ୟୁପିରୁ ଆସିଲା ଛାତି ଥରାଇଦେବା ଭଳି ଖବର, ପରୀକ୍ଷା ବାହାନାରେ ନିଶା ଦେଇ ୧୭ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

454

କନକ ବ୍ୟୁରୋ : ଆଗକୁ ୟୁପିରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ସବୁ ରାଜନୈତିକ ଦଳମାନେ ନିଜ ନିଜର ଭୋଟ ବ୍ୟାଙ୍କ ବୃଦ୍ଧି କରିବାକୁ ଲୋକମାନଙ୍କୁ ରଙ୍ଗୀନ ସ୍ୱପ୍ନ ଦେଖାଇବାରେ ବ୍ୟସ୍ଥ । ଗୃହମନ୍ତ୍ରୀ କହୁଛନ୍ତି ଯୋଗୀ ସରକାର ସମୟରେ ଉତ୍ତରପ୍ରଦେଶ ଏତେ ବଦଳି ଯାଇଛି ଯେ ରାତି ୨ ଟା ବେଳେ ବି ଜଣେ ମହିଳା ଗହଣା ପିନ୍ଧି ବିନା ଭୟରେ ରାଜରାସ୍ତାରେ ଯାଇ ପାରିବ । ପ୍ରିୟଙ୍କା ଗାନ୍ଧୀ ନିର୍ବାଚନରେ ୪୦ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରି ମହିଳା ସଶକ୍ତିକରଣକୁ ଆଗକୁ ନେବାକୁ ‘ମେ ଲେଡକି ହୁଁ ଲଡ ଶକ୍ତା ହୁଁ’ ର ନାରା ଲଗାଉଛନ୍ତି । ଏସବୁ ଭିତରେ ଉତ୍ତର ପ୍ରଦେଶର ମହିଳା କେତେ ସୁରକ୍ଷିତ ତାହା ହାତରସ ଘଟଣା ପରେ ଜଣାପଡିଥିଲା । ହେଲେ ଏବେ ଯେଉଁ ଘଟଣା ସାମ୍ନାକୁ ଆସିଛି ବା ଯେଉଁ ଘଟଣାକୁ ନେଇ ୧୭ ଜଣ ଛାତ୍ରୀଙ୍କ ଅବିଭାବକମାନେ ଥାନାରେ ଅଭିଯୋଗ କରିଛନ୍ତି ତାହା ଯଦି ସତ୍ୟ ବୋଲି ପ୍ରମାଣିତ ହୁଏ ତେବେ ଗୃହମନ୍ତ୍ରୀ କହିଥିଲେ ଅଧରାତିରେ ରାଜରାସ୍ତାରେ ମହିଳା ସୁରକ୍ଷିତ, ହେଲେ ଜଣେ ଛାତ୍ରୀ ଯେ ନିଜ ସ୍କୁଲରେ ନିଜ ଶିକ୍ଷକଙ୍କ ପାଖରେ ସୁରକ୍ଷିତ ନୁହେଁ ତାହା ପ୍ରମାଣ ହେବ ।

ଉତ୍ତର ପ୍ରଦେଶ ମୁଜଫରନଗର ଜିଲ୍ଲାରେ ଦଶମ ଶ୍ରେଣୀର ୧୭ ଜଣ ଛାତ୍ରୀ ଅଭିଯୋଗ କରିଛନ୍ତି କି, ତାଙ୍କ ସ୍କୁଲର ପ୍ରିନ୍ସପାଲ ଓ ତାଙ୍କର ସହଯୋଗୀମାନେ ପ୍ରାକ୍ଟିକାଲ ପରୀକ୍ଷା ବାହାନାରେ ସେମାନଙ୍କୁ ରାତିରେ ସ୍କୁଲରେ ରହିବାକୁ କହିଥିଲେ । ଏହାପରେ ପ୍ରିନ୍ସପାଲଙ୍କ ପ୍ରରୋଚନାରେ ସେମାନଙ୍କୁ ଖାଦ୍ୟରେ ନିଶାଦେଇ ରାତିସାରା ସେମାନଙ୍କ ସହ ଦୁଷ୍କର୍ମ କରାଯାଇଛି । ପ୍ରାକ୍ଟିକାଲ ପରୀକ୍ଷା ସେହି ଅଞ୍ଚଳର ଏକ ଅନ୍ୟ ସ୍କୁଲରେ ହେବାକୁ ଥିବାରୁ ପ୍ରିନ୍ସପାଲ ସେମାନଙ୍କୁ ରାତିରେ ସ୍କୁଲରେ ରହିବାକୁ କହିଥିଲେ ।

ପୋଲିସ କହିବା ମୁତାବକ ଏହି ଘଟଣା ନଭେମ୍ବର ୧୮ ତାରିଖରେ ଘଟିଥିଲା । ଏବେ ଅବିଭାବକ ଓ ପୀଡିତାମାନଙ୍କର ଅଭିଯୋଗ ପରେ ପ୍ରାଥମିକତା ଦାଖଲ କରାଯାଇଛି । ଏହାସହ ଅଭିଯୁକ୍ତମାନଙ୍କୁ ଗିରଫ୍ କରିବାକୁ ଏକ ଟିମ ଗଠନ କରାଯାଇଥିବା କଥା ପୋଲିସ କହିଛି । ମୁଜାଫରନଗର ପୋଲିସ ପ୍ରମୁଖ ଅଭିଷେକ ଯାଦବ କହିଛନ୍ତି କି କାର୍ଯ୍ୟରେ ଅବହେଳା ଯୋଗୁଁ ଥାନା ପ୍ରଭାରୀଙ୍କୁ ନିଲମ୍ବିତ କରାଯାଇଛି । ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୨୮,୩୫୮,୫୦୬ ଓ ପୋକ୍ସୋ ଅଧିନିୟମରେ ମାମଲା ଦାଖଲ ହୋଇଛି ।

ଅଭିଯୋଗରେ କୁହାଯାଇଛି କି ପ୍ରିନ୍ସପାଲ ଯୋଗେଶ ୧୭ ଜଣ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ପ୍ରାକ୍ଟିକାଲ ପରୀକ୍ଷା ବାହାନାରେ ସ୍କୁଲକୁ ଡକାଇଥିଲେ । ଏହାପରେ ସେଠାରେ ତାଙ୍କୁ ଏକ କପି ଲେଖିବାକୁ ଦେଇ ସ୍କୁଲରେ ରାତିରେ ରହିବାକୁ କହିଥିଲେ । ସେ କହିଥିଲେ ଆସନ୍ତାକାଲି ପାଖ ସ୍କୁଲରେ ପ୍ରାକ୍ଟିକାଲ ପରୀକ୍ଷା ହେବ ତେଣୁ ତୁମେମାନେ ରାତିରେ ଏଠି ରହିଲେ କାଲି ସକାଳେ ସେହି ସ୍କୁଲକୁ ଯିବାକୁ ସୁବିଧା ହେବ । ଏହାପରେ ରାତିରେ ପ୍ରିନ୍ସପାଲ ଖେଚୁଡି ପ୍ରସ୍ତୁତ କରି ଛାତ୍ରୀମାନଙ୍କୁ ଖାଇବାକୁ ଦେଇଥିଲେ । ଖେଚୁଡି ଖାଇବା ପରେ ଛାତ୍ରୀମାନେ ବେହୋସ ହୋଇପଡିଥିଲେ । ଏହାପରେ ପ୍ରିନ୍ସପାଲ ଓ ତାଙ୍କ ସହଯୋଗୀମାନେ ଛାତ୍ରୀମାନଙ୍କ ସହ ଦୁଷ୍କର୍ମ କରିଥିଲେ ।