କନକ ବ୍ୟୁରୋ : ଏବେ କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆରମ୍ଭ କରିଛନ୍ତି ଭାରତ ଯୋଡ ଯାତ୍ରା । ଏହି ଯାତ୍ରାର ଆଜି ସପ୍ତମ ଦିନ ହୋଇଥିବା ବେଳେ ଏହାକୁ ନେଇ ଦେଶର ରାଜନୀତି ସରଗରମ ହେବାରେ ଲାଗିଛି । ସେପଟେ ରାହୁଲଙ୍କ ଭାରତ ଯୋଡ ଯାତ୍ରାରେ ହଜାର ହଜାର ଦଳୀୟ କର୍ମୀ ଯୋଗ ଦେଉଥିବା ବେଳେ ଏହାକୁ ବିଜେପି ତରଫରୁ କାଟାକ୍ଷ କରାଯାଉଛି ।

Advertisment

ଗୋଆର ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ପ୍ରମୋଦ ସାୱନ୍ତ କହିଛନ୍ତି କି ଦେଶକୁ ବିଭାଜିତ କରିବା ହେଉଛି କଂଗ୍ରେସର ମୂଳ ଅଭ୍ୟାସ । ହେଲେ ବିଜେପି ଓ ଆରଏସଏସ ସର୍ବଦା ଦେଶକୁ ଯୋଡିବା ପାଇଁ ପ୍ରୟାସ କରୁଛି । ଏହାର ଉଦାହରଣ ଦେବାକୁ ଯାଇ ସେ ସ୍ୱାଧୀନତା ସମୟରେ ପାକିସ୍ତାନ କଥା କହିଛନ୍ତି । ସେ କହିଛନ୍ତି କି ଦେଶର ପ୍ରଥମ ବିଭାଜନ କଂଗ୍ରେସ ଦଳ କରିଥିଲା ।

ସେପଟେ ବିଜେପି ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ସେ କଂଗ୍ରେସର ଏକ ଟ୍ୱିଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । କଂଗ୍ରେସ ଏକ ଟ୍ୱିଟରେ ଖାକି ପ୍ୟାଣ୍ଟରେ ନିଆଁ ଲାଗିଥିବାର ଚିତ୍ର ପୋଷ୍ଟ କରିଥିଲା । ଏହା ଉପରେ ପ୍ରତିକ୍ରିୟା ରଖି ହିମନ୍ତ କହିଛନ୍ତି କି ଏହା କଂଗ୍ରେସର ଏକ ଲଜ୍ଜାଜନକ ଟ୍ୱିଟ୍ । କଂଗ୍ରେସ ଭାରତ ଯୋଡିବା ଯାତ୍ରା ନାମରେ ଭାରତକୁ ଖଣ୍ଡ ଖଣ୍ଡ କରିବାକୁ ଯାତ୍ରା ଆରମ୍ଭ କରିଛି ।