ଗଳାଚିପି ଶିଶୁଙ୍କ ହତ୍ୟା ପରେ ବାପାର ଆତ୍ମହତ୍ୟା, ଗୋଆରେ ଘଟଣାକୁ ନେଇ ଚାଞ୍ଚଲ୍ୟ

117

କନକ ବ୍ୟୁରୋ : ଗୋଆରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ଘରୁ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହାର କିଛି ସମୟ ପରେ ସମ୍ପୃକ୍ତ ନାବାଳକଙ୍କ ବାପାଙ୍କ ମୃତଦେହ ଘର ପଛପଟେ ଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ପୁଲିସ ରବିବାର ଏନେଇ ସୂଚନା ଦେବା ସହ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ପ୍ରଥମେ ବାପା ଦୁଇ ଶିଶୁଙ୍କ ଗଳାଚିପି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି ।

ପୁଲିସର ସୂଚନା ଅନୁସାରେ ୧୪ ବର୍ଷୀୟ ନାବାଳକ ଏବଂ ୮ ବର୍ଷୀୟା ନାବାଳିକାଙ୍କ ଶବ ଶନିବାର ରାତିରେ କୋଡେଲିମ୍ ଗାଁରେ ଥିବା ଘରୁ ଉଦ୍ଧାର କରାଯାଇଛି । ଯେତେବେଳେ ଶିଶୁର ମୃତ୍ୟୁ ହୋଇଥିଲା ସେତେବେଳେ ମୃତକଙ୍କ ମାଆ ଘରେ ନଥିଲେ । ପିଲାମାନେ ଯେତେବେଳେ ଘରର କବାଟ ଖୋଲିନଥିଲେ ସେତେବେଳେ ତାଙ୍କ ମାଆ ପଡୋଶୀଙ୍କ ସାହାଯ୍ୟରେ ଘରର କବାଟ ଖୋଲିଥିଲେ । ତେବେ କବାଟ ଖୋଲିବା ପରେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହା ପରେ ପୋଲିସ ପିଲାମାନଙ୍କ ବାପାଙ୍କ ତଲାସ ଆରମ୍ଭ କରିଥିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତଦେହ ତାଙ୍କ ଘର ପଛପଟେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।