କରୋନା ବଦଳାଇ ଦେଲା ରୋଜଗାରର ମାଧ୍ୟମ । ଏବେ ଛେଳି କୁକୁଡା ଚାଷ କରି ମାସକୁ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା

176

କନକ ବ୍ୟୁରୋ : କୋରୋନାର ଲକ ଡାଉନ ବଦଳାଇ ଦେଲା ରୋଜଗାରର ମାଧ୍ୟମ । ନିଜେ ଦାଦନ ଶ୍ରମିକ ହୋଇ ଦୈନିକ ପାରିଶ୍ରମିକ ରେ କାମ କରୁଥିବା ଯୁବକ ଏବେ ମାଲିକ ହୋଇଛନ୍ତି । ମାସିକ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା ।

ଛେଳିମାନଙ୍କୁ ଓ କୁକୁଡା ପାଳନ କରୁଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବାଛୋଳ ଗାଁର ପ୍ରକାଶ ସାମଲ । ଦୁଇବର୍ଷ ପୂର୍ବରୁ ପ୍ରକାଶ ଥିଲେ ପ୍ରବାସୀ ଶ୍ରମିକ । ଦୀର୍ଘ ୨୨ ବର୍ଷ ଧରି ଦୈନିକ ମଜୁରୀରେ ପ୍ରବାସରେ କାମ କରିବା ଭିତରେ କରୋନା କାଳରେ ସେ ଗାଁକୁ ଫେରି ଆରମ୍ଭ କରିଥିଲେ ଛେଳି ଓ କୁକୁଡ଼ା ପାଳନ । ୫ଟି ଛେଳିରୁ ନିଜ ଭାଗ୍ୟ ପରୀକ୍ଷା କରିଥିବା ପ୍ରକାଶ ଏବେ ବେଶ ସଫଳ ହୋଇଛନ୍ତି । ଛୋଟ ବଡ଼ ହୋଇ ତାଙ୍କର ଗୁହାଳରେ ଏବେ ଅଛନ୍ତି ୧୦୦ରୁ ଉର୍ଦ୍ଧ ଛେଳି । ଛେଳିଙ୍କୁ ଖାଇବାକୁ ଦେବା ପାଇଁ ଖାଦ୍ୟ କୁଣ୍ଡର ବ୍ୟବସ୍ଥା ହୋଇଛି । ଏହା ସହ ଛେଳି ଚରାଇବା ପାଇଁ ଖୋଲା ପଡ଼ିଆକୁ ନେଇଥଆନ୍ତି କର୍ମଚାରୀ ।

ବଜାର ଚାହିଦା ରହିଥିବାରୁ ବିକ୍ରିର ସମସ୍ୟା ନାହିଁ । ପ୍ରକାଶ କୁହନ୍ତି ଦୁଇବର୍ଷ ଛେଳି ମାନଙ୍କ ଯତ୍ନ ଓ ଦାୟିତ୍ୱ ନେବା ପରେ ଏବେ ମାସକୁ ୫୦ରୁ ୬୦ ହଜାର ଟଙ୍କା ରୋଜଗାର ହେଉଛି । ପ୍ରକାଶଙ୍କ ଫାର୍ମରେ ୫ଟି ପ୍ରଜାତିର ଛେଳି ଅଛନ୍ତି । ଛେଳି ଓ କୁକୁଡ଼ା ପାଇଁ ତିଆରି ହୋଇଛି ପୃଥକ ଘର । କୁକୁଡ଼ା ମାନଙ୍କ ଯତ୍ନ ନେବା ପାଇଁ ୪ରୁ ୫ଜଣଙ୍କୁ ନିଯୁକ୍ତି ଦେଇଛନ୍ତି ପ୍ରକାଶ । କେବଳ କୁକୁଡା ଚାଷରୁ ମାସକୁ ୧୦ରୁ ୧୫ ହଜାର ଟଙ୍କା ରୋଜଗାର ହେଉଛି ।

ପ୍ରକାଶଙ୍କର ଏଭଳି ଉଦ୍ୟମ ଅନ୍ୟ ପ୍ରବାସୀ ଶ୍ରମିକଙ୍କ ପାଇଁ ପ୍ରେରଣା ଦେବ ନିଶ୍ଚୟ ।