ଆୟକର ବିଭାଗର ନୂଆ ଯୋଜନା ! କଳାଧନ ବାବଦରେ ସୂଚନା ଦେଲେ ସୂଚନାଦାତାଙ୍କୁ ନଗଦ ମିଳିବ ୫ କୋଟି ଟଙ୍କା

37

କଳାଧନ ଜମାକାରୀଙ୍କ ବିଷୟରେ ସୂଚନା ଦିଅନ୍ତୁ ୫ କୋଟି ଟଙ୍କାର ପୁରସ୍କାର ପାଆନ୍ତୁ । କଳାଧନ ଖୋଜିବା ପାଇଁ ଇନକମ ଟ୍ୟାକ୍ସ ବିଭାଗ ଆପଣାଇଛି ନୁଆ ଫର୍ମୁଲା । ଆଉ ଏହି ଫର୍ମୁଲା ଅନୁଯାୟୀ, କେନ୍ଦ୍ରୀୟ ପତ୍ୟେକ୍ଷ ଟିକସ ବୋର୍ଡ ଦେଶ ଭିତରେ ଓ ବାହାରେ ଥିବା କଳାଧନକୁ ଖୋଜିବା ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିଛି । ଆୟକର ସୂଚନାଦାତା ପୁରସ୍କାର ଯୋଜନା ୨୦୧୮ ଅନୁଯାୟୀ, ଯଦି ସୂଚନାଦାତା କାହାର ଦେଶ ଭିତରେ ମହଜୁଦ ଥିବା କଳାଧନ ବାବଦରେ ଆୟକର ବିଭାଗକୁ ସୂଚନା ଦିଅନ୍ତି, ତେବେ ଆୟକର ବିଭାଗ ସଂପୃକ୍ତ ସୂଚନାଦାତାଙ୍କୁ ୫ କୋଟି ଟଙ୍କା ପର୍ୟ୍ୟନ୍ତ ଅର୍ଥରାଶି ପୁରସ୍କାର ଆକାରରେ ପ୍ରଦାନ କରିବ ବୋଲି ଘୋଷଣା କରିଛି। ଗତ ମଙ୍ଗଳବାର ଠାରୁ ଏହି ନୂଆ ଯୋଜନା ଲାଗୁ କରାଯାଇଛି ।

ଅନ୍ୟପକ୍ଷରେ ଯଦି କୌଣସି ଭାରତୀୟ ଦେଶ ବାହାରେ ଅର୍ଥାତ ବିଦେଶରେ ନିଜର କଳାଧନକୁ ମହଜୁଦ ରଖିଥାଆନ୍ତି ଏବଂ ସେ ସଂପର୍କିତ ସୂଚନା ଯଦି କୌଣସି ସୂଚନାଦାତା ଆୟକର ବିଭାଗକୁ ଦିଅନ୍ତି, ତେବେ ସେ କ୍ଷେତ୍ରରେ ଆୟକର ବିଭାଗ ସୂଚନାଦାତାଙ୍କୁ ୫ କୋଟିରୁ ଅଧିକ ନଗଦ ଅର୍ଥ ସୁଦ୍ଧା ପୁରସ୍କାର ଆକାରରେ ପ୍ରଦାନ କରିବ ବୋଲି ଏହି ଘୋଷଣାନାମାରେ ଉଲ୍ଲେଖ କରିଛି।

ଯଦି କୌଣସି ବ୍ୟକ୍ତି ଆୟକର ଫାଙ୍କିବା ଉଦ୍ଦେଶ୍ୟରେ ବେନାମୀ ସଂପତ୍ତି କିଣି ଥାଆନ୍ତି ଅବା ବିଦେଶରେ ଘର ଓ ସଂପତ୍ତି କିଣିବା ସହ ବିଦେଶୀ ବ୍ୟାଙ୍କରେ ନିଜର କଳାଧନକୁ ମହଜୁଦ୍ କରି ରଖିଥାଆନ୍ତି, ଏବଂ ସୂଚନାଦାତା ଯଦି ଏସବୁର ସୂଚନା ଆୟକର ବିଭାଗକୁ ଦିଅନ୍ତି, ତେବେ ସେ କ୍ଷେତ୍ରରେ ଆୟକର ବିଭାଗ ସଂପୃକ୍ତ ସୂଚନାଦାତାଙ୍କୁ ଏହି ପୁରସ୍କାର ରାଶି ପ୍ରଦାନ କରିବ ବୋଲି ଘୋଷଣା କରିଛି। ଏହି ଯୋଜନା କାର୍ୟ୍ୟକାରୀ ହେଲେ ଦେଶ ଭିତରେ ଓ ବାହାରେ ମହଜୁଦ୍ ଥିବା ବିପୁଳ ପରିମାଣର କଳାଧନ ପଦାକୁ ଆସିପାରିବ ବୋଲି ଆୟକର ବିଭାଗ ଆଶା ପ୍ରକାଶ କରିଛି।

ବେନାମୀ ବିଦେଶୀ ସମ୍ପତ୍ତି :
ପ୍ରଥମ ଥର ପାଇଁ କୌଣସି ବ୍ୟକ୍ତି ଟିକସ ଫାଙ୍କିବା ପାଇଁ ବିଦେଶରେ କିମ୍ବା ଅନ୍ୟ କେଉଁଠି ସମ୍ପତ୍ତି କିଣିଥାନ୍ତି ସେ ବିଷୟରେ ସୂଚନା ଦେଲେ ସୂଚନାଦାତାଙ୍କୁ ଗାଇଡଲାଇନ ଅପେକ୍ଷା ଅଧିକ ଟଙ୍କା ପୁରସ୍କାର ଦିଆଯିବ । ବେନାମୀ ସମ୍ପତ୍ତି ବିଷୟରେ ସୂଚନା ଦେଲେ ଦୁଇଟି ପର୍ଯ୍ୟାୟରେ ସୂଚନାଦାତଙ୍କୁ ପୁରସ୍କାର ଦିଆଯିବ । ପ୍ରଥମେ ବେନାମୀ ଟଙ୍କା ସୂଚନା ବାବଦକୁ ସୂଚନାଦାତାଙ୍କୁ ପ୍ରାଥମିକ କିଛି ଟଙ୍କା ପୁରସ୍କାର ଦିଆଯିବ ଠିକ୍ ସେହିଭଳି ସମସ୍ତ ସମ୍ପତ୍ତି ଜବତ ହେବା ପରେ ପୁର୍ନବାର ପୁରସ୍କାର ଦିଆଯିବ । ପ୍ରାଥମିକ ପର୍ଯ୍ୟାୟରେ ଜବତ ହୋଇଥିବା ବେନାମୀ ସମ୍ପତ୍ତିର ୩ ପ୍ରତିଶତ ସୂଚନାଦାତାଙ୍କୁ ଦିଆଯିବ । ତେବେ ଏହି ପୁରସ୍କାର ସୀମା ରାଶି ପ୍ରାଥମିକ ପର୍ଯ୍ୟାରେ ଅଧିକ ହେବ ନାହିଁ । ତେବେ ସମସ୍ତ ବେନାମୀ ସମ୍ପତ୍ତି ଜବତ ହେବା ପରେ ପୁରସ୍କାର ରାଶି ୧୦ ପ୍ରତିଶତକୁ ବୃଦ୍ଧି କରାଯାଇ ସୂଚନାଦାତାଙ୍କୁ ଦିଆଯିବ । କିନ୍ତୁ ଶେଷ ପର୍ଯ୍ୟାୟରେ ସର୍ବାଧିକ ୫ କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି ।

ଭାରତରେ ଥିବା ବେନାମୀ ସମ୍ପତ୍ତି ବିଷୟରେ ଜଣାଇଲେ :
ଭାରତରେ ଟିକସ ଫାଙ୍କୁଥିବା ବ୍ୟକ୍ତିଙ୍କ ବିଷୟରେ ଜଣାଇଲେ ପ୍ରାଥମିକ ପର୍ଯ୍ୟାୟରେ ସୂଚନାଦାତଙ୍କୁ ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦିଆଯିବ । କିନ୍ତୁ ଯଦି ଜବତ ବେନାମୀ ସମ୍ପତ୍ତିର ମୂଲ୍ୟ ୧ କୋଟିରୁ ଉଦ୍ଧ୍ୱର୍ ହୋଇଥିବ ତେବେ ସୂଚନାଦାତାଙ୍କୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଦିଆଯାଇ ପାରିବ । ଏହାଛଡା ବେନାମୀ ସମ୍ପତ୍ତି ଜବତର ଶେଷ ପର୍ଯ୍ୟାୟରେ ପୁରସ୍କାର ସ୍ୱରୂପ ଜବତ ସମ୍ପତିର ୫ ପ୍ରତିଶତ ସୂଚନାଦାତାଙ୍କୁ ପୁରସ୍କାର ପିଆଯିବ । କିନ୍ତୁ ଏହି ପୁରସ୍କାର ୫୦ ଲକ୍ଷରୁ ଅଧିକ ହେବ ନାହିଁ ଘୋଷଣା କରାଯାଇଛି ।