କର୍ଣ୍ଣାଟକ ପରେ ଗୋଆରେ କଂଗ୍ରେସକୁ ବଡ ଝଟକା । ୧୦ ବିଧାୟକ ଦଳ ଛାଡି ବିଜେପିରେ ହେଲେ ସାମିଲ ।

193

କନକ ବ୍ୟୁରୋ: କଂଗ୍ରେସ ମୁକ୍ତ ଭାରତ ପାଇଁ ବିଜେପି ଯେଉଁ ନାରା ଦେଉଥିଲା ତାହା ପୂରଣ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । କଂଗ୍ରେସ ଗୋଟିଏ ପରେ ଗୋଟିଏ ରାଜ୍ୟ ହରାଉଥିବା ବେଳେ ବିଜେପି ପୂରା ଦେଶକୁ ଗେରୁଆମୟ କରିବାକୁ କରିବାକୁ ପ୍ରୟାସ ଆରମ୍ଭ କରିଛି । କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମେଣ୍ଟ ଏବେ ସଙ୍କଟରେ ଥିବା ବେଳେ ଗୋଆରେ କଂଗ୍ରେସ ଏକପ୍ରକାର ମୂଳପୋଛ ହେବାକୁ ଯାଉଛି ।

କଂଗ୍ରେସର ସମସ୍ୟା ଶେଷ ହେବାର ନାଁ ନେଉନାହିଁ । କର୍ଣ୍ଣାଟକର ମେଂଟ ସରକାରକୁ ରକ୍ଷା କରିବା ପାଇଁ ସଂଘର୍ଷ ଜାରି ରହିଥିବା ବେଳେ ଗୋଆରେ ବଡ଼ ସଂକଟ ସୃଷ୍ଟି ହୋଇଛି । କଂଗ୍ରେସ ବିଧାୟକ ଦଳ ଦି’ଭାଗ ହୋଇଯାଇଛି । ୧୫ ଜଣ ବିଧାୟକଙ୍କ ମଧ୍ୟରୁ ୧୦ ଜଣ ବିଧାୟକ, ଶାସକ ବିଜେପିରେ ମିଶିଛନ୍ତି । ଏପରିକି ବିରୋଧୀ ଦଳର ନେତା ମଧ୍ୟ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଫଳରେ ବିଜେପି ବିଧାୟକଙ୍କ ସଂଖ୍ୟା ୨୭ରେ ପହଁଚିଛି ।

କଂଗ୍ରେସ ଛାଡିଥିବା ବିଧାୟକ ଯୁକ୍ତି ବାଢ଼ିଛନ୍ତି, ରାଜ୍ୟର ବିକାଶ ପାଇଁ ସେମାନେ ନିସର୍ତରେ ବିଜେପିରେ ଯୋଗ ଦେଇଛନ୍ତି । ଗୋଆରେ କଂଗ୍ରେସର ବଡ଼ ବିଭାଜନ ଘଟିବା ଫଳରେ ବିଜେପି ସରକାର ମଜବୁତ ହୋଇଛି । କାରଣ ପୂର୍ବରୁ ମୋଟ ୪୦ ବିଧାନସଭା ଆସନରୁ ବିଜେପିର ବିଧାୟକଙ୍କ ସଂଖ୍ୟା ଥିଲା ମାତ୍ର ୧୭ । ତେବେ ଦୁଇ ତୃତୀୟାଂଶରୁ ଅଧିକ ବିଧାୟକ ବିଜେପିରେ ସାମିଲ ହୋଇଥିବାରୁ ଦଳବଦଳ ନିୟମ ଲାଗୁ ହେବ ନାହିଁ ।

ଏହାପୂର୍ବରୁ ଗୋଆ ଉପ-ମୁଖ୍ୟମନ୍ତ୍ରୀ ବିଜୟ ସରଦେଶାଇ କଂଗ୍ରେସ ବିଧାୟକଙ୍କୁ ମାଙ୍କଡଙ୍କ ସହ ତୁଳନା କରିଥିଲେ । ଯେଉଁମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଲମ୍ଫ ପ୍ରଦାନ କରିଥାନ୍ତି । ଏହାଛଡା ସରଦେଶାଇ ଇସାରା ଇସାରା କହିଥିଲେ ଯେ, ଖୁବଶୀଘ୍ର କଂଗ୍ରେସର ୧୦ ବିଧାୟକ ବିଜେପିରେ ସାମିଲ ହୋଇପାରନ୍ତି ।