ଫେଲ ମାରୁଛି ଯୋଜନା, ସ୍କୁଲରୁ ମୁହଁ ଫେରାଉଛନ୍ତି ଛାତ୍ରୀ ! ୧୧ରୁ ୧୪ ବର୍ଷ ମଧ୍ୟରେ ଅଧାରୁ ପାଠ ଛାଡିଛନ୍ତି ୫୬ ହଜାର ଛାତ୍ରୀ ।

87

କନକ ବ୍ୟୁରୋ : ବେଟି ପଢ଼ାଓ, ବେଟି ବଚାଓ । ସଭିଏ ପଢ଼ିବେ, ସଭିଏ ବଢ଼ିବେ । ଏମିତି କେତେ ନାରା ଦିଆଯାଉଛି । ପିଲା ସ୍କୁଲ ଆସିବେ ପାଠ ପଢ଼ିବେ ବୋଲି-ୟୁନିଫର୍ମ, ମଧ୍ୟାହ୍ନ ଭୋଜନ, ସାଇକେଲ କେତେ କ’ଣ ଯୋଗାଇ ଦିଆଯାଉଛି । ହେଲେ ଆପଣ ଜାଣନ୍ତି ଚଳିତବର୍ଷ ଆମ ଓଡ଼ିଶାରେ ପ୍ରାୟ ୫୬ ହଜାର ଛାତ୍ରୀ ସ୍କୁଲ ଛାଡିଛନ୍ତି । ୧୧ରୁ ୧୪ ବର୍ଷର ଛାତ୍ରୀଙ୍କୁ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ହୋଇଥିବା ଏକ ସର୍ଭେରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଏହି ସର୍ଭେ ସଂପର୍କରେ ଚିଠି ଜରିଆରେ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଅବଗତ କରାଯାଇଛି । ହେଲେ ଏହାକୁ ନେଇ ଆପତି ଉଠାଇଛି ଗଣଶିକ୍ଷା ବିଭାଗ । ବିଭାଗୀୟ ମନ୍ତ୍ରୀ ପ୍ରଶ୍ନ କରିଛନ୍ତି, କେଉଁ ଅଧାରରେ ଏହି ତଥ୍ୟ ପ୍ରସ୍ତୁତ କରାଯାଇଛି । ଯାହାକୁ ନେଇ ଦୁଇ ବିଭାଗ ମଧ୍ୟରେ ଏକ ପ୍ରକାର ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି ।

ସ୍କୁଲ ଶିକ୍ଷା ସରିବା ପୂର୍ବରୁ ବନ୍ଧା ହୋଇଯାଉଛି ବସ୍ତାନୀ । ୧୧ରୁ ୧୪ ବର୍ଷ ମଧ୍ୟରେ ୫୫ ହଜାର ୮୬୮ ଛାତ୍ରୀ ଅଧାପାଠରୁ ଛାଡୁଛନ୍ତି ସ୍କୁଲ । ମହିଳା ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ଗଣଶିକ୍ଷା ବିଭାଗକୁ ଲେଖାଯାଇଥିବା ଏହି ଚିଠିରୁ ସାମ୍ନାକୁ ଆସିଛି ଏଭଳି ଏକ ଚାଂଚଲ୍ୟକର ଖବର । ଛାତ୍ରୀମାନେ ସ୍କୁଲରେ ନାଁ ଲେଖାଉଛନ୍ତି ସତ, ହେଲେ ଅଧାରୁ ପାଠ ଛାଡୁଛନ୍ତି କିମ୍ବା ସ୍କୁଲ ଆସୁ ନାହାଁନ୍ତି । ଚିଠିରେ ସଂଲଗ୍ନ ଥିବା ତଥ୍ୟ ଅନୁସାରେ…

-କୋରାପୁଟ ଜିଲ୍ଲାରେ ସର୍ବାଧିକ ୧୦ ହଜାର ୫୯୯ ଜଣ ଛାତ୍ରୀ ସ୍କୁଲ ଛାଡିଛନ୍ତି

-କୋରାପୁଟ ପଛକୁ ରହିଛି ନବରଙ୍ଗପୁର ଜିଲ୍ଲା । ଏଠି ୮ ହଜାର ୮୯୯ ଛାତ୍ରୀ ସ୍କୁଲ ଛାଡିଛନ୍ତି

– କଳାହାଣ୍ଡିରେ ଏହି ସଂଖ୍ୟା ୭ ହଜାର ୧୭୩ ଏବଂ ରାୟଗଡ଼ା ଜିଲ୍ଲାରେ ୫ ହଜାର ୩୨୦

ପିଲାଙ୍କୁ ସ୍କୁଲ ପ୍ରତି ଆକର୍ଷିତ କରିବା ପାଇଁ ୟୁନିଫର୍ମ, ମଧ୍ୟାହ୍ନ ଭୋଜନ ଏବଂ ସାଇକେଲ ଭଳି ବିଭିନ୍ନ ସୁବିଧା ଯୋଗଇ ଦିଆଯାଉଛି । ଏହା ସତ୍ୱେ ଛାତ୍ରୀମାନେ ସ୍କୁଲ ନଆସିବା ଏବଂ ଡ୍ରପଆଉଟ୍ ସଂଖ୍ୟା ବଢ଼ିବା ନିଶ୍ଚିତ ଭାବରେ ଚିନ୍ତାର ବିଷୟ ।

ଏପଟେ କିନ୍ତୁ ଗଣ ଶିକ୍ଷା ବିଭାଗ, ମହିଳା ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟକୁ ସହଜରେ ଗ୍ରହଣ କରି ନାହିଁ । କେଉଁ ଆଧାରରେ ଏବଂ କେଉଁ ମାଧ୍ୟମରେ ଏହି ତଥ୍ୟ ସଂଗ୍ରହ କରାଯାଇଥିଲା ବୋଲି ମନ୍ତ୍ରୀ ପ୍ରଶ୍ନ ଉଠାଇଥିବା ବେଳେ ରଖିଛନ୍ତି ଓପେପା ପକ୍ଷରୁ ହୋଇଥିବା ସର୍ଭେର ତଥ୍ୟ । ସେ କହିଛନ୍ତି

-୨୦୧୭ ସର୍ଭେ ସୁଦ୍ଧା ମାତ୍ର ଏକ ହଜାର ୬୦ ଜଣ ଛାତ୍ରୀ ସ୍କୁଲ ଛାଡିଥିଲେ

– ଯେଉଁଥିରେ ଏସସି ୩୯୨, ଏସଟି ୪୫୬ ଏବଂ ଅନ୍ୟାନ୍ୟ ୨୦୭ ଜଣ ଛାତ୍ରୀ

 ଦୁଇଟି ବିଭାଗର ତଥ୍ୟ ଓ ପରିସଂଖ୍ୟାନରେ ତାଳମେଳ ରହୁନଥିବା ବେଳେ ତଥ୍ୟକୁ ନେଇ ଏକ ପ୍ରକାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ବଡ କଥା ହେଉଛି, କାହାର ତଥ୍ୟ ଠିକ୍ ତାକୁ ନେଇ ବିତର୍କ କରିବା ଅପେକ୍ଷା, କେମିତି ସ୍କୁଲ ଛାତ୍ରୀଙ୍କ ଡ୍ରପଆଉଟ୍ ସଂଖ୍ୟା କମିବ ସେ ଦିଗରେ ମନ୍ଥନ ହେବା ଆବଶ୍ୟକ । ନହେଲେ ସଭିଏ ପଢ଼ିବେ, ସଭିଏ ବଢ଼ିବେ ନାରା ଦିଆଚାଲିଥିବ, ହେଲେ ଅଧା ଛାତ୍ରୀ ଏମିତି ସ୍କୁଲ ଛାଡି ଦେଇଥିବେ ।