କନକ ବ୍ୟୁରୋ : ଗଂଜାମ ଜିଲ୍ଲାର ଧରାକୋଟ ବ୍ଲକ ସାଆବା ପଂଚାୟତର ଉପାନ୍ତ ଗାଁ ବରପଲ୍ଲି । ଗାଁରେ ମାତ୍ର ୩୦ଟି ପରିବାର ବସବାସ କରନ୍ତି । ୧୨ ଜଣ ମହିଳା ଏକାଠି ହୋଇ ଗଠନ କରିଛନ୍ତି ମା ଗ୍ରାମ ଦେବତୀ ସ୍ୱଂୟମ ସହାୟକ ଗୋଷ୍ଠି । ପ୍ରଥମେ ସେମାନେ ଗ୍ରୁପ୍ ଗଠନ କରି କିଛି କିଛି ଅର୍ଥ ସଂଚୟ କରୁଥିଲେ । ଏହା ପରେ ବ୍ୟାଙ୍କରୁ କିଛି ଟଙ୍କା ରୁଣ କରି ଆରମ୍ଭ କରିଛନ୍ତି ଛେଳି ଚାଷ । ନିଜ ଖର୍ଚ୍ଚରେ ଗୋଟିଏ ଗୁହାଳ କରି ବିଭିନ୍ନ କିସମର ଛେଳି ପାଳନ କରୁଛନ୍ତି । ଆଉ ଏହି ଛେଳି ଚାଷ ସେମାନଙ୍କୁ ରୋଜଗାରର ନୁଆ ରାହା ଦେଇଥିବା କହିଛନ୍ତି ଦଳର ମହିଳା ।

Advertisment

ପ୍ରାଣୀ ସମ୍ପଦ ବିଭାଗ ଧରାକୋଟ ସହାୟତାରେ ଏହି ଛେଳି ଚାଷ ଆରମ୍ଭ କରିଛନ୍ତି ମହିଳା । ଆଗକୁ ଅଧିକ ଛେଳି ପାଳନ କରିବା ପାଇଁ ମହିଳା ମାନେ ଲକ୍ଷ୍ୟ ରଖିଛନ୍ତି । ୨ ଲକ୍ଷ ୩୦ ହଜାରରୁ ଆରମ୍ଭ କରିଥିବା ଏହି ଛେଳି ଚାଷ ଏବେ ଦ୍ୱିଗୁଣିତ ହେଲାଣି। ଆଗକୁ ଅଧିକ ପ୍ରୋଛାହନ ମିଳିଲେ ଆହୁରି ଅଧିକ ଛେଳି ଚାଷ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି । ପ୍ରତିଦିନ ନିଜ ଘର କାମ ସାରିବା ପରେ ଦିନକୁ ଦୁଇ ଜଣ ମହିଳା ପାଳି କରି ପାହାଡର ପାଦ ଦେଶରେ ଛେଳି ଚରାଇଥାନ୍ତି । ଏହି କାମରେ ମହିଳାଙ୍କ ସମସ୍ୟା ହେଲା ଛେଳି ପାଳନ କରାଯାଉଥିବା ଗୁହାଳ ଓ ଛେଳି ଦାନା । ୩୦ଟି ଛେଳି ରଖିବା ପାଇ ନିର୍ମାଣ ହେଉଥିବା ଗୁହାଳ ଛେଟ ହେଉଥିବାରୁ ଅନେକ ସମସ୍ୟା ସୃଷ୍ଟି ହେଉଛି। ଏପଟେ ଏବେ ବର୍ଷା ଦିନରେ ପାହାଡକୁ ନେଇ ଛେଳି ଚରାଇବା ସମ୍ଭବ ହେଉନାହିଁ ।

ଗାଁ ମହିଳାଙ୍କ ଏଭଳି ଉଦ୍ୟମ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।