ବାଙ୍କି ମହାନଦୀ ପୋଲ ଉପରୁ ଡେଇଁଲେ ଯୁବତୀ ! ୨ ଘଣ୍ଟାର ଉଦ୍ଧାରକାର୍ଯ୍ୟ ପରେ ମିଳିଲା ମୃତଦେହ ।

82

ବାଙ୍କି ମହାନଦୀରେ ଅଭାବନୀୟ ଘଟଣା ! ମହାନଦୀ ପୋଲ ଉପରୁ ପାଣିକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଜଣେ ଯୁବତୀ । ପାଖାପାଖି ୨ ଘଣ୍ଟାର ଉଦ୍ଧାରକାର୍ଯ୍ୟ ପରେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏହା ହତ୍ୟା କିମ୍ବା ଆତ୍ମହତ୍ୟା ତାହା ଜଣାପଡିନଥିବା ବେଳେ ତଦନ୍ତ ଆରମ୍ଭ କରିଛି ବାଙ୍କି ପୋଲିସ ।

ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଆଦି ଦିନ ପାଖାପାଖି ୧୧.୩୦ ମିନିଟରେ ଉକ୍ତ ଯୁବତୀ ଜଣଙ୍କ ବାଙ୍କି ମହାନଦୀ ପୋଲ ଉପରେ ସ୍କୁଟି ଯୋଗେ ଆସି ସେଠାରେ କିଛି ସମୟ ଧରି ଛିଡା ହୋଇଥିଲେ । ତେବେ ସେଠାରେ ସ୍କୁଟି ଥୋଇ ପାଖାପାଖି ୧୨.୩୦ ମିନିଟରେ ନଦୀକୁ ଡେଇଁଥିଲେ । ଘଟଣା ସମ୍ବନ୍ଧରେ ଜଣାପଡିବା ପରେ ପାଖାପାଖି ୨ ଘଣ୍ଟାର ଉଦ୍ଧାରକାର୍ଯ୍ୟ ପରେ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା । ଏହା ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

ପ୍ରାଥମିକ ତଦନ୍ତରୁ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି । ଉକ୍ତ ଯୁବତୀଜଣଙ୍କ ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ହାଉସିଂ କଲୋନୀ ବାସିନ୍ଦା ଉମେଶ ଚନ୍ଦ୍ର ମହାପାତ୍ରଙ୍କ ଝିଅ ସେଫାଳିକା ମହାପାତ୍ର ବୋଲି ପୋଲିସ ଜାଣିବାକୁ ପାଇଛି । ଘଟଣାସ୍ଥଳରୁ ମହିଳାଙ୍କ ସ୍କୁଟି ଏବଂ ବ୍ୟାଗ ଜବତ କରାଯାଇଛି । ତେବେ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ମହିଳାଙ୍କ ଘର ଭୁବନେଶ୍ୱର ହୋଇଥିବା ବେଳେ ସେ କାହିଁକି ପାଖାପାଖି ୪୦ କିଲୋମିଟର ଦୂର ବାଙ୍କି ମହାନଦୀରେ ଆତ୍ମହତ୍ୟା କଲେ ସେନେଇ ତଦନ୍ତ ଆରମ୍ଭ ହୋଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ଏବଂ ଯୁବତୀଙ୍କ ପରିବାର ଲୋକଙ୍କ ସହ ଆଲୋଚନା ପରେ ଘଟଣାର ସତ୍ୟତା ବିଷୟରେ ଜଣାପଡିବ ବୋଲି ପୋଲିସ କହିଛି ।