ଶିକୁଳିରେ ବନ୍ଧା ପଡିଛି ଯୁବତୀଙ୍କ ସ୍ୱପ୍ନ । ଚିକିତ୍ସା କରାଇ ନପାରି ଝିଅକୁ ଲୁହା ଜଞ୍ଜିରରେ ବାନ୍ଧି ରଖିଛନ୍ତି ପରିବାର ।

167

କନକ ବ୍ୟୁରୋ : ଯେଉଁ ବୟସରେ ଖେଳି କୁଦି ଦିନ ବିତାଇବା କଥା, ସେ ବୟସରେ ଆଜି ବନ୍ଧା ହୋଇଛନ୍ତି ଯୁବତୀ । ଆଜିକୁ ଦଶ ବର୍ଷ ହେଲା ବଢ଼ିଲା ଝିଅ ପାଦରେ ପଡ଼ିଛି ଲୁହାର ଶିକୁଳି । ଉଦଳା ବ୍ଲକରୁ ଆସିଛି ଏପରି ଏକ ଯନ୍ତ୍ରଣା ଭରା କାହାଣୀ ।

ଆମେ ଯାହା ଚାହୁଁ, ତାହା ସବୁବେଳେ ହୁଏ ନାହିଁ । ଶିକୁଳିରେ ବନ୍ଧା ପଡିଥିବା ଏହି ଯୁବତୀଙ୍କ ଭାଗ୍ୟ ବୋଧେ ସେମିତି । ଦିନେ ସ୍ୱପ୍ନ ଦେଖିଥିଲେ, ଭଲ ପାଠ ପଢ଼ି, ଭଲ ମଣିଷ ହେବେ । ହେଲେ ସମୟ ସ୍ରୋତରେ ସବୁ ବଦଳି ଯାଇଛି । ମୟୂରଭଞ୍ଜ ଉଦଳା ବ୍ଲକ ଭାଲୁ-ହୁରୁଡ଼ା ଗାଁର ୨୬ ବର୍ଷିୟ ସରୋଜିନୀ ଟୁଡ଼ୁ । ନବମରେ ପଢୁଥିବା ବେଳେ ସରୋଜିନୀଙ୍କ ମାନସିକ ବିକୃତି ଦେଖିବାକୁ ମିଳିଲା । ଝିଅକୁ ଭଲ କରିବା ପାଇଁ ଗରିବ ବାପା-ମାଆ ଚେଷ୍ଟା କଲେ ହେଲେ ଅଭାବୀ ପରିବାରରେ ସମ୍ପୂର୍ଣ୍ଣ ଚିକିତ୍ସା ସମ୍ଭବ ହେଲା ନାହିଁ । ତେଣୁ ଝିଅକୁ ଶିକୁଳିରେ ବାନ୍ଧି ରଖିଛନ୍ତି ପରିବାର ।

ନିୟମିତ ଔଷଧ ଖାଇଲେ, ସରୋଜିନୀଙ୍କ ମାନସିକ ସ୍ଥିତିରେ ସୁଧାର ଆସିପାରେ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ହେଲେ ପରିବାର ପାଖରେ ଆର୍ଥିକ ସମ୍ବଳ ନଥିବାରୁ, ସରୋଜିନୀଙ୍କ ଚିକିତ୍ସା କଷ୍ଟକର ହୋଇପଡିଛି । ତେଣୁ ସରକାରୀ ସହାୟତାକୁ ଚାହିଁ ରହିଛନ୍ତି ଏହି ଅସହାୟ ଯୁବତୀ । ସବୁଠାରୁ ବିଡମ୍ବନା, ଶିକୁଳିରେ ବନ୍ଧା ହୋଇଥିବା ୨୬ ବର୍ଷୀୟ ସରୋଜିନୀଙ୍କ ଉପରେ ସ୍ଥାନୀୟ ସରପଞ୍ଚ କିମ୍ବା ବିଧାୟକଙ୍କ ନଜର ପଡ଼ି ନାହିଁ । ତେଣୁ ସ୍ୱାସ୍ଥ୍ୟ ସେବାକୁ ନେଇ ସରକାରୀ ସ୍ତରରେ ଅନେକ ଯୋଜନା ଥିଲେ ବି ସରୋଜିନୀଙ୍କୁ କିଛି ମିଳୁନାହିଁ ।