୭ଦିନ ପାଇଁ ଘୁଞ୍ଚିଲା ଟିକାର ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା : ଆସନ୍ତା ୪ ତାରିଖରେ ପୁଣି ଥରେ ଟେଣ୍ଡର ଖୋଲିବ

208

କନକ ବ୍ୟୁରୋ : ଘୁଂଚିଲା ଟିକାର ଗ୍ଲୋବାଲ ଟେଣ୍ଡର । ଆଗାମୀ ୭ ଦିନ ପାଇଁ ଟେଣ୍ଡର ପ୍ରକ୍ରିୟାକୁ ଘୁଂଚାଇ ଦିଆଯାଇଛି । ବାତ୍ୟା ପାଇଁ ବିଭିନ୍ନ ଭେଣ୍ଡରଙ୍କ ଅନୁରୋଧ କ୍ରମେ ଏଭଳି ନିଷ୍ପତି କରିଛନ୍ତି ରାଜ୍ୟ ସରକାର । ତେବେ ଆଗାମୀ ୪ ତାରିଖରେ ପୁଣି ଟେଣ୍ଡର ଖୋଲିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ । ତେବେ ପୂର୍ବରୁ ଆଜି ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ଖୋଲାଯିବାକୁ ନିଷ୍ପତି କରିଥିଲେ ରାଜ୍ୟ ସରକାର । ସଂଧ୍ୟା ୫ଟା ରେ ଗ୍ଲୋବାଲ୍ ଟେଣ୍ଡର ଖୋଲାଯିବା କାର୍ଯ୍ୟକ୍ରମ ଥିଲା ।

ରାଜ୍ୟରେ ଟିକା ଅଭାବକୁ ଦୂର କରିବା ପାଇଁ ଏପରି ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଗ୍ଲୋବାଲ ଟେଣ୍ଡର ଜରିଆରେ ୩ କୋଟି ୮୦ ଲକ୍ଷ ଟିକା କିଣିବାକୁ ଲକ୍ଷ୍ୟ ରଖାଯାଇଛି । ୨୦ ତାରିଖରେ ଅନ୍ଲାଇନ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯେଉଁ ଫାର୍ମା କଂପାନୀ ଟେଣ୍ଡର ପାଇବ, ୪ ମାସ ଭିତରେ ଟିକା ଯୋଗାଇବାକୁ ପଡ଼ିବ । ଏହି ଟେଣ୍ଡରର ଅବଧି ୬ ମାସ ରହିଛି । ଯେଉଁ ଟିକା ୨ରୁ ୮ ଡିଗ୍ରୀ ସେଲସିୟସ ତାପମାତ୍ରା ଭିତରେ ସଂରକ୍ଷିତ ରହିପାରୁଥିବ, ସେହି ଟିକା ନିର୍ମାତାମାନେ ଟେଣ୍ଡରରେ ଭାଗ ନେଇପାରିବେ ବୋଲି ପ୍ରଥମେ କୁହାଯାଇଥିଲା । ପରେ ଏହି ସର୍ତ ସହ ଆଉ କିଛି ସର୍ତକୁ କୋହଳ କରିଥିଲେ ସରକାର ।