ଭାରତୀୟ ବଂଶୋଦ୍ଭବ ଯୁବତୀଙ୍କୁ ଖୁବଶୀଘ୍ର ବିବାହ କରିବେ ମ୍ୟାକ୍ସୱେଲ । ଜାଣନ୍ତୁ କିଏ ସେହି ଯୁବତୀ, ଯିଏ ନିଜ ପ୍ରେମରେ ମ୍ୟାକ୍ସୱେଲଙ୍କୁ କରିଛନ୍ତି କ୍ଲିନ ବୋଲଡ ।

421

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ ସରିଛି, ନୂଆ ଚାମ୍ପିୟନ ଭାବେ ଅଷ୍ଟ୍ରେଲିଆ ଉଭା ହୋଇଛି । ଟି-୨୦ ବିଶ୍ୱକପରେ ବିଜୟୀ ହେବା ପରେ ଏବେ ଅଷ୍ଟ୍ରେଲିଆର ନଜର ରହିଛି ପାକିସ୍ତାନ ଗସ୍ତ ଉପରେ । ପାକିସ୍ତାନ ଗସ୍ତରେ ଅଷ୍ଟ୍ରେଲିଆ ୩ଟି ଟେଷ୍ଟ, ୩ଟି ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚ୍ ଖେଳିବ । ମାର୍ଚ୍ଚ ଓ ଏପ୍ରିଲରେ ଏହି ସିରିଜ ଖେଳାଯିବ । ତେବେ ଏହି ସିରିଜରେ ଅଷ୍ଟ୍ରେଲିଆର ଦୁର୍ଦ୍ଦଷ ବ୍ୟାଟସମ୍ୟାନ ମ୍ୟାକ୍ସୱେଲଙ୍କୁ ଦେଖିବାକୁ ମିଳିନପାରେ । କାରଣ ଏହି ସମୟରେ ମ୍ୟାକ୍ସୱେଲ ବିବାହ କରିବେ । କରୋନା କାରଣରୁ ଏହି ବିବାହ ବାରମ୍ବାର ଘୁଞ୍ଚି ଚାଲିଥିବା ବେଳେ ଚଳିତ ମାର୍ଚ୍ଚ-ଏପ୍ରିଲ ହାତକୁ ଦି ହାତ ହେବାକୁ ମ୍ୟାକ୍ସୱେଲ ନିଷ୍ପତ୍ତି ନେଇଥିବା କୁହାଯାଉଛି । ମ୍ୟାକ୍ସୱେଲଙ୍କ ବିବାହ ଭାରତୀୟ ବଂଶୋଦ୍ଭବ ବିନି ରମଣଙ୍କ ସହ ହେବାକୁ ଯାଉଛି । ତେବେ କିଏ ଏହି ବିନି ରମଣ, ଯିଏ ମ୍ୟାକ୍ସୱେଲଙ୍କୁ କ୍ଲିନ ବୋଲଡ କରିଛନ୍ତି ।

ବିନି ରମଣ ପେଶାରେ ଜଣେ ଫାର୍ମାସିଷ୍ଟ । ଭାରତୀୟ ବଂଶୋଦ୍ଭବ ବିନିଙ୍କ ପରିବାର ଅଷ୍ଟ୍ରେଲିଆରେ ଦୀର୍ଘ ବର୍ଷ ହେବ ରହି ଆସୁଛନ୍ତି । ତେବେ ୨୦୧୩ ମସିହାରେ ବିନିଙ୍କ ସହ ମ୍ୟାକ୍ସୱେଲଙ୍କର ଏକ ଇଭେଣ୍ଟରେ ଭେଟ ହୋଇଥିଲା । ଆଉ ପ୍ରଥମ ଦେଖାରେ ହିଁ ବିନିଙ୍କ ପ୍ରେମରେ ପଡିଥିଲେ ମ୍ୟାକ୍ସୱେଲ । ପରବର୍ତ୍ତୀ ସମୟରେ କଥାବାର୍ତ୍ତା ଆଗକୁ ବଢିବା ୨୦୧୭ ମସିହାରୁ ପରସ୍ପରକୁ ଡେଟ କରିବା ଆରମ୍ଭ କରିଥିଲେ ବିନି ଓ ମ୍ୟାକ୍ସୱେଲ । ଆଉ କିଛି ଦିନର ମିଳାମିଶା ପରେ ମ୍ୟାକ୍ସୱେଲ ହିଁ ପ୍ରଥମେ ବିନିଙ୍କୁ ପ୍ରେମ ନିବେଦନ କରିଥିଲେ । ଆଉ ମ୍ୟାକ୍ସୱେଲଙ୍କ ଏହି ପ୍ରେମ ନିବେଦନକୁ ଗ୍ରୀନ୍ ସିଗନାଲ ଦେଇଥିଲେ ବିନି ।

ଗତ ୨୦୨୦ ଫେବ୍ରୁଆରୀ ୨୧ରେ ବିନି ଓ ମ୍ୟାକ୍ସୱେଲଙ୍କର ନିର୍ବନ୍ଧ ହୋଇଥିଲା । ଆଉ ଏହି ଉତ୍ସବରେ ଉଭୟ ମ୍ୟାକ୍ସୱେଲ ଓ ବିନିଙ୍କୁ ଭାରତୀୟ ପୋଷାକରେ ଦେଖିବାକୁ ମିଳିଥିଲା । ବିନି ଏକ ଲେହେଙ୍ଗା ପିନ୍ଧିଥିବା ବେଳେ ମ୍ୟାକ୍ସୱେଲଙ୍କୁ ପଞ୍ଜାବୀ କୁର୍ତ୍ତାରେ ଦେଖିବାକୁ ମିଳିଥିଲା । ଯେହେତୁ ବିନି ଭାରତୀୟ ବଂଶୋଦ୍ଭବ ତେଣୁ ନିର୍ବନ୍ଧ ଭାରତୀୟ ପରମ୍ପରା ଅନୁସାରେ ହୋଇଥିଲା । ସେତେବେଳେ କରୋନା ଗାଇଡଲାଇନ କଡାକଡି ଥିବା କାରଣରୁ ବାରମ୍ବାର ବିବାହ ତାରଖକୁ ଘୁଞ୍ଚାଇ ଦିଆଯାଇଥିଲା ।

ଏବେ କରୋନା କଟକଣା କୋହଳ ଥିବା କାରଣରୁ ଆସନ୍ତା ଫେବ୍ର୍ରୁଆରୀ-ମାର୍ଚ୍ଚ ମଧ୍ୟରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି ଉଭୟ ମ୍ୟାକ୍ସୱେଲ ଓ ବିନି । ଯେଉଁଥିପାଇଁ ପାକିସ୍ତାନ ଗସ୍ତରେ ଟିମ୍ ସହ ଯାଇନପାରନ୍ତି ମ୍ୟାକ୍ସୱେଲ । ବିନିଙ୍କ ହାତ ଧରିବା ସହ ଭାରତୀୟ ବଂଶୋଦ୍ଭବ ଯୁବତୀଙ୍କୁ ବିବାହ କରିବାରେ ଦ୍ୱିତୀୟ ଅଷ୍ଟ୍ରେଲୀୟ କ୍ରିକେଟର ପାଲଟିଯିବେ ମ୍ୟାକ୍ସୱେଲ । ଏହାପୂର୍ବରୁ ଅଷ୍ଟ୍ରେଲୀୟ କ୍ରିକେଟର ସନ୍ ଟେଟ୍ ଭାରତର ଜଣାଶୁଣା ମଡେଲ ମାସୁମ ସିଂଘାଙ୍କୁ ୨୦୧୪ରେ ବିବାହ କରିଥିଲେ ।