କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପାଇଁ ଗାଁ-ଗଣ୍ଡାରେ ଜମୁଛି ପ୍ରଚାର । ପ୍ରାର୍ଥୀ ଘର ଘର ବୁଲି ନିଜ ଚିହ୍ନରେ ଭୋଟ ଦେବାକୁ ଭୋଟରଙ୍କୁ ନିବେଦନ କରୁଛନ୍ତି । ଚଳିତ ନିର୍ବାଚନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ଉଚ୍ଚଶିକ୍ଷିତ, ଡାକ୍ତର, ଶିଳ୍ପପତି ସମେତ ଗ୍ଲାମର୍ସ ଦୁନିଆର ପରିଚିତ ଚେହେରା । ଭିନ୍ନ୍ ଭିନ୍ନ ଶୈଳୀରେ ଭୋଟରଙ୍କୁ ମନେଇବାକୁ ଉଦ୍ୟମ ମଧ୍ୟ କରୁଛନ୍ତି ।

Advertisment

ଗ୍ଲାମରସ୍ ଦୁନିଆରୁ ଗାଁ ରାଜନୀତି

ଗ୍ଲାମର ଦୁନିଆର ପରିଚିତ ଚେହେରା ବଲାଙ୍ଗୀରର ପ୍ରିୟଙ୍କା ନନ୍ଦ ଘରକୁ ଘର ବୁଲି ଭୋଟ ମାଗୁଛନ୍ତି । ଗାଁ ସମସ୍ୟା ଦୂର କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି । ଚୂଡାପାଲି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ପ୍ରିୟଙ୍କା । ଭୋପାଳରେ ପାଠ ପଢିବା ସହ ମଡେଲିଂ ଦୁନିଆରେ ନିଜକୁ ବେଶ୍ ପ୍ରତିଷ୍ଠିତ କରିପାରିଛନ୍ତି ବଲାଙ୍ଗିରର ଏହି ଝିଅ । ଫ୍ଲିପ୍କାର୍ଟ, ଆମାଜନ୍, ନାୟିକା, ମାନ୍ୟବର ଭଳି ନାମୀଦାମୀ କମ୍ପାନୀରେ ମଡେଲିଂ କରିସାରିଛନ୍ତି । ହେଲେ ଗାଁର ବିଭିନ୍ନ ସମସ୍ୟା ତାଙ୍କୁ ଗ୍ଲାମର ଦୁନିଆ ଓ ମେଟ୍ରୋ ସିଟିରୁ ଟାଣି ଆଣିଛି ।

ଜିଅନ୍ତା ମାଛ ଧରି ଭୋଟ ଭିକ୍ଷା

ନବରଙ୍ଗପୁରର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାଗବତୀ ଭତ୍ରା ଏବେ ସରପଞ୍ଚ ପ୍ରାର୍ଥୀ । ହେଲେ ରୋଚକ ହେଉଛି ତାଙ୍କ ପ୍ରଚାର ଶୈଳୀ । କାରଣ ସରପଞ୍ଚ ପ୍ରାର୍ଥୀ ଭାବେ ତାଙ୍କୁ ନିର୍ବାଚନୀ ଚିହ୍ନ ମାଛ ମିଳିଥିବାରୁ ସେ ଜୀଅନ୍ତା ମାଛ ଧରି ଘରକୁ ଘର ବୁଲି ଭୋଟ ମାଗୁୁଛନ୍ତି ।

ସେପଟେ ରୋଗୀ ସେବା ମାଧ୍ୟମରେ ନିର୍ବାଚନ ପ୍ରଚାର କରୁଛନ୍ତି ସରପଞ୍ଚ ପ୍ରାର୍ଥୀ ଡାକ୍ତର ନଗେନ୍ଦ୍ର କୁମାର ସିଂ । ବସ୍ତା ନାବରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ନଗେନ୍ଦ୍ରଙ୍କ ଏହି ପ୍ରଚାର ଶୈଳୀ ଅଞ୍ଚଳରେ ଚର୍ଚ୍ଚାରେ ରହିଛି । ପ୍ରଚାରର ଯାଉଥିବା ବେଳେ ଔଷଧ, ଚିକିତ୍ସା ସମ୍ପର୍କୀୟ ଉପକରଣ ଧରି ଯାଉଛନ୍ତି । ଅସୁସ୍ଥ ଲୋକଙ୍କୁ ମାଗଣା ଚିକିତ୍ସା କରିବା ସହ ଔଷଧ ଦେଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।

ଅନ୍ୟପଟେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ବରୁଣଡିଆ ପଞ୍ଚାୟତରେ ସରପଞ୍ଚ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଅବସରପ୍ରାପ୍ତ ସେନା ଅଧିକାରୀ କ୍ୟାପେଟେନ୍ ଦୁର୍ଯ୍ୟୋଧନ ମହାନ୍ତି । କ୍ୟାପଟେନ୍ ପଞ୍ଚାୟତର ବିକାଶ ଓ ଖରସ୍ରୋତା ପାଣି ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି । ନିର୍ବାଚନ ମୈଦାନରେ ତାଙ୍କୁ ଟକ୍କର ଦେଉଛନ୍ତି ଯୁବ ଶିଳ୍ପପତି ସନ୍ତୋଷ କର । ତେବେ ଭୋଟରଙ୍କୁ ଆକୃଷ୍ଟ କରି ଜନମତକୁ ନିଜ ସପକ୍ଷକୁ ଆଣିବା ପାଇଁ ପ୍ରାର୍ଥୀଙ୍କ ଭିନ୍ନ ଶୈଳୀରେ ପ୍ରଚାର ଚର୍ଚ୍ଚାରେ ରହିଛି । ହେଲେ ଭିନ୍ନ ଶୈଳୀରେ ପ୍ରଚାର ପ୍ରାର୍ଥୀଙ୍କ ବିଜୟରେ କେତେ ସହାୟକ ହେବ ସମୟ କହିବ ।