କିଭଳି ସୃଷ୍ଟି ହୁଏ ଗ୍ଲାସିୟର ? ଦେଖନ୍ତୁ କ’ଣ ରହିଛି ଗ୍ଲାସିୟର ଫାଟିବା ପଛର କାରଣ ।

220

କନକ ବ୍ୟୁରୋ : ପାହାଡରୁ ଖସିଲା ପ୍ରଳୟ । ଦେଶ ଦେଖିଲା ପ୍ରକୃତିର ମହାପ୍ରକୋପ । ପ୍ରକୃତିର ଏମିତି କରାଳ ରୂପ ପୂରା ଉତରାଖଣ୍ଡକୁ ଦୋହଲାଇ ଦେଇଛି । ଉତରାଖଣ୍ଡ ଚମୋଲି ଜିଲ୍ଲା ଅନ୍ତର୍ଗତ ତପୋବନ ଅଂଚଳରେ ଗ୍ଲାସିୟର ଫାଟି ଅତଡା ଧସିବା ପରେ ପାଣି ସୁଅରେ ଧୋଇ ହୋଇଯାଇଛି ଋଷିଗଙ୍ଗାରେ ତିଆରି ହୋଇଥିବା ଏନଟିପିସି ପ୍ଲାଂଟ । ହଜି ଯାଇଛି ଶହ ଶହ ନଦୀକୂଳିଆ ଘର । ସ୍ଥିତି ଏମିତି ହୋଇଛି, ଏବେ କେଉଁଠି ଘର, କେଉଁଠି ପ୍ରକଳ୍ପ ଥିଲା, ତାହା ଚିହ୍ନିବା ବି ମୁସ୍କିଲ୍ । ଜଳପ୍ରଳୟରେ ଶତାଧିକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି ।

ଦୀର୍ଘ ୭ ବର୍ଷ ପରେ ଉତରାଖଣ୍ଡର ଚମୋଲିରେ ପୁଣି ଥରେ ଦେଖିବାକୁ ମିଳିଛି ପ୍ରକୃତିର ଭୟାନକ ରୂପ । ଗ୍ଲାସିୟର ଫାଟି ଅଚାନକ ବଡ଼ ବନ୍ୟା ଆସିବାରୁ ଅନେକ ବସତି ଛାରଖାର ହୋଇଯାଇଛି, କେତେକ ପୋଲ ମଧ୍ୟ ଭାଙ୍ଗିଯାଇଛି । ତେବେ କେଉଁଠି ନା କେଉଁଠି ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ଯେ ଏହି ଗ୍ଲାସିୟର କିଭଳି ସୃଷ୍ଟି ହୁଏ ଏବଂ ଏହା ଫାଟେ କାହିଁକି । ଆସନ୍ତୁ ଜାଣିବା ଗ୍ଲାସିୟରର ସୃଷ୍ଟି ନେଇ ପୂରା ତଥ୍ୟ ।

ପାହାଡର ଶିଖରରେ ବର୍ଷ ତମାମ ଗୋଟିଏ ସ୍ଥାନରେ ବରଫପାତ ଯୋଗୁଁ ସୃଷ୍ଟି ହୋଇଥାଏ ଗ୍ଲାସିୟର । ଗ୍ଲାସିୟର ୨ ପ୍ରକାର ଥାଏ । ତାହା ହେଉଛି, ଅଲପାଇନ୍, ଏବଂ ଆଇସ୍ ସିଟ୍ସ ଅର୍ଥାତ ବରଫ ଚଟାଣ । ପାହାଡର ଗ୍ଲାସିୟରକୁ ଅଲପାଇନ୍ ଶ୍ରେଣୀଭୁକ୍ତ କରାଯାଇଛି । ଗ୍ଲାସିୟର ଫାଟିବାର ପ୍ରମୁଖ କାରଣ ହେଉଛି ମାଧ୍ୟାକର୍ଷଣ ବଳ । ଗ୍ଲାସିୟର ଚଟାଣର ବିଭିନ୍ନ କୋଣରେ ଚଳନ ଏବଂ ତାପାୟନ ବୃଦ୍ଧି ଯୋଗୁଁ ବରଫ ଦ୍ରୁତ ଗତିରେ ତରଳିବା ଆରମ୍ଭ ହୋଇଥାଏ । ଏବଂ ଏହାର ବିଭିନ୍ନ ଭାଗ ଭାଙ୍ଗି ଅଲଗା ହୋଇଯାଏ ।

ଏହି ବିଶାଳ ବରଫ ଖଣ୍ଡ ଯେତେବେଳେ ଗ୍ଲାସିୟର ଭିତରେ ପ୍ରବାହିତ ହୁଏ, ସେତେବେଳେ ବରଫ ଅତି ଦ୍ରୁତଗତିରେ ତରଳିବା ଆରମ୍ଭ କରିଥାଏ । ଆଉ ଏହା ଦ୍ୱାରା ଅଚାନକ ନଦୀ ଗୁଡିକରେ ବନ୍ୟା ଆସିଯାଏ । ଏହି ସମୟରେ ସ୍ରୋତ ଅତି ପ୍ରଖର ରହୁଥିବାରୁ ବଡ଼ ବିପର୍ଯ୍ୟୟ ସୃଷ୍ଟି ହେଉଥିବାର ଅନେକ ନଜିର ରହିଛି ।