ଦେଶରେ ସୀମିତ ରହିବନି ଦେଶୀ ଜିନିଷ । ଏବେ ଗ୍ଲୋବାଲ ହେବ ଲୋକାଲ ସାମଗ୍ରୀ । ଦେଶୀ ଜିନିଷ କିଣିବା ସହ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ।

624

କନକ ବ୍ୟୁରୋ: ଆର୍ଥିକ ପ୍ୟାକେଜ ଘୋଷଣା କଲା ବେଳେ ଦେଶୀ ସାମଗ୍ରୀ ବ୍ୟବହାର ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦି । ସଙ୍କଟ ସମୟରେ ସ୍ଥାନୀୟ ବଜାର ଆମକୁ ବଞ୍ଚାଇଛି । ଗ୍ଲୋବାଲ ନୁହେଁ ଏବେ ଲୋକାଲକୁ ଗୁରୁତ୍ୱ ଦେବାକୁ ହେବ । ଲୋକାଲ ସାମଗ୍ରୀକୁ ଜୀବନର ମନ୍ତ୍ର ଭାବେ ଧରିନେବାକୁ ହେବ । ଦେଶୀ ସାମଗ୍ରୀ ବ୍ୟବହାର କରିବାକୁ ଆହ୍ୱାନ ଦେଲେ ମୋଦି । କହିଲେ ଦେଶୀ ସାମଗ୍ରୀ ବ୍ୟବହାର କରନ୍ତୁ, ଆତ୍ମନିର୍ଭରଶୀଳ ହୁଅନ୍ତୁ । ଏଣିକି ଲୋକାଲ ସାମଗ୍ରୀକୁ ଗ୍ଲୋବାଲ କରିବାକୁ ଚେଷ୍ଟା କରନ୍ତୁ । ଆଗକୁ ଗ୍ଲୋବାଲ ସପ୍ଲାଏ ଚେନରେ ବଡ ଭୂମିକା ନେବ ଭାରତ ।

ତେବେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ୪ ମାସ ହେବ ଦେଶ କରୋନା ସହ ଲଢେଇ କରୁଛି । ସାରା ଦୁନିଆ ଜୀବନ ବଞ୍ଚାଇବାକୁ ଯୁଦ୍ଧ କରୁଛି । ଆମେ ଆଗରୁ କେବେ ଏଭଳି ସ୍ଥିତି ଦେଖି ନଥିଲୁ କି ଶୁଣି ନଥିଲୁ । ଗୋଟିଏ ଭାଇରସ ସାରା ଦୁନିଆକୁ ଅସ୍ତବ୍ୟସ୍ତ କରିଦେଇଛି । କିନ୍ତୁ ଆମେ ହାରିବାନି, ଭାଙ୍ଗିବାନି, ପଛେଇ ଯିବାନି । ଆମକୁ ବଞ୍ଚିବାକୁ ପଡିବ, ଆଗକୁ ବଢିବାକୁ ପଡିବ । ତେବେ ପୂର୍ବରୁ ଭାରତରେ ମାସ୍କ ଓ ପିପିଇ କଥା କାଁ ଭାଁ ଜାଣିଥିଲେ । ହେଲେ ଏ ପରିସ୍ଥିତିରେ ବର୍ତ୍ତମାନ ଦେଶରେ ଦିନକୁ ୨ ଲକ୍ଷ ପିପିଇ, ୨ ଲକ୍ଷ ଏନ-୯୫ ମାସ୍କ ତିଆରି ହେଉଛି । ବିପଦ ଦେଶ ପାଇଁ ସୁଯୋଗ ଆଣି ଦେଇଛି ।

ସେପଟେ କଛ ଭୂମିକମ୍ପର ଉଦାହରଣ ଦେଇ ସେ କହିଛନ୍ତି ଭାରତୀୟ ମାନେ ବିପର୍ୟ୍ୟୟ ପରେ ନିଜେ ଛିଡ଼ା ହୋଇଜାଣନ୍ତି । ଭାରତର ମୂଳଦୁଆ ୫ଟି ସ୍ତମ୍ଭ ଉପରେ ଛିଡ଼ା ହୋଇଛି : ପ୍ରଥମଟି ହେଉଛି ଅର୍ଥନୀତି, ୨ୟ ଟି ହେଉଛି ଭିତ୍ତିଭୂମି, ୩ୟଟି ହେଉଛି ପ୍ରଯୁକ୍ତି ଭିତ୍ତିକ ଆମର ବ୍ୟବସ୍ଥା , ୪ର୍ଥଟି ହେଉଛି ଆମର ଗଣତନ୍ତ୍ର ଓ ୫ମ ଟି ହେଉଛି ଆମର ଚାହିଦା । ଭାରତରେ ବିଶ୍ୱର ଦକ୍ଷ ପ୍ରତିଭା ରହିଛି । ଏହାକୁ ଉପଯୋଗ କରି ଭାରତ ବିଶ୍ୱରେ ସର୍ବୋତ୍ତମ ସାମଗ୍ରୀ ତିଆରି କରିପାରିବ ଓ ଗ୍ଲୋବାଲ ସପ୍ଲାଇ ଚେନକୁ ଅକ୍ତିଆର କରିପାରିବ ।