କନକ ବ୍ୟୁରୋ: ମାଲକାନଗିରି କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୭୪ ଗାଁର ୧୪ ଜଣ ମହିଳା ଏକାଠି ହୋଇ ଗଠନ କରିଛନ୍ତି ଅନ୍ନପୂର୍ଣ୍ଣା ସ୍ୱୟଂ ସହାୟକ ଗୋଷ୍ଠୀ । ଏହି ଗୋଷ୍ଠୀର ସମସ୍ତ ମହିଳାମାନେ ଏବେ ଗୋପାଳନ କରି ବେଶ ଚର୍ଚ୍ଚା ସାଉଁଟିଛନ୍ତି । ମିଶନ ଶକ୍ତି ବିଭାଗ ଦ୍ୱାରା ପରିଚାଳିତ ଓଡ଼ିଶା ଜୀବିକା ମିଶନ ତରଫରୁ ୩ଲକ୍ଷ ଟଙ୍କା ବ୍ୟାଙ୍କରୁ ଋଣ ଆଣି ୭ଟି ଦୁଧିଆଳି ଗାଈ କିଣିଛନ୍ତି । ଏହି ସବୁ ଗାଈମାନଙ୍କ ଠାରୁ ଦୈନିକ ପ୍ରାୟ ୫୦ରୁ ଅଧିକ ଲିଟର କ୍ଷୀର ସଂଗ୍ରହ କରାଯାଉଛି । ଏଥିପାଇଁ ଗୃପର ମହିଳାମାନେ ନିଜେ ଘର କାମ କରିବା ପରେ ବଳକା ସମୟ ବାହାର କରି ଗୋ-ସେବାରେ ଲାଗିପଡ଼ିଥାନ୍ତି । କିଏ ଗାଈକୁ ଖାଇବାକୁ ଦେଇଥାଏ କିଏ କ୍ଷୀର ଦୁହିଁଥାଏ । ପୁଣି ଆଉ କିଏ ଗୁହାଳ ସଫା କରିବାରେ ବ୍ୟସ୍ତ ରହିଥାଏ ।

Advertisment

କ୍ଷୀର ସଂଗ୍ରହ ପରେ ଏଥିରୁ ପନିର, ଗୁଆଘିଅ, ଦହି ପ୍ରସ୍ତୁତ କରନ୍ତି ମହିଳା । ସେମାନଙ୍କ ଠାରୁ ଏହି ସବୁ ଜିନିଷ ଘରୋଇ ଲୋକମାନେ ଓ ସ୍ଥାନୀୟ ବ୍ୟବସାୟୀ କିଣିନିଅନ୍ତି । ଅନେକ ସମୟରେ ଘର ଘର ବୁଲି କ୍ଷୀର ବିକ୍ରି କରି ଏମାନେ କିଛି ରୋଜଗାର କରନ୍ତି । ଏଥିରୁ ମିଳୁଥିବା ଅର୍ଥକୁ ମହିଳାମାନେ ନିଜ ଭିତରେ ବାଂଟିନିଅନ୍ତି । ନିଜ ଖର୍ଚ୍ଚ କରିବା ସହ ପରିବାର ପାଇଁ ଆର୍ଥିକ ସହାୟତା ଯୋଗାଇଥାଆନ୍ତି । ଯାହା ତାଙ୍କୁ ବେଶ ଖୁସି ଦେଉଥିବା ସେମାନେ କହିଛନ୍ତି ।

ଘର କାମ ସହିତ ଏଭଳି କିଛି କାମ କରି କିଛି ରୋଜଗାର କରିପାରୁଥିବାରୁ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଅନ୍ନପୂର୍ଣ୍ଣା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା ।