କନକ ବ୍ୟୁରୋ : ମେରଠରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ହୋଇଥିବା ହିଂସାକାଣ୍ଡରେ ବର୍ତମାନ ସୁଦ୍ଧା ୪ଜଣଙ୍କ ଜୀବନହାନି ହୋଇ ସାରିଲାଣି । ଏହି ଭିତରେ ଏକ ଭିଡିଓ ଭାଇରାଲ୍ ହୋଇଛି । ଯେଉଁଥିରେ ସିଟି ଏସପି ଅଖିଳେଶ ନାରାୟଣ ସିଂହ କିଛି ମୁସଲମାନ ଯୁବକଙ୍କୁ ପାକିସ୍ତାନ ପଳାଇଯିବାକୁ ଧମକ ଭରା ସ୍ୱରରେ କହୁଥିବା ଦେଖିବାକୁ ମିଳିଛି । ଜଣେ ପୋଲିସ ଅଧିକାରୀଙ୍କ ଏଭଳି ବ୍ୟବହାରକୁ ନେଇ ଏବେ ରାଜନୀତି ଜୋର ଧରିଛି ।

Advertisment

୨୦ ଡିସେମ୍ବର, ମେରଠ । ଗଳି ଗଳି ବୁଲି ପ୍ରଦର୍ଶନକାରୀଙ୍କୁ ସାବାଡ କରୁଥିବା ସିଟି ଏସପି ଅଖିଳେଶ ନାରାୟଣ ସିଂହଙ୍କ ଏକ ନୂଆ ରୂପ ଦେଖିବାକୁ ମିଳିଲା । ତିନିଜଣ ମୁସଲମାନ ଯୁବକଙ୍କୁ ଦେଖି ସେମାନଙ୍କ ଉପରେ ବର୍ଷିଥିଲେ ସିଟି ଏସପି । କହିଥିଲେ ଯଦି ଅସୁବିଧା ହେଉଛି ତାହାଲେ ପାକିସ୍ତାନ ପଳାଅ । ଏସପି ଅଖିଳେଶ ନାରାୟଣ ସିଂହଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବା ସହ ଅନେକ ତାଙ୍କ ବ୍ୟବହାରକୁ ନେଇ ସମାଲୋଚନା କରିଛନ୍ତି । ତେବେ ଘଟଣାକୁ ନେଇ ସିଟି ଏସପି ନିଜ ସଫେଇରେ କହିଛନ୍ତି, ସେହି ଯୁବକମାନେ ପାକିସ୍ତାନର ଜୟଗାନ କରୁଥିଲେ, ସେଥିପାଇଁ ସେମାନଙ୍କୁ ପାକିସ୍ତାନ ପଳାଇଯିବାକୁ କହିଥିଲି । ସେପଟେ ମେରଠ ଏଡିଜି ପ୍ରଶାନ୍ତ କୁମାର ମଧ୍ୟ ଅଖିଳେଶ ନାରାୟଣଙ୍କ ସପକ୍ଷରେ ବାହାରିଛନ୍ତି ।

ସେପଟେ ସିଟି ଏସପିଙ୍କ ଏହି ଭିଡିଓକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି । ବିରୋଧି ପୋଲିସ ଅଧିକାରୀଙ୍କ ବ୍ୟବହାରକୁ ସମାଲୋଚନା ସହ ବିଜେପିକୁ ଟାର୍ଗେଟ କରିିଛି କଂଗ୍ରେସ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟ୍ୱିଟ କରି ଲେଖିଛନ୍ତି, ଭାରତର ସଂବିଧାନ କୌଣସି ନାଗରିକ ପ୍ରତି ଖରାପ ବ୍ୟବହାର କି ଗାଳି-ଗୁଲଜ କରିବାର ଅନୁମତି ଦେଇନଥାଏ । ଆଉ ଯେତେବେଳେ ଆପଣ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦରେ ରହିଛନ୍ତି, ସେତେବେଳେ ଏହି ଦାୟିତ୍ୱ ଆହୁରି ବଢିଯାଇଥାଏ । ଭାଜପା ସଂସ୍ଥା ଗୁଡିକରେ ଏଭଳି ସାଂପ୍ରଦାୟିକତା ଭରି ଦେଇଛି ଯେ, ଆଜି ଅଫିସରମାନଙ୍କ ମଧ୍ୟରେ ସମ୍ବିଧାନର କୌଣସି ମୂଲ୍ୟ ନାହିଁ । ସେପଟେ ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସୀ ଟ୍ୱିଟ କରି ଲେଖିଛନ୍ତି, ମୁଁ ଭାରତରେ ମୁସଲମାନ ଲୋକଙ୍କ ମଧ୍ୟରେ କଟ୍ଟରପନ୍ଥୀକୁ ରୋକିବାକୁ ଅନେକ ଚେଷ୍ଟା କରିଚାଲିଛି । ଆଉ ଏହି ଅଫିସର ମୋର ସବୁ ପରିଶ୍ରମକୁ ବେକାର କରିଦେଲେ ।

ବିରୋଧିଙ୍କ କଟାକ୍ଷ ପରେ ବିଜେପି ନେତ୍ରୀ ଉମା ଭାରତୀ ମଧ୍ୟ ଟ୍ୱିଟ କରି ପୋଲିସ ଅଧିକାରୀ ଅଖିଳେଶ ନାରାୟଣଙ୍କ ସପକ୍ଷରେ ବାହାରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି, ପୋଲିସବାଲାଙ୍କର ବି ଘର, ପରିବାର ଅଛି । ଦେଶଭକ୍ତିରେ ଭାବବିହ୍ୱଳ ହୋଇ ଏଭଳି ବୟାନ ଦେବା କିଛି ବଡ କଥା ନୁହେଁ । ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଷଡଯନ୍ତ୍ର ପାଇଁ ଏହି ଘଟଣା ଏକ ରାଜନୈତିକ ମୁଦ୍ଦା ହୋଇଛି ।