ପୁଣି ଦମଦାର ସଟ୍ ଖେଳି ଦର୍ଶକଙ୍କ ହୃଦୟ ଜିଣିଲେ ଯୁବରାଜ । ପାକିସ୍ତାନୀ ବୋଲରଙ୍କ ବଲରେ ମାରିଲେ ଆକାଶଛୁଆଁ ଛକା ।

960

କନକ ବ୍ୟୁରୋ : ୨୦୧୧ ବିଶ୍ୱକପ କ୍ରିକେଟର ହିରୋ ବାମହାତୀ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂହ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ସତ, କିନ୍ତୁ ତାଙ୍କ ବ୍ୟାଟିଂର ଚମକ ଏବେବି ଫିକା ପଡିନି । ଗ୍ଲୋବାଲ୍ କନାଡା ଟି-୨୦ ଲିଗରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରି ପୁଣି ଥରେ କୋଟି କୋଟି କ୍ରୀଡାପ୍ରେମୀଙ୍କ ହୃଦୟ ଜିଣିଛନ୍ତି ଯୁବରାଜ । ଏହି ଟି-୨୦ ଲିଗର ତୃତୀୟ ମ୍ୟାଚରେ ଏଡମଣ୍ଟନ୍ ରୟାଲ୍ସ ବିପକ୍ଷରେ ଟୋରଣ୍ଟୋ ନ୍ୟାସନାଲ୍ ଦଳର ନେତୃତ୍ୱ ନେଇଥିଲେ ଯୁବି ।

୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିବା ଯୁବରାଜ ଦମଦାର ସଟ୍ ଖେଳି ୨୧ ବଲରେ ୩୫ ରନ୍ କରିଥିଲେ । ଆଉ ଏଥିରେ ଯୁବରାଜ ୩ଟି ଚୌକା ଏବଂ ୩ଟି ଦର୍ଶନୀୟ ଛକା ମାରିଥିଲେ । ଆଉ ଏହାରି ଭିତରେ ଏଡମଣ୍ଟନ୍ ରୟାଲ୍ସ ପକ୍ଷରୁ ଖେଳୁଥିବା ପାକିସ୍ତାନୀ ସ୍ପିନର ଶାଦବ ଖାନଙ୍କ ବଲରେ ଯୁବରାଜ ଏଭଳି ଏକ ଛକା ମାରିଥିଲେ, ଯାହା ଦେଖି ଦର୍ଶକଙ୍କ ସମେତ ଖେଳାଳୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ରୋମାଞ୍ଚକର ମ୍ୟାଚରେ ଏଡମଣ୍ଟନ୍ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି ୧୯ ଓଭରରେ ୬ଟି ୱିକେଟ୍ ହରାଇ ୧୯୧ ରନ୍ ସଂଗ୍ରହ କରିଥିଲା । ଜବାବରେ ଯୁବରାଜଙ୍କ ଟିମ୍ ୧୭ ଓଭର ୫ଟି ବଲରେ ୨ଟି ୱିକେଟ୍ ହରାଇ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା ।