ତି ଯୁବଚାଷୀ ।