ବଜାରକୁ ଆସିଲା ଗ୍ଲେନମାର୍କ କମ୍ପାନୀର କରୋନା ଔଷଧ । କମ୍ପାନୀର ଦାବି, କମ୍ ଓ ମଧ୍ୟମ ଧରଣର ଆକ୍ରାନ୍ତ ହୋଇପାରିବେ ଉପକୃତ । ଗୋଟିଏ ବଟିକାର ଦାମ ୧୦୩ ଟଙ୍କା; ଡାକ୍ତର କହିଲେ, ଔଷଧ ବ୍ୟବହାର ପାଇଁ ମିଳି ସାରିଛି ଆଇସିଏମଆର ଅନୁମତି ।

1,764

କନକ ବ୍ୟୁରୋ: କରୋନା ଭୂତାଣୁର ଉପଚାର ପାଇଁ ସାରା ବିଶ୍ୱର ବିଭିନ୍ନ ଦେଶ ଉଦ୍ୟମ ଜାରି ରଖିଥିବା ବେଳେ ଭାରତ ଏକ ବଡ଼ ଉପଲବ୍ଧୀ ହାସଲ କରିଛନ୍ତି । ଭାରତୀୟ ଔଷଧ ନିର୍ମାତା କମ୍ପାନୀ ଗ୍ଲେନମାର୍କ କରୋନା ରୋଗର ଚିକିତ୍ସା ପାଇଁ ବଜାରକୁ ଆଣିଛି ଔଷଧ । ଏହି ଔଷଧର ନାଁ ରହିଛି ଫାବି-ଫ୍ଲୁ । କମ୍ପାନୀ ଦାବି କହିଛି- କରୋନା ଭୁତାଣୁ ଦ୍ୱାରା କମ୍ କିମ୍ବା ମଧ୍ୟମ ଧରଣର ଆକ୍ରାନ୍ତ ହୋଇଥିଲେ ଏହି ଔଷଧ ଖାଇପାରିବେ । ଏହା ୮୮ ପ୍ରତିଶତ ଯାଏଁ ଫଳପ୍ରଦ ବୋଲି କଂପାନୀ ପକ୍ଷରୁ କୁହାଯାଇଛି ।

କରୋନା ଔଷଧ ଫାବି-ଫ୍ଲୁ । ଡାକ୍ତରଙ୍କ ପରାମର୍ଶକ୍ରମେ ଏହି ଔଷଧକୁ ଖାଇ ପାରିବେ କରୋନା ରୋଗୀ । ଯେଉଁ ରୋଗୀ, କରୋନା ଭୂତାଣୁ ଦ୍ୱାରା କମ୍ କିମ୍ବା ମଧ୍ୟମ ଧରଣର ଆକ୍ରାନ୍ତ ହୋଇଥିବେ ଏହି ଔଷଧ ଖାଇଲେ ଉପକୃତ ହୋଇପାରିବେ ବୋଲି ଭାରତୀୟ ଔଷଧ ନିର୍ମାତା କମ୍ପାନୀ ଗ୍ଲେନମାର୍କ ଦାବି କରିଛି ।

ଜାଣନ୍ତୁ ଏହି ଔଷଧର ଦାମ କେତେ ଏବଂ କେମିତି ଖାଇବେ?
– ୨ଶହ ମିଲିଗ୍ରାମର ଗୋଟିଏ ଔଷଧର ଦାମ ହେଉଛି ୧୦୩ ଟଙ୍କା
– ଗୋଟିଏ ଷ୍ଟ୍ରିଫ୍ରେ ୩୪ଟି ବଟିକା ରହୁଛି, ଯାହା ମୂଲ୍ୟ ୩, ୫୦୦ ଟଙ୍କା
-ପ୍ରଥମ ଦିନରେ ୧୮ଶହ ମିଲିଗ୍ରାମର ଔଷଧ ଦୁଇ ଥର ଖାଇବାକୁ ପଡିବ
-ଏହା ପରେ ୮ଶହ ମିଲିଗ୍ରାମ ଯାଏଁ ୧୪ ଦିନ ଯାଏଁ ଖାଇବାକୁ ପଡ଼ିବ

ମୁମ୍ବାଇର ଏହି ଗ୍ଲେନମାର୍କ କମ୍ପାନୀର ଔଷଧ ଫାବି-ଫ୍ଲୁ କୁ ଡ୍ରଗ୍ କଂଟ୍ରୋଲ ଜେନେରାଲଙ୍କ ଅନୁମତି ମିଳିଥିବା ବେଳେ ଏହାର ବିକ୍ରିକୁ ମଧ୍ୟ ସବୁଜ ସଂକେତ ମିଳିସାରିଛି । ଏହି ଔଷଧର ବ୍ୟବହାରିକ ପରିକ୍ଷଣ ପରେ କଂପାନୀ କହିଛି- ଔଷଧ ୮୮ ପ୍ରତିଶତ ଯାଏଁ ଫଳପ୍ରଦ ହୋଇପାରିବ । ଭାରତରେ ଧିରେ ଧିରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବି ବଢୁଛି । ଆଉ ଏଭଳି ଏକ ଘଡିସନ୍ଧୀ ମୁହୂର୍ତରେ କରୋନାର ଏଭଳି ଏକ ଉପଚାର ବେଶ ସହାୟକ ହେବ ବୋଲି ଆଶା କରାଯାଉଛି ।