ଦେଶର ପ୍ରଥମ ରାଜ୍ୟଭାବେ ମଧ୍ୟପ୍ରଦେଶ ସରକାରଙ୍କ ବଡ ଘୋଷଣା । ରାଜ୍ୟରେ ଗଠନ ହେବ ଗୋ- କ୍ୟାବିନେଟ୍ । ୬ ଟି ବିଭାଗକୁ ନେଇ ହେବ ଗଠନ

157

କନକ ବ୍ୟୁରୋ : ଦେଶରେ ପ୍ରଥମ ଥର ମଧ୍ୟପ୍ରଦେଶ ସରକାର ଗୋ-କ୍ୟାବିନେଟ୍ ଗଠନ ପାଇଁ ନିସ୍ପତ୍ତି ନେଇଛନ୍ତି । ଏହି କ୍ୟାବିନେଟ୍ ଗୋ ସଂରକ୍ଷଣ ଓ ଗୋପାଳନ ବିକାଶ କ୍ଷେତ୍ରରେ କାମ କରିବ । ଏନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ ରେ ଲେଖିଛନ୍ତି କି ରାଜ୍ୟରେ ଗୋଧନ ସଂରକ୍ଷଣ ଓ ଗୋପାଳନ ବିକାଶ ପାଇଁ ଗୋ- କ୍ୟାବିନେଟ୍ ଗଠନ କରିବାକୁ ନିସ୍ପତ୍ତି ନିଆଯାଇଛି ।

ଏହି କ୍ୟାବିନେଟ୍ ରେ ୬ ଟି ବିଭାଗ ରହିବ । ଯାହା ମଧ୍ୟରେ ପଶୁ ପାଳନ, ବନ୍ୟ, ପଞ୍ଚାୟତ ଓ ଗ୍ରାମୀଣ ବିକାଶ, ରାଜସ୍ୱ, ଗୃହ ଓ କୃଷକ ମନ୍ତ୍ରଣାଳୟ ରହିବ । ଏହାର ପ୍ରଥମ ବୈଠକ ଗୋପାଷ୍ଟମୀ ବା ୨୨ ନଭେମ୍ବର ଦିନ ୧୨ ଟାରେ ବସିବ ।

ଶିବରାଜସିଂ ଚୌହାନଙ୍କ ଏଭଳି ଘୋଷଣା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ଏହାକୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି କି ୨୦୧୮ ବିଧାନସଭା ନିର୍ବାଚନ ପୂର୍ବରୁ ଶିବରାଜ ସିଂ ଗୋ କ୍ୟାବିନେଟ୍ ଗଠନ କରିବାକୁ ନିର୍ବାଚନୀ ଇସ୍ତାହାର ଦେଇଥିଲେ । ହେଲେ ୨ ବର୍ଷ ପରେ ତାଙ୍କର ଏଭଳି ପ୍ରତିଶୃତି ମନେ ପଡୁଛି । ସୂଚନା ଥାଉକି ୨୦୧୮ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେପି ନିର୍ବାଚନୀ ଇସ୍ତାହାରରେ ଗୋ-କ୍ୟାବିନେଟ୍ ଗଠନ, ପୁରା ରାଜ୍ୟରେ ଗୋଶାଳା ନିର୍ମାଣ କରିବାକୁ ପ୍ରତିଶୃତି ଦେଇଥିଲେ ।
ଏହାସହ କମଲନାଥ୍ କହିଛନ୍ତି କି ମଧ୍ୟପ୍ରଦେଶର ଲୋକମାନେ ଜାଣିଛନ୍ତି କି ପୂର୍ବ ୧୫ ବର୍ଷ ଓ ଚଳିତ ୮ ମାସ ମଧ୍ୟରେ ରାଜ୍ୟରେ ବିଜେପି ସରକାର ଗୋମାତାର ସଂରକ୍ଷଣ ଓ ବିକାଶ କ୍ଷେତ୍ରରେ କିଛି ବି କରିନାହାନ୍ତି । ଏହା ବ୍ୟତିତ କଂଗ୍ରେସ ସରକାର ପ୍ରତି ଗୋରୁ ମାନଙ୍କ ପାଇଁ ଯେଉଁ ୨୦ ଟଙ୍କାର ଦାନା ବ୍ୟବସ୍ଥା କରିଥିଲେ ତାହାକୁ କମ୍ କରିଛି ବିଜେପି ସରକାର ।

କମଳନାଥ ସରକାର ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ବେଳେ ସଫ୍ଟ ହନ୍ଦୁତ୍ୱର ସାହାରା ନେବାକୁ ପ୍ରୟାସ କରିଥିଲେ । ସେ ଗୋରକ୍ଷା କାର୍ଯ୍ୟ କରୁଥିବା ସଂସ୍ଥା ପାଇଁ ଅନଲାଇନ୍ ଡୋନେସନ୍ ପୋର୍ଟାଲର ଶୁଭାରମ୍ଭ କରିଥିଲେ । ଏହି ପୋର୍ଟାଲରେ ଯେଉଁମାନେ ଦାନ କରୁଥିଲେ ସେମାନଙ୍କୁ ଆୟକର ଛାଡ କରାଯିବ ବୋଲି କମଲନାଥ ପ୍ରତିଶୃତି ଦେଇଥିଲେ । ଏହାସହ ରାଜ୍ୟରେ ୩ ହଜାର ଗୋଶାଳା ନିର୍ମାଣ କରିବାକୁ ବି କହିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ।