ଗ୍ଲୋବାଲ ପିସ୍ ସେଣ୍ଟର ଅଧ୍ୟକ୍ଷ ଗିରଫ । ଧର୍ମାନ୍ତରୀକରଣ ପାଇଁ ଅର୍ଥ ଯୋଗାଉଥିବା ଅଭିଯୋଗ ।

161

କନକ ବ୍ୟୁରୋ: ଦେଶରେ ଏବେ ସକ୍ରିୟ ହୋଇଉଠିଛନ୍ତି ଧର୍ମାନ୍ତରୀକରଣ ଗ୍ରୁପ୍ । ଧର୍ମାନ୍ତରୀକରଣ ମାମଲାରେ ଉତ୍ତରପ୍ରଦେଶ ଆତଙ୍କବାଦ ନିରୋଧ ସ୍କ୍ୱାଡ ଗ୍ଲୋବାଲ ପିସ୍ ସେଣ୍ଟର ଅଧ୍ୟକ୍ଷ ମୌଲାନା କଲିମ୍ ସିଦ୍ଦିକିଙ୍କୁ ଗିରଫ କରିଛି । ତାଙ୍କୁ ମିରଟରୁ ଗିରଫ କରାଯାଇଛି । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏନେଇ ଏଟିଏସ୍ ପକ୍ଷରୁ ଏକ ପ୍ରେସ୍ କନଫରେନ୍ସରେ ସୂଚନା ଦିଆଯାଇଛି ।

ଏଟିଏସର ସୂଚନା ମୁତାବକ, ମୌଲାନା କଲିମ୍ ସିଦ୍ଦିକି ଧର୍ମାନ୍ତରୀକରଣ ପାଇଁ ଉସକାଉଥିଲେ । ସେ ନିଜ ଟ୍ରଷ୍ଟ ପରିଚାଳନା ସହ ଏକାଧିକ ମଦ୍ରାସାକୁ ଆର୍ଥିକ ସହାୟତା କରୁଥିଲେ । ଏଥିପାଇଁ ତାଙ୍କ ଆକାଉଣ୍ଟକୁ ବେଆଇନ୍ ଭାବେ ମୋଟା ଅଙ୍କର ଅର୍ଥ ଆସିଥିବା ଜଣାପଡିଛି । ଉମର ଗୌତମ ଓ ମୁଫ୍ତି କାଜିଙ୍କ ସହ ତାଙ୍କର ଲିଙ୍କ ଥିବା ଜଣାପଡିଛି । ଏହି ଦୁଇଜଣ ମଧ୍ୟ ଧମାନ୍ତରୀକରଣ ମାମଲାରେ ପୂର୍ବରୁ ଗିରଫ ହୋଇସାରିଛନ୍ତି । ଏମାନଙ୍କ ଆକାଉଣ୍ଟକୁ ଏକ ବ୍ରିଟିଶ ସଂସ୍ଥାରୁ ପାଖାପାଖି ୫୭ କୋଟି ଟଙ୍କା ଆସିଥିଲା, ଯାହାର ହିସାବ ସେମାନେ ଦେଇପାରିନଥିଲେ । ଏମାନଙ୍କ ସହ ଅନ୍ୟ ୭ଜଣଙ୍କୁ ମଧ୍ୟ ଏଟିଏସ ଗିରଫ କରିସାରିଛି । ଏମାନଙ୍କ ମଧ୍ୟରୁ ୬ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ ସରିଥିବାବେଳେ ଅନ୍ୟ ମାନଙ୍କ ଉପରେ ଯାଂଚ ଚାଲିଥିବା କୁହାଯାଇଛି ।

କେବଳ ଉତ୍ତରପ୍ରଦେଶରେ ନୁହେଁ ଗୁଜୁରାଟରେ ମଧ୍ୟ ଧର୍ମାନ୍ତରୀକରଣର ର୍ୟାକେଟ ସକ୍ରିୟ ଥିବା ସୂଚନା ପାଇଁ ସଲାଉଦ୍ଦିନ୍ ଶେଖ୍ ଓ ତା’ର କିଛି ସାଥୀଙ୍କୁ ଗିରଫ କରିଥିଲା । ଗୁଜୁରାଟ ପୋଲିସର ସୂଚନା ମୁତାବକ, ଧମାନ୍ତରୀକରଣ, ସରକାର ବିରୋଧୀ କାର୍ଯ୍ୟ ଓ ଦେଶରେ ହୋଇଥିବା ଦଙ୍ଗାରେ ସାମିଲ ଅଭିଯୁକ୍ତଙ୍କୁ ମୁକୁଳାଇବାକୁ ସଲାଉଦ୍ଦିନ୍ ପାଖାପାଖି ୮୦ କୋଟିର ଲେଣଦେଣ କରିଥିଲେ । ଏଥିରୁ ୬୦ କୋଟି କେବଳ ଦୁବାଇରୁ ଆସିଥିବା ସୂଚନା ଦେଇଥିଲା ଗୁଜୁରାଟ ପୋଲିସ୍ । ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଏପରି ଅଭିଯୁକ୍ତଙ୍କୁ ଠାବ କରି ଗିରଫ କରିବାକୁ ଟାର୍ଗେଟ ରଖିଛି ବିଭିନ୍ନ ରାଜ୍ୟ ପୋଲିସ୍ ଓ ଏଟିଏସ୍ ।