ମୁକୁଳିବ ରୋଜିଙ୍କ ସାର୍ଟିଫିକେଟ୍ ! କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଡ଼େଲାଙ୍ଗ ରୋଜି ବେହେରାଙ୍କ ପାଇଁ ବଢିଆସିଲା ସହାୟତାର ହାତ: ସାର୍ଟିଫିକେଟ୍ ମୁକୁଳାଇବାକୁ ୨୫ ହଜାର ଟଙ୍କା ଦେଲେ ଅଭିନେତ୍ରୀ ରାନୀ ପଣ୍ଡା

କଲେଜ ବକେୟା ଟଙ୍କା ଦେବାକୁ ମନରେଗାରେ ମାଟି କାମ କରୁଥିଲେ ରୋଜି

272

କନକ ବ୍ୟୁରୋ: ସାର୍ଟିଫିକେଟ୍ ମୁକୁଳାଇବାକୁ ଇଂଜିନିୟରିଂ ଛାତ୍ରୀ ଗାଁ ଦାଣ୍ଡରେ ମାଟି କାମ କରିବା ଖବର ପ୍ରସାରଣ ପରେ ସହାୟତା ପାଇଁ ଆଗେଇ ଆସିଲେ ରାନୀ ପଣ୍ଡା । ମଂଚ କଳାକାର ଭାବେ ରାଜ୍ୟରେ ଲୋକପ୍ରିୟତା ହାସଲ କରିଥିବା ରାନୀ ପଣ୍ଡା ଏବେ ରାଜ୍ୟ ବାହାରେ ଅଛନ୍ତି । ତଥାପି ଓଡ଼ିଆଙ୍କ ଦୁଃଖ ଦେଖି ତାଙ୍କ ହୃଦୟ ତରଳି ଯାଇଛି । କନକ ନ୍ୟୁଜରେ ଡ଼େଲାଙ୍ଗ ଅଂଚଳର ରୋଜି ବେହେରା ମନରେଗାରେ  ମାଟି କାମ କରିବା ଦେଖି ସେ ସହାୟତାର ହାତ ବଢାଇଛନ୍ତି । ରୋଜିଙ୍କ ସାର୍ଟିଫିକେଟ୍ ମୁକୁଳାଇବାକୁ ନିଜ ବ୍ୟାଙ୍କ ଆକାଉଂଟରୁ ଦୁଇଟି କିସ୍ତିରେ ୨୫ ହଜାର ଟଙ୍କା ମଧ୍ୟ ପଠାଇଛନ୍ତି ରାନୀ ପଣ୍ଡା ।

ଖୋର୍ଦ୍ଧାର ଏକ ଘରୋଇ ଇଂଜିନିୟରିଂ କଲେଜରେ  ଡିପ୍ଲୋମା କରୁଥିବା ରୋଜି ବେହେରାଙ୍କ ଜୀବନ ସଂଘର୍ଷର କାହାଣୀ କନକ ନ୍ୟୁଜରେ ପ୍ରସାରଣ ହୋଇଥିଲା । ସିଭିଲି ଇଂଜିନିୟରିଂରେ ଡିପ୍ଲୋମା ସରିଥିଲେ ବି ତାଙ୍କ ସାର୍ଟିଫିକେଟ ମିଳିନାହିଁ । କାରଣ କଲେଜର ବକେୟା ୨୫ ହଜାର ଟଙ୍କା  ସେ ଦେଇ ପାରି ନାହାନ୍ତି । ବାପା ମାଆଙ୍କର ସେମାନେ ୫ ଝିଅ, ସମସ୍ତେ ପାଠ ପଢୁଛନ୍ତି, ଆଉ ଖର୍ଚ୍ଚ ତୁଳାଇବା ପରିବାର ପକ୍ଷରେ ସମ୍ଭବ ହୋଇପାରୁନଥିବାରୁ କଲେଜ ଫି ଦେଇ ପାରିନାହାନ୍ତି । ତେଣୁ କଲେଜରେ ଫସିଥିବା ସାର୍ଟିଫିକେଟକୁ ମୁକୁଳାଇବା ପାଇଁ ଏଭଳି ମୁଲ ଲାଗୁଛନ୍ତି ରୋଜି ବେହେରା । ହେଲେ ରାନୀ ପଣ୍ଡାଙ୍କ ଠାରୁ ସହାୟତା ପାଇବା ପରେ ରୋଜି ତାଙ୍କ ସାର୍ଟିଫିକେଟ୍ ମୁକୁଳାଇବାରେ ସମର୍ଥ ହେବେ ବୋଲି ଆମେ ଆଶା  କରୁଛୁ ।