ସ୍ୱାମୀ ମୃତ କହି ସହାୟତା ରାଶି ହାତେଇବାକୁ ସ୍ତ୍ରୀଙ୍କ ଷଡ଼ଯନ୍ତ୍ର: ପୁଲିସର ଖୋଳତାଡ଼ ପରେ ଚମ୍ପଟ ମାରିଲେ ଗୀତାଂଜଳି

579

କନକ ବ୍ୟୁରୋ: ବାହାନଗା ବଜାର ଷ୍ଟେସନରେ ଟ୍ରେନ୍ ଦୁର୍ଘଟଣାକୁ ନେଇ ଯେତିକି ଚର୍ଚ୍ଚା ହେଉଛି, ତାଠାରୁ ଅଧିକ ଚର୍ଚ୍ଚା କଟକ ମାଣିଆବନ୍ଧ ଅଂଚଳର ମହିଳାଙ୍କୁ ନେଇ । କୁହାଯାଉଛି ଟ୍ରେନ୍ ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା କହି ସହୟତା ଟଙ୍କା ହଡପ କରିବାକୁ ଷଡଯନ୍ତ୍ର କରିଥିଲେ ଗୀତାଞ୍ଜଳି । ପୋଲିସ ଆଗରେ ମିଛ ଧରା ପଡିଯିବାରୁ ସେଠାରୁ ଚମ୍ପଟ ମାରିଥିଲେ । ଗଣମାଧ୍ୟମରେ ଏହି ଖବର ପ୍ରସାରଣ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଗୀତାଞ୍ଜଳି ଦତ । କିଛି ଲେକଙ୍କଠାରୁ ସେ ଶୁଣିବାକୁ ପାଇଥିଲେ ଯେ, କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ ଦୁର୍ଘଟଣାରେ ବିଜୟ ଦତଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଖବର ଶୁଣିବା ପରେ ସେ ସ୍ୱାମୀଙ୍କ ସନ୍ଧାନରେ ବାହାନଗା, ସୋର ଓ ଭଦ୍ରକ ହସ୍ପିଟାଲରେ ପହଂଚିଯାଇଥିଲେ । ସେଠାରେ ଆଧାର କାର୍ଡ ଓ ଅନ୍ୟାନ୍ୟ ପରିଚୟ ପତ୍ର ମଧ୍ୟ ଦେଇଥିଲେ । କିନ୍ତୁ ମୃତଦେହର ଚେହେରା ଚିହ୍ନିବାରେ ମୁସ୍କିଲ ହୋଇଥିଲା ।

ବାଲେଶ୍ୱରରେ ଅଧିକାରୀଙ୍କୁ ଭେଟି ମୃତକଙ୍କ ଫଟୋ ମଧ୍ୟରୁ ଗୋଟିଏ ନିଜ ସ୍ୱାମୀଙ୍କର ବୋଲି ଦାବି କରିଥିଲେ ଗୀତାଞ୍ଜଳି । ମିଛ ଆଧାରକାଡ଼ ଜେରକ୍ସ କପି ବି ଦେଖାଇଥିଲେ । ଯାହାକୁ ନେଇ ପୁଲିସ ଅଧିକାରୀ ବଡ଼ମ୍ବା ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ । ତେବେ ମହିଳାଙ୍କ ସ୍ୱାମୀ ଜୀବିତ ଥିବା ସୂଚନା ଦେବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ମୋବାଇଲ ନମ୍ବର ଶେୟାର କରିଥିଲେ । ହେଲେ ପୋଲିସ ଅଧିକାରୀଙ୍କ ଆଗରେ ମହିଳାଙ୍କ ସବୁ ଚାଲ ଧରାପଡ଼ିଯାଇଥିଲା ।

ବଡକଥା ହେଉଛି ଏହି ଘଟଣାକୁ ନେଇ ଗୀତାଞ୍ଜଳିଙ୍କ ସ୍ୱାମୀ ବିଜୟ ଦତ ଏବେ ଥାନାରେ ଏଫଆଇଆର ଦେଇଛନ୍ତି । ସ୍ତ୍ରୀ କିଭଳି ତାଙ୍କର ମିଛ ମୃତ୍ୟୁରେ ସରକାରୀ ସହାୟତା ଟଙ୍କା ହଡପ କରିବାକୁ ଷଡଯନ୍ତ୍ର କରିଥିଲେ ସେନେଇ ଅଭିଯୋଗରେ ଦର୍ଶାଇଛନ୍ତି । ଦୀର୍ଘ ୧୩ ବର୍ଷ ହେଲା ସଂପର୍କ ନଥିଲେ ବି ସ୍ତ୍ରୀ ଗୀତାଞ୍ଜଳି ତାଙ୍କ ନାଁରେ ମିଥ୍ୟା ଖବର ପ୍ରଚାର କରିଛନ୍ତି । ଜୀବିତ ଥାଉଥାଉ ତାଙ୍କୁ ମୃତ ଦର୍ଶାଇ ମାନ ସମ୍ମାନ ହାନୀ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ବିଜୟ ।

୧୦ ଲକ୍ଷ ଟଙ୍କାର ସହାୟତା ରାଶି ଲୁଟିବାକୁ ମିଛ ବାହାନା କରୁଥିଲେ ସମ୍ପୃକ୍ତ ମହିଳା । ଜୀବିତ ସ୍ୱାମୀ ବିଜୟ ଦତଙ୍କୁ ମୃତ ଦର୍ଶାଇଥିଲେ । ତେବେ ଯୋଜନା ଫେଲ ମାରିବା ପରେ ପୁଲିସ ହାତରେ ଧରା ପଡ଼ିଥିଲେ । ପୋଲିସ ମହଳାଙ୍କୁ ଗିରଫ କରିବାକୁ ଯୋଜନା କରିଥିଲେ ମଧ୍ୟ ଫେଲ ମାରିଥିଲା । କାରଣ କୌଶଳକ୍ରମେ ମହିଳା ସେଠାରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ ।