୮ ମାସରେ ଖବରକାଗଜ ଶିଳ୍ପ ସହିଲାଣି ୧୨,୫୦୦ କୋଟିର କ୍ଷତି । ତୁରନ୍ତ ଆର୍ଥିକ ପ୍ୟାକେଜ୍ ଘୋଷଣା କରିବାକୁ ସରକାରଙ୍କୁ ଅନୁରୋଧ କଲା ଆଇଏନଏସ୍

134

କନକ ବ୍ୟୁରୋ : କରୋନା ମହାମାରୀ ପାଇଁ ସରକାର ଯେଭଳି ଭାବେ ଲକ୍ ଡାଉନ ଓ ସଟଡାଉନ କଲେ ତାହା ଦ୍ୱାରା ଦେଶର ସମସ୍ତ ଶିଳ୍ପ ପ୍ରାୟ କ୍ଷତି ସହୁଛି । ଏହାରି ମଧ୍ୟରେ ଦୈନିକ ଦେଶବାସୀଙ୍କୁ ଦେଶ ବିଦେଶର ଖବର ଜଣାଉଥିବା ଖବରକାଗଜ ଶିଳ୍ପ ବି ଅହେତୁକ ଭାବେ କ୍ଷତି ସହିଛି । ଏକ ସଂସ୍ଥାର ସର୍ବେକ୍ଷଣ ମୁତାବକ ଲକଡାଉନ ଯୋଗୁଁ ଗତ ୮ ମାସ ମଧ୍ୟରେ ଦେଶର ଖବର କାଗଜ ଶିଳ୍ପ ପ୍ରାୟ ୧୨,୫୦୦ କୋଟି ଟଙ୍କାର କ୍ଷତି ସହି ଆର୍ଥିକ ସଂକଟ ମଧ୍ୟରେ ଗତି କରୁଛି । ଏଭଳି ସଂକଟରୁ ଖବରକାଗଜ ଶିଳ୍ପକୁ ବଞ୍ଚାଇବା ପାଇଁ ସରକାର ସହାୟତା ପ୍ୟାକେଜ୍ ଘୋଷଣା କରନ୍ତୁ ବୋଲି ଇଣ୍ଡିଆନ ନ୍ୟୁଜ ପେପର ସୋସାଇଟି (ଆଇଏନଏସ) ଅନୁରୋଧ କରିଛି ।

ଆଇଏନଏସ ଅନୁରୋଧ କରିଛି କି ନ୍ୟୁଜପ୍ରିଣ୍ଟ, ଜିଏନପି ଓ ଏଲଡବ୍ଲ୍ୟୁସି କାଗଜ ଉପରୁ ସରକାର ଆଦାୟ କରୁଥିବା ଅତିରିକ୍ତ ୫ ପ୍ରତିଶତ ସୀମା ଶ୍ଳୁକ ଛାଡ କରନ୍ତୁ , ୨ ବର୍ଷ ପର୍ଯ୍ୟନ୍ତ ଟିକସ୍ ଆଦାୟ ବନ୍ଦ କରନ୍ତୁ । ସରକାର ଖବରକାଗଜକୁ ଯେଉଁ ବିଜ୍ଞାପନ ଦେଉଛନ୍ତି ତାହା ମୂୂଲ୍ୟର ୫୦ ପ୍ରତିଶତ ବୃଦ୍ଧି କରନ୍ତୁ । ଛାପା ଗଣମାଧ୍ୟମରେ ସରକାରୀ ଖର୍ଚ୍ଚ ୨୦୦ ପ୍ରତିଶତ ବୃଦ୍ଧି କରନ୍ତୁ ଓ ବକେୟା ବିଜ୍ଞାପନ ଦେୟ ତୁରନ୍ତ ପୈଠ କରି ଖବର କାଗଜ ଶିଳ୍ପକୁ ସଂକଟରୁ ଉଦ୍ଧାର କରନ୍ତୁ ।

ସୁପ୍ରିମ କୋର୍ଟ ଏକଥା ସ୍ୱିକାର କରିଛନ୍ତି କି ଅସୁବିଧା ସମୟରେ ଦେଶର ଖବରକାଗଜ ଶିଳ୍ପ ତଥ୍ୟପୂର୍ଣ୍ଣ ଖବର ପରିବେଷଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି । ହେଲେ ମହାମାରୀ ଯୋଗୁଁ ଏହି ଶିଳ୍ପ ଏବେ ଗରୁତ୍ୱର ପ୍ରଭାବିତ ହୋଇଛି । ଏଥି ସକାଶେ ଅନେକ ଖବର କାଗଜ ପ୍ରକାଶନ ବନ୍ଦ କରିଦେଇଛନ୍ତି ଓ ଅନ୍ୟ କିଛି ଖବରକାଗଜ ସିମିତ ସଂସ୍କରଣରେ ଚଳାଉଛନ୍ତି । ଏଭଳି ସ୍ଥିତି ଜାରି ରହିଲେ ଆହୁରି ଅନେକ ଖବର କାଗଜ ନିକଟ ଭବିଷ୍ୟତରେ ବନ୍ଦ ହୋଇଯିବ ବୋଲି ଆଇଏନଏସର ଅଧ୍ୟକ୍ଷ ଏଲ୍.ଆଡିମୁଲମ୍ କହିଛନ୍ତି ।

ଏହାସହ ଆଇଏନଏସ ଆକଳନ କରିଛି ଯେ ଖବରକାଗଜ ଶିଳ୍ପ ଚଳିତ ବର୍ଷ ଶେଷ ହେବା ବେଳକୁ ପ୍ରାୟ ୧୬ ଶହ କୋଟି ଟଙ୍କା କ୍ଷତିରେ ସମ୍ମୁଖୀନ ହେବ । ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ରରେ ଚତୁର୍ଥ ସ୍ତମ୍ଭର ଏଭଳି ସଂକଟ ଯୋଗୁଁ ଖବରକାଗଜ ସହ ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବେ ଜଡିତ ପ୍ରାୟ ୩୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏହାର ପ୍ରଭାବ କର୍ମଚାରୀଙ୍କ ପରିବାର ଉପରେ ପଡିବା ସହ ପ୍ରିଣ୍ଟିଂ ପ୍ରେସ ଓ ଯୋଗାଣ ଶୃଙ୍ଖଳ ଉପରେ ମଧ୍ୟ ପଡିଛି । ଏଣୁ ଏହି ସଂକଟରୁ ଉଦ୍ଧାର ପାଇବାକୁ ଖବରକାଜଗ ଶିଳ୍ପ ମାନେ ପ୍ରୟାସ ଜାରି ରଖିଥିବା ବେଳେ ଏହି ସମୟରେ ସରକାର ଯଦି ଏନେଇ ଆର୍ଥିକ ପ୍ୟାକେଜ ଘୋଷଣା କରନ୍ତେ ତାହେଲେ ଖବରକାଗଜ ଶିଳ୍ପ ପୁଣିଥରେ ମୂଳଅବସ୍ଥାକୁ ଫେରିପାରନ୍ତା ବୋଲି ଆଇଏନଏସ କହିଛି ।