ବଦଳିବେ ଗୋଆର ମୁଖ୍ୟମନ୍ତ୍ରୀ ! ମନୋହରଙ୍କ ପରେ କିଏ ଧରିବ ମଙ୍ଗ, ଅମିତ୍ ଶାହା କହିଲେ ଠିକ୍ ସମୟରେ ନିଆଯିବ ପଦକ୍ଷେପ ।

32

କନକ ବ୍ୟୁରୋ : ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବା ପରେ ଆଜି ତାଙ୍କୁ ଦିଲ୍ଳୀ ଏମ୍ସରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ୍ ଶାହା ପାରିକରଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଡାକ୍ତରଙ୍କ ସହ ସମ୍ପର୍କରେ ରହିଛନ୍ତି ।

ଅନ୍ୟପଟେ ପାରିକରଙ୍କ ସ୍ୱାସ୍ଥ୍ୟବସ୍ଥା  ଖରାପ ହେବାରୁ କିଏ ଗୋଆର ଦାୟିତ୍ୱ ସମ୍ଭାଳିବ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ପୂର୍ବପରି ପାରିକର ମୁଖ୍ୟମନ୍ତ୍ରୀ ପଦରେ ରହିବା ସହ ମନ୍ତ୍ରୀମଣ୍ଡଳରେ ଦାୟିତ୍ୱ ବଂଟନ କରିବେ, ନା ଅନ୍ୟ କାହାକୁ ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ଦିଆଯିବ ସେ ନେଇ ସସପେନ୍ସ ଲାଗି ରହିଛି  ।

ଗତ ୬ ତାରିଖରେ ଆମେରିକାରେ ଚିକିତ୍ସିତ ହୋଇ ସେ ଭାରତ ଫେରିଥିଲେ । ପାଖାପାଖି ଏକ ସପ୍ତାହ ଧରି ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା ।ଅସୁସ୍ଥ ପାରିକରଙ୍କୁ ସୁସ୍ଥ ହେବା ପାଇଁ ଦୀର୍ଘ ସମୟ ଲାଗିପାରେ । ତେଣୁ  ଗୋଆର ନେତୃତ୍ୱ ପାଇଁ ଅନ୍ୟ ବିକଳ୍ପ ବ୍ୟବସ୍ଥା ବାହାର କରିବା ପାଇଁ ସେ ମୋଦି ଓ ଶାହାଙ୍କୁ ଅନୁରୋଧ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ପାରିକର ଫୋନ କରିି କହିଛନ୍ତି ଯେ ରାଜ୍ୟର ନେତୃତ୍ୱ ପାଇଁ କିଛି ଅନ୍ୟ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉ । ତେବେ ଏହାରି ଭିତରେ ଚର୍ଚ୍ଚା ହେଉଛି ଯେ  ପାରିକରଙ୍କ ମନ୍ତ୍ରୀମଣ୍ଡଳରେ ଥିବା ବରିଷ୍ଠ ମନ୍ତ୍ରୀ ଧାବାଲିକରଙ୍କୁ ୧୮ ମାସ ପାଇଁ ଗୋଆର ଦାୟିତ୍ୱ ଦିଆଯିବ । ହେଲେ ଏନେଇ କୌଣସି ଚୂଡାନ୍ତ ନିଷ୍ପତି ନିଆଯାଇନାହିଁ । ଆସନ୍ତା ସୋମବାର ଏନେଇ ସ୍ପଷ୍ଟ ହେବ । ତେବେ ପାରିକର ପାନକ୍ରିୟାଟକ କ୍ୟାନସରରେ ପୀଡିତ ଅଛନ୍ତି । ବତର୍ମାନ ସେ କ୍ରିଟିକାଲ କଣ୍ଡିସନରେ ଅଛନ୍ତି ।