ସାରା ବିଶ୍ୱରେ କରୋନାକୁ ନେଇ ହାହାକାର…ଏକ ଲକ୍ଷ ଟପିଲା କରୋନା ଜନିତ ମୃତ୍ୟୁ ସଂଖ୍ୟା: ଆକ୍ରାନ୍ତରେ ଆମେରିକା ପ୍ରଥମ, ମୃତ୍ୟୁ ସଂଖ୍ୟା ତାଲିକାର ଶୀର୍ଷରେ ଇଟାଲୀ

307

କନକ ବ୍ୟୁରୋ: ବିଶ୍ୱ ମହାମାରୀ କରୋନାର ପ୍ରକୋପ ସାରା ବିଶ୍ୱରେ ଜାରି ରହିଛି । ପ୍ରତିଦିନ ଲକ୍ଷାଧିକ ଲୋକ ଆକ୍ରାନ୍ତ ହେଉଥିବା ବେଳେ ହଜାର ହଜାର ଲୋକଙ୍କର ମୃତ୍ୟୁ ଘଟୁଛି । ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ଟପିଛି । ଶେଷ ଖବର ସୁଦ୍ଧା ବିଶ୍ୱରେ ୧୬ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧ ଲକ୍ଷ ୩୭୫ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି । ତେବେ କରୋନା ଆକ୍ରାନ୍ତ ହୋଇଥିବା ୩ ଲକ୍ଷ ୬୮ ହଜାରରୁ ଅଧିକ ଲୋକ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆମେରିକା ଓ ୟୁରୋପରେ ଏହାର ସଂକ୍ରମଣ ଅତି ଭୟଙ୍କର ଥିବା ବେଳେ ଆଉ ସପ୍ତାହକ ପରେ ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଇଟାଲୀରେ ସବୁଠାରୁ ଅଧିକ ମୃତ୍ୟୁ ଘଟିଛି । ଏଠାରେ କୋଭିଡ-୧୯ ଯୋଗୁଁ ୧୮ ହଜାର ୮୪୮ ଜଣଙ୍କର ପ୍ରାଣହାନୀ ହୋଇସାରିଲାଣି । ଆମେରିକାରେ ୪ ଲକ୍ଷ ୭୫ ହଜାରରୁ ଅଧିକ ଲୋକ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ଏହା ବିଶ୍ୱର ଯେକୌଣସି ଦେଶ ପାଇଁ ସର୍ବାଧିକ । ଅବଶ୍ୟ ଇଟାଲିରେ ମୃତ୍ୟୁ ସଂଖ୍ୟା ସର୍ବାଧିକ । ଆମେରିକାରେ ମଧ୍ୟ ୧୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି । ସ୍ପେନରେ ଏଯାଏଁ ପ୍ରାୟ ୧୬ ହଜାର ଲୋକଙ୍କ ଜୀବନ ନେଲାଣି ଏହି ମହାମାରୀ ।