ସିଡିଏସ୍‌ ପରୀକ୍ଷାରେ ଅଦିତି ଆଣିଲେ ଗୌରବ : ଢେଙ୍କାନାଳ ଝିଅ ଦେଶରେ ଟପର୍‌

256

କନକ ବ୍ୟୁରୋ : ଜେଜେ ବାପା ଅବସରପ୍ରାପ୍ତ ପୁଲିସ ଡିଆଇଜି । ବାପା ଭାରତୀୟ ସେନା ବାହିନୀର ବ୍ରିଗେଡିୟର । ଜେଜେ ବାପା ଏବଂ ବାପାଙ୍କ ପରେ ଏବେ ମା‌ତୃଭୂମିର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି ଓଡ଼ିଆ ଝିଅ ଅଦିତି ପରିଡ଼ା । ମାତ୍ର ୨୦ବର୍ଷ ବୟସରେ ସର୍ବଭାରତୀୟ ସଂଯୁକ୍ତ ରକ୍ଷା ସେବା (କମ୍ବାଇନ୍‌ଡ ଡିଫେନ୍ସ ସର୍ଭିସ୍‌-୨) ମହିଳା ବର୍ଗରେ ଅଦିତି ଟପର୍‌ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ନାଧରା ହେଉଛି ଅଦିତିଙ୍କ ପୈତୃକ ଗାଁ । କେବଳ ଢେଙ୍କାନାଳ ଜିଲ୍ଲା ପାଇଁ ନୁହେଁ, ରାଜ୍ୟର ପ୍ରଥମ ମହିଳା ଭାବେ ସେ ଏହି ସଫଳତା ହାସଲ କରି ସମଗ୍ର ଓଡ଼ିଆଙ୍କ ପାଇଁ ଗୌରବ ଆଣି ଦେଇଛନ୍ତି ।

ସିଡିଏସ୍‌ ପରୀକ୍ଷା-୨୦୧୯ର ମହିଳା ବର୍ଗରେ ମୋଟ୍‌ ୬୭ଜଣ ଆଶାୟୀ କୃତିତ୍ୱ ହାସଲ କରିଥିବା ବେଳେ ନାଧରା ଗାଁର ଜୟକୃଷ୍ଣ ପରିଡ଼ାଙ୍କ ନାତୁଣୀ ଅଦିତି ସମସ୍ତଙ୍କୁ ପଛରେ ପକାଇ ସେଥିରେ ଟପର ହୋଇଛନ୍ତି । ଏଭଳି କୀର୍ତ୍ତିମାନ କରିବାରେ ଅଦିତି ରାଜ୍ୟର ପ୍ରଥମ ମହିଳା ବୋଲି ଜଣାପଡ଼ିଛି । ପରିବାର ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବାପା ସେନା ବାହିନୀରେ ବ୍ରିଗେଡିୟର ଥିବା ବେଳେ ପିଲାଟି ବେଳୁ ଆର୍ମି ପରିବେଶ ଅଦିତିଙ୍କୁ ସେନାବାହିନୀ ସହିତ ଯୋଡ଼ି ହେବା ପାଇଁ ପ୍ରେରିତ କରିଥିଲା । ବାପାଙ୍କର ସେବା ତାଙ୍କୁ ନୂଆ ଅନୁଭୂତି ଦେଇଥି‌ଲା ବୋଲି ଅଦିତି କହିଛନ୍ତି । ସ୍ନାତକ ସରିବା କ୍ଷଣି ସେନାରେ ଯୋଗ ଦେବାର ଲକ୍ଷ୍ୟ ନେଇ ପାଠପଢ଼ା ଆରମ୍ଭ କରିଥିଲେ । ବାପାଙ୍କ ଚାକିରି କାଳ ମଧ୍ୟରେ ସେ ଦେଶର ବିଭିନ୍ନ ଆର୍ମି ସ୍କୁଲରେ ପାଠପଢ଼ା ସାରି ସାମ୍ବାଦିକତାରେ ପୁନେରୁ ସ୍ନାତକ ହାସଲ କରିଥିଲେ । ପ୍ରଥମ ଉଦ୍ୟମରେ ସିଡିଏସ୍‌ ପରୀକ୍ଷାରେ ସେ ଏହି କୃତିତ୍ୱ ହାସଲ କରିଛନ୍ତି । ପାଠ ବ୍ୟତୀତ ଭଲିବଲ୍‌, ଓଡ଼ିଶୀ ଏବଂ ଭାରତନାଟ୍ୟମ୍‌, ବିତର୍କରେ ମଧ୍ୟ ସେ ପ୍ରବୀଣା । ୨୦୧୬ ଆର୍ମି ସ୍କୁଲ୍‌ର ଜାତୀୟ ଡିବେଟ୍‌ ପ୍ରତିଯୋଗିତାରେ ସେ ଚାମ୍ପିଅନ ହୋଇଥିଲେ ।

ପରିବାରରେ ବାପାଙ୍କ ସହିତ ମା ଏବଂ ସାନ ଭଉଣୀ ରହନ୍ତି । ମା’ ସୁଜାତା ଆର୍ମି ସ୍କୁଲ୍‌ରେ ଶିକ୍ଷକତା କରୁଥିଲେ। ତେବେ ଝିଅମାନଙ୍କ ପଢ଼ାପଢ଼ିରେ ସମୟ ଦେବା ଲାଗି ସେ ସ୍ୱେଚ୍ଛାକୃତ ଭାବେ ଏଥିରୁ ଓହରି ଆସିଥିଲେ । ଏବେ ଯୁକ୍ତ ଦୁଇରେ ପଢୁଥିବା ସାନ ଝିଅ ମଧ୍ୟ ଭାରତୀୟ ବାୟୁସେନାରେ ଯୋଗ ଦେବାର ଲକ୍ଷ୍ୟ ରଖିଥିବା ଅଦିତିଙ୍କ ମା’ ଶ୍ରୀମତୀ ପରିଡ଼ା କହିଛନ୍ତି । ଏ ସମ୍ପର୍କରେ ଅଦିତି କହିଛନ୍ତି, ମୋ ପିଲା ବେଳର ସ୍ବପ୍ନ ସାକାର ହେବାକୁ ଯାଉଛି । ଚେନ୍ନାଇରେ ୪୯ସପ୍ତାହର ଟ୍ରେନିଂ ପରେ ପ୍ରଥମେ ଲେପ୍ଟନାଣ୍ଟ୍‌ ଭାବେ ଭାରତୀୟ ସେନାରେ ଯୋଗ ଦେବି । ପିଲାଟି ବେଳୁ ମୋ‌ତେ ସେନାର ଜୀବନ ଶୈଳୀ ଭଲ ଲାଗିଛି । ସବୁବେଳେ ସେନା ପରିବେଶ ମଧ୍ୟରେ ରହଣି ଏବଂ ବାପାଙ୍କ କାମ ମୋତେ ସେନା ବାହିନୀରେ ଯୋଗ ଦେବା ପାଇଁ ପ୍ରେରିତ କରିଛି । ଓଡ଼ିଶାର ଝିଅମାନେ ମଧ୍ୟ ସେନାରେ ମୋ ଭଳି ଯୋଗ ଦେବା ପାଇଁ ଆଗେଇ ଆସିବା ଉଚିତ ବୋଲି ଅଦିତି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଅଦିତି ଏବେ ଦିଲ୍ଲୀରେ ରହୁଛନ୍ତି ।