ପ୍ରଥମ ଓ ଦ୍ୱିତୀୟଠୁ ବଳିଗଲା ତୃତୀୟ ପର୍ଯ୍ୟାୟ ମତଦାନ: ଭୋଟ୍ ପଡିବା ପୂର୍ବରୁ ଅଚଳ ହେଲା ଇଭିଏମ୍, ମତଦାନରେ ବିଳମ୍ବ ଯୋଗୁଁ ଅସନ୍ତୋଷ ଭୋଟର

93

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ। ସକାଳ ୭ଟାରୁ ଓଡ଼ିଶାରେ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଯଥା- ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ଭୁବନେଶ୍ୱର, ପୁରୀ ଓ କଟକ ସମେତ ଏହାର ଅନ୍ତର୍ଗତ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତ ଦେଉଛନ୍ତି ମତଦାତା । ତେବେ ଆଜି ସକାଳୁ ଆରମ୍ଭ ହୋଇଥିବା ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ସକାଳୁ ସକାଳୁ ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟରମାନଙ୍କ ଭିଡ଼ ଦେଖିବାକୁ ମିଳିଛି। କେତେକ ବୁଥ୍‌ରେ ମତଦାନ ସୁରୁଖୁରୁରେ ଚାଲିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଦେଖାଦେଇଛି। ଫଳରେ ମତଦାନ ବିଳମ୍ବିତ ହେବାରେ ଲାଗିଛି। ଯାହାକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ୧୫୪ ନମ୍ବର ବୁଥରେ ଇଭିଏମରେ ତ୍ରୁଟି କାରଣରୁ ମତଦାନ ପ୍ରକ୍ରିୟା ବିଳମ୍ବ ହୋଇଥିବା ସୂଟନା ମିଳିଛି । ସେହିପରି କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀର ୬ଟି ବୁଥରେ କାମ କରୁନି ଇଭିଏମ୍ ମେସିନ । ବୁଥ୍ ନମ୍ବର ୨୧୨,୨୧୩,୨୨୧, ୨୪୩,୨୪୫ ଏବଂ ୨୫୫ରେ ଅଚଳ ହୋଇପଡିଛି ଇଭିଏମ । ଫଳରେ ଭୋଟରଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ଚମ୍ପୁଆ ବୁଥ ନମ୍ବର ୨୫ରେ ମଧ୍ୟ ଇଭିଏମରେ ଯାନ୍ତ୍ରିକ ତ୍ରୁଟି କାରଣରୁ ମତଦାନ ବିଳମ୍ବ ହୋଇଛି ।

ସେପଟେ, କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ବି ସମାନ ପରିସ୍ଥିତି ଉପୁଜିଛି । କୁଚିଣ୍ଡାର ୫ଟି ବୁଥରେ ଅଚଳ ହୋଇପଡିଛି ଇଭିଏମ ମେସିନ । ବୁଥ ନମ୍ବର ୧୨୨, ୧୨୧, ୧୩୫,୧୩୮ ଏବଂ ୧୪୫ ନମ୍ବର ବୁଥରେ ଯାନ୍ତ୍ରିକ ତ୍ରୁଟି କାରଣରୁ ପଡିପାରୁନି ଭୋଟ୍ । ସେହିଭଳି କାମାକ୍ଷାନଗରର ୧୯ ନମ୍ବର ବୁଥରେ ଇଭିଏମ ଅଚଳ ହୋଇପଡିଛି । ସମ୍ବଲପୁରର ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭବାନୀପାଲିର ବୁଥ୍‌ ନମ୍ବର ୩୮ରେ ଲୋକସଭା ଭିଭିପିଏଟି କାମ କରୁ ନ ଥିବାରୁ ଲୋକେ ଭୋଟ୍‌ ଦେବାକୁ ଧାଡ଼ି ବାନ୍ଧି ଅପେକ୍ଷା କରିଛନ୍ତି। ଝଙ୍କରପାଲିର ବୁଥ୍‌ ନମ୍ବର ୩୬ ଓ ୩୭ରେ ଇଭିଏମ୍‌ କାମ କରୁ ନ ଥିବାରୁ ପୋଲିଙ୍ଗ୍‌ ପାର୍ଟି ଚିନ୍ତିତ ହୋଇ ପଡ଼ିଛନ୍ତି।

ଭୁବନେଶ୍ୱର ଉତ୍ତର ଅନ୍ତର୍ଗତ ମରିଚିଆର ବୁଥ୍‌ ନମ୍ବର ୧୦ ଇଭିଏମ୍‌ ତ୍ରୁଟି ସଜଡ଼ା ଯିବା ପରେ ସେଠାରେ ପ୍ରାୟ ୪୦ ମିନିଟ୍‌ ବିଳମ୍ବରେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି।  କରଞ୍ଜିଆ ନିର୍ବାଚନ ମଣ୍ଡଳୀର ବୁଥ୍‌ ନମ୍ବର ୩୬, ଖୋର୍ଦ୍ଧା ଅନ୍ତର୍ଗତ ବେଗୁନିଆର ବୁଥ୍‌ ନମ୍ବର ୩୪ ଓ ୩୬, ଆନନ୍ଦପୁର ଅଞ୍ଚଳର ପୁରୁଣାବାନ୍ଦଗୁଡ଼ାର ବୁଥ୍‌ ନମ୍ବର ୨୮୧, ସରଳା ଅଞ୍ଚଳ ଖପରାଖାଇର ବୁଥ୍‌ ନମ୍ବର ୯୦ରେ ଇଲେକ୍‌ଟ୍ରୋନିକ୍‌ ଭୋଟିଙ୍ଗ୍‌ ମେସିନରେ ତ୍ରୁଟି କାରଣରୁ ମତଦାନ ପ୍ରକ୍ରିୟାରେ ବିଳମ୍ବ ହୋଇଛି ।