‘ଭତ୍ତା ଦିଅ, ନହେଲେ ମରିବି’, ହତାସ ହିତାଧିକାରୀଙ୍କ ଚରମ ଚେତାବନୀ

161

କନକ ବ୍ୟୁରୋ: ବୁଢ଼ା ବୟସରେ ଭରସା ଥିବା ଭତା ଟଙ୍କା ଯେତେବେଳେ ଖାତାକୁ ଆସିଲା ନାହିଁ, ୪ ମାସର ଅପେକ୍ଷା ପରେ ଧର୍ଯ୍ୟର ସବୁ ସୀମା ଟପିଗଲା । ଆଉ ସବୁ ଆଶା ମଉଳି ଯିବା ପରେ ଚରମ ନିଷ୍ପତି ନେବା ପାଇଁ ଚେତାବନୀ ଦେଇଛନ୍ତି ବୃଦ୍ଧ । ଏମିତି ନୁହେଁ କି ଆତ୍ମହତ୍ୟା କରିବା ପାପ, ସେ ଜାଣିନାହାଁନ୍ତି । ଏମିତି ବି ନୁହେଁ କି ଆତ୍ମହତ୍ୟା ଉଦ୍ୟମ ଏକ ଅପରାଧ, ସେ ଜାଣିନାହାଁନ୍ତି । ହେଲେ, ସବୁ ଜାଣି ଅଜଣା ଥିବା ପ୍ରଶାସନର ଆଖି ଖୋଲିବାକୁ ଏଭଳି ନିଷ୍ପତି ନେଇଛନ୍ତି ଜଣେ ଅସହାୟ ଓ ହତାସ୍ ହିତାଧିକାରୀ ।

ନାଁ: ଦାଶରଥି ଜେନା
ଠିକଣା: ନସିରପୁର, ହାଟଡ଼ିହି, କେନ୍ଦୁଝର
ଭତା ଟଙ୍କା ଦାବିିରେ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଦାଶରଥି । ସାଥୀରେ ବିଷ ବୋତଲଟିଏ ବି ଧରି ଆସିଛନ୍ତି । କ୍ରମାଗତ ୪ ମାସ ହେଲା ତାଙ୍କ ଖାତାକୁ ଭତା ଟଙ୍କା ଆସିନାହିଁ । ପୂର୍ବରୁ ଯେତେବେଳେ ପଞ୍ଚାୟତରେ ଭତା ଟଙ୍କା ମିଳୁଥିଲା, କୌଣସି ଅସୁବିଧା ହେଉନଥିଲା । ହେଲେ, ବ୍ୟାଙ୍କ ଖାତାରେ ଭତା ଟଙ୍କା ଜମା ହେବା ପରଠାରୁ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କେବଳ ଦାଶରଥି ନୁହଁନ୍ତି ପଂଚାୟତର ୨୦ରୁ ଅଧିକ ହିତାଧିକାରୀ, ସମାନ ସମସ୍ୟାରେ ଛନ୍ଦି ହୋଇଛନ୍ତି ।

ଷଡ଼ଙ୍ଗ ପଂଚାୟତରେ ଅନେକ ହିତାଧିକାରୀ ଭତା ପାଉନଥିବା କଥାକୁ ସ୍ୱୀକାର କରିଛନ୍ତି ସ୍ଥାନୀୟ ସରପଂଚ । ଏ ସମ୍ପର୍କରେ ବିଡ଼ିଓଙ୍କୁ ଅବଗତ କରାଯାଇଥିବା କହିଛନ୍ତି ସରପଂଚ । ଦାଶରଥିଙ୍କ ଚେତାବନୀ ପରେ ସ୍ଥାନୀୟ କିଛି ସମାଜସେବୀ ଓ ୱାର୍ଡମେମ୍ବର ଆସି, ତାଙ୍କୁ ବୁଝାସୁଝା କରି ଘରକୁ ପଠାଇଛନ୍ତି । କିନ୍ତୁ ବ୍ୟାଙ୍କ୍ ଖାତାକୁ କେବେ ଟଙ୍କା ଆସିବ, ତାହା କେହି ଜାଣିନାହାଁନ୍ତି ।