ଛାତ୍ରୀ ନିବାସରେ ପାଲ ଟାଣି ରହୁଛନ୍ତି ପିଲା । ଭଙ୍ଗା ଛାତରୁ ଖସୁଛି ସିମେଣ୍ଟ ପ୍ଲାଷ୍ଟର । ଅଭିଯୋଗ ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ ।

131

କନକ ବ୍ୟୁରୋ: ସ୍କଲ ପିଲାଙ୍କ ପାଠ ପଢା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆଦର୍ଶ, ଉତ୍କର୍ଷ, ସ୍ମାର୍ଟ କ୍ଲାସ ରୁମର ବ୍ୟବସ୍ଥା କରୁଛନ୍ତି । ବିଜ୍ଞାପନ ଜରିଆରେ ଏହାର ପ୍ରଚାରପ୍ରସାର ପାଇଁ ମଧ୍ୟ ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ ଏପଟେ ପାଠ ପଢିବା ପାଇଁ ମୌଳିକ ସୁବିଧା ପାଇପାରୁନାହାନ୍ତି ଛାତ୍ରୀ । ଛାତ୍ରୀନିବାସରେ ଛାତରୁ ପାଣି ଗଳୁଥିବା ବେଳେ ବିପଦସଙ୍କୁଳ ଅବସ୍ଥାରେ ପାଲ ଟାଙ୍ଗି ରହୁଛନ୍ତି ଛାତ୍ରୀ ।

ଏଭଳି କିଛି ଅଭିଯୋଗ ଆସିଛି ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ କିଆଙ୍ଗ ପଞ୍ଚାୟତ ସଦର ମୀରାବାଇ ଛାତ୍ରୀ ନିବାସରୁ  । ଏଠାରେ ରହୁଥିବା ଆଦିବାସୀ ଛାତ୍ରୀ ମୁଣ୍ଡାଇଛନ୍ତି ବିପଦ । ଛାତରୁ ଲୁହା ଛଡ ବାହାଗଲାଣି କିନ୍ତୁ ଏବେ ବି ସେଠାରେ ରହୁଛନ୍ତି ଛାତ୍ରୀ । ବର୍ଷାରେ ପାଣି ଗଳିବାରୁ ରାତି ଉଜାଗର ରହିବା ସହ ପାଲ ତଳେ ଆଶ୍ରୟ ନେଉଛନ୍ତି ଅନ୍ତେବାସୀ । ଏନେଇ ଛାତ୍ରୀମାନେ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉନି ଶିକ୍ଷା ବିଭାଗ ।

ତେବେ ରାଜ୍ୟ ସରକାର ସ୍ମାର୍ଟ ସ୍କୁଲ ଓ ହଷ୍ଟେଲକୁ ମଡେଲ କରିବାକୁ ଯୋଜନା ପ୍ରସ୍ତୁତ କରିଥିବାବେଳେ ଆଦିବାସୀ ଅଂଚଳରେ ନିର୍ମିତ ଏଭଳି ହଷ୍ଟେଲ ଘର ସମସ୍ୟା ସୃଷ୍ଟି କରିଛି । ଜୀବନକୁ ହାତରେ ଧରି ହଷ୍ଟେଲରେ ରହୁଛନ୍ତି ଛାତ୍ରୀ । ଗୋଟିଏ ପଟେ ସ୍ମାର୍ଟ କ୍ଲାସ ରୁମରେ ପାଠ ପଢାଇବାର ବ୍ୟବସ୍ଥା, ଅନ୍ୟପଟେ ପାଠ ପଢିବା ପାଇଁ ଅସୁରକ୍ଷିତ ଘରେ ଆଦିବାସୀ  ଛାତ୍ରୀ । ଏଭଳି ସ୍ଥଳେ ସରକାରଙ୍କ ଆଦର୍ଶ, ଉତ୍କର୍ଷ, ସ୍ମାର୍ଟ କ୍ଲାସ ରୁମକୁ ନେଇ ପ୍ରଶ୍ନ ଉଠୁଛି ।