ମୌସୁମୀ ଅଧିବେଶନ ପୂର୍ବରୁ ବଦଳିଲା ବିଧାନସଭାର ରୂପରେଖ, ପ୍ରତ୍ୟେକ ସଦସ୍ୟଙ୍କ ସିଟ୍ ଆଗରେ ଲାଗିଲା କାଚ ।

97

କନକ ବ୍ୟୁରୋ : ଆସନ୍ତା ୨୯ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । କରୋନା ସମୟରେ ଏହି ଅଧିବେଶନ ବସୁଥିବାରୁ ସୁରକ୍ଷା ପାଇଁ ପ୍ରତ୍ୟେକ ବିଧାୟକଙ୍କ ସିଟ୍ ଆଗରେ କାଚ ଲଗାଯାଉଛି । ପ୍ରଥମ ଥର ପାଇଁ ଗୃହରେ କାଚବକ୍ସର ବ୍ୟବସ୍ଥା କରାଯାଇଛି । ଯାହାଦ୍ୱାରା କୌଣସି ସଦସ୍ୟ କାହା ସଂସ୍ପର୍ଶରେ ଆସିପାରିବେ ନାହିଁ । ଗୃହରେ କାଚ ଲଗାଯାଉଥିବା ବେଳେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବୁଲି ଦେଖିଛନ୍ତି । ମହାମାରୀ ସମୟରେ ବିଧାନସଭା ଅଧିବେଶନ ବସୁଥିବାରୁ ଗୃହର ସଦସ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହାଛଡା କିଛି ବିଧାୟକ ମଧ୍ୟ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବାରୁ ଗୃହ ଭିତରେ ଏଭଳି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ବିଧାନସଭା ଅଧିବେଶନ ପୂର୍ବରୁ ଆସନ୍ତା ୨୫ ତାରିଖରେ ସର୍ବଦଳୀୟ ବୈଠକ ହେବ । ତେବେ ଏହି ବୈଠକରେ କୋଭିଡ ମହାମାରୀ ସମୟରେ ବିଧାନସଭା କେମିତି ଚାଲିବ, କଣ ସବୁ ଗାଇଡଲାଇନ୍ ରହିବ ଏବଂ ପ୍ରଶ୍ନକାଳ-ଉତ୍ତରକାଳ ଓ ଶୂନ୍ୟକାଳ ରହିବ କି ନାହିଁ ବୈଠକରେ ଆଲୋଚନା କରାଯିବ । ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ବସୁଛି ରାଜ୍ୟ ବିଧାନସଭା ଅଧିବେଶନ । କିନ୍ତୁ କରୋନା ମହାମାରୀ ପାଇଁ ବିଧାନସଭା ଗୃହରେ ପ୍ରଶ୍ନକାଳ ନରହିବା ନେଇ ଚର୍ଚ୍ଚା ହେଉଥିଲା । ଏପରିକି ଏହାକୁ ବିରୋଧ ମଧ୍ୟ କରାଯାଉଥିଲା । ବିଧାନସଭାରେ ଯଦି ପ୍ରଶ୍ନ କାଳ ନରହିବ ତେବେ ଗୃହ ବର୍ଜନ କରିବୁ ବୋଲି ଚେତାବନୀ ଦେଇଥିଲା କଂଗ୍ରେସ ।