କନକ ବ୍ୟୁରୋ : ପୁଣି ତେଜିଲା ଚାଉଳ ରାଜନୀତି । କେନ୍ଦ୍ରକୁ ଚିଠି ଲେଖି ଗହମ ନ ଦେଇ ଓଡ଼ିଶାକୁ ଶହେ ପ୍ରତିଶତ ଚାଉଳ ଯୋଗାଇବାକୁ ଦାବି କରିଛି ଓଡ଼ିଶା । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟର ହିତାଧିକାରୀଙ୍କୁ ଶହେ ପ୍ରତିଶତ ଚାଉଳ ଯୋଗାଇ ଦେବାକୁ ଦାବି ହୋଇଛି । ଆଉ ଏହି ନୂଆ ଦାବି କେନ୍ଦ୍ର ରାଜ୍ୟ ମଧ୍ୟରେ ଆଉ ଏକ ବିବାଦକୁ ସାମ୍ନାକୁ ଆଣିବାକୁ ଯାଉଛି ।
କେନ୍ଦ୍ରକୁ ରାଜ୍ୟ ଲେଖିଥିବା ଚିଠି ଯେଉଁଥିରେ ରାଜ୍ୟକୁ ଶହେ ପ୍ରତିଶତ ଚାଉଳ ଦେବାକୁ ଦାବି କରି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଆଉ ଏହି ନୂଆ ଦାବି କେନ୍ଦ୍ର ରାଜ୍ୟ ମଧ୍ୟରେ ଆଉ ଏକ ବିବାଦକୁ ସାମ୍ନାକୁ ଆଣିବାକୁ ଯାଉଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟ ହିତାଧୀକାରୀଙ୍କୁ ଏଭଳି ସୁବିଧା ଦେବାକୁ ରଣେନ୍ଦ୍ର ଦାବି ରଖିଛନ୍ତି । ଚିଠିରେ କୁହାଯାଇଛି,
-ଓଡିଆ ଲୋକଙ୍କ ମୁଖ୍ୟ ଖାଦ୍ୟ ହେଉଛି ଭାତ
-ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଗହମ ଯୋଗାଣ ଯଥାର୍ଥ ନୁହେଁ
-ଏହାଦ୍ୱାରା ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଛି
-ଗ୍ରାମାଞ୍ଚଳରେ ଅଟାକଳ ନଥିବାରୁ ଲୋକେ ହଇରାଣ ହେଉଛନ୍ତି
-ଓଡିଶାକୁ ୮୬-୧୪ ପ୍ରତିଶତ ହାରରେ ଚାଉଳ ଓ ଗହମ ମିଳୁଛି
-ଆସାମ, ଗୋଆ , ଆନ୍ଧ୍ର ଓ ତେଲେଙ୍ଗାନା ଭଳି ରାଜ୍ୟକୁ ଶହେ ପ୍ରତିଶତ ଚାଉଳ ଦିଆଯାଉଛି
ତେଣୁ ଏହାକୁ ପରିବର୍ତନ କରି ଗହମ ବଦଳରେ ଚାଉଳ ଦେବାକୁ ଦାବି କରିଛି ଓଡିଶା ।
କେବଳ ଚିଠି ଲେଖିଲେ ହେବ କି ସମସ୍ୟାର ସମାଧାନ? ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଫର୍ମୁଲାକୁ ଆପଣେଇବ କି ରାଜ୍ୟ? କାରଣ କେନ୍ଦ୍ରର ଧାନ ସଂଗ୍ରହ ନୀତିକୁ ବିରୋଧ କରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଆନ୍ଦୋଳନ ଏବେ ଚର୍ଚ୍ଚାରେ ରହିଛି । ତେଲେଙ୍ଗାନାର ଚାଷୀ ମାନଙ୍କ ଠାରୁ ଧାନ କିଣନ୍ତୁ କେନ୍ଦ୍ର ସରକାର ବୋଲି ଦାବି କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ଏପରିକି ଏହି ପ୍ରସଙ୍ଗରେ ଦିଲ୍ଲୀରେ ଧାରଣାରେ ବସି ୨୪ ଘଂଟାର ଅଲଟିମେଟମ ଦେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । କିନ୍ତୁ ପଂଚାୟତ ନିର୍ବାଚନ ପୂର୍ବରୁ ଚାଷୀଙ୍କ ପ୍ରସଙ୍ଗ ଉଠାଇ ରାଜରାସ୍ତାକୁ ଆସିଥିଲା ବିଜେଡି । ସଂସଦରେ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଟାର୍ଗେଟ କରିଥିଲା । କିନ୍ତୁ ଏବେ ଏହି ଦାବିକୁ ଆହୁରି ଶାଣିତ କରିବ କି ବିଜେଡି । ଏଠାରେ ପ୍ରଶ୍ନ ଉଠୁଛି ଚିଠି ଲେଖା, ପ୍ରତିବାଦ ଓ ଧାରଣା ଭିତରେ ରାଜ୍ୟର ଦାବି ପୂରଣ ହେବ କି ?