କନକ ବ୍ୟୁରୋ : ଦିଲ୍ଲୀର ସୁଲତାନପୁରୀରୁ ଯେଉଁ ଘଟଣା ସାମ୍ନାକୁ ଆସିଥିଲା ତାହା ଛାତିକୁ ଥରାଇ ଦେଇଛି । କାରରେ ଘୋଷାଡି ଘୋଷାଡି ହୋଇ ଯିବା କାରଣରୁ ୨୩ ବର୍ଷୀୟ ଯୁବତୀ ଅଞ୍ଜଳୀଙ୍କର ମୃତ୍ୟୁ ଘଟଣା ପୂରା ଦେଶକୁ ବିଚଳିତ କରିଛି । ଏହି ପୂରା ଘଟଣାକୁ ନେଇ ଦିଲ୍ଲୀ ପୋଲିସ ଏକ ବୟାନ ଜାରି କରିଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସିପି ସାଗର ପ୍ରୀତ ହୁଡ୍ଡା ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । ସବୁଠୁ କଷ୍ଟଦାୟକ କଥା ଏହା ଯେ, ଯୁବତୀ ଜଣଙ୍କୁ ୧୦ରୁ ୧୨ କିଲୋମିଟର ଯାଏଁ ଘୋଷାଡି ନେଇଥିଲା କାର । ଆଉ ରାସ୍ତାରେ ମୋଡ ଆସିବା ଫଳରେ କାରରୁ ଯୁବତୀଙ୍କର ଶରୀର ଅଲଗା ହୋଇ ରାସ୍ତା କଡକୁ ଛିଟିକି ହୋଇ ପଡିଥିଲା । ତେବେ କାରରେ ଥିବା ଯୁବକମାନେ ନିଶାଗ୍ରସ୍ତ ଅବସ୍ଥାରେ ଥିଲେ କି ନାହିଁ ତାହାର ମେଡିକାଲ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ ।
ପୋଲିସ ପକ୍ଷରୁ କୁହାଯାଇଛି ଯେ, ଫରେନ୍ସିକ ଓ ମେଡିକାଲ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାସହ ପୀଡିତା ପରିବାରର ସମ୍ପର୍କରେ ପୋଲିସ ଅଛି । ଗିରଫ ଯୁବକଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ଏହି ରିମାଣ୍ଡ ଅବଧିରେ ଅଭିଯୁକ୍ତଙ୍କୁ ପଚରାଉଚରା କରିବ ପୋଲିସ । ଖୁବଶୀଘ୍ର ପୋଲିସ ଏହାର ଯାଞ୍ଚ ପୂରା କରିବ, ଏହାପରେ ଅଦାଲତରେ ଚାର୍ଜସିଟ ଦାଖଲ କରିବ । ଅଭିଯୁକ୍ତଙ୍କ ବିରୋଧରେ ଯେପରି କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ସେଥିପାଇଁ ପୋଲିସ ପ୍ରମାଣ ଯୋଗାଡ କରୁଛି ।
ପୋଲିସ ଯେଉଁ ୫ ଜଣଙ୍କୁ ଗିରଫ କରିଛି ସେମାନଙ୍କ ମଧ୍ୟରୁ ଦୀପକ ଖାନ୍ନା ଗାଡି ଚଲାଉଥିଲେ । ଦୀପକଙ୍କ ବ୍ୟତୀତ ଅନ୍ୟ ୪ ଜଣ ମଧ୍ୟ କାରରେ ଥିଲେ । ତେବେ କାର କେତେ ଜୋରରେ ଆସୁଥିଲା ଏବଂ ଜାଣିଶୁଣି ଏହି ଦୁର୍ଘଟଣା ହୋଇଛି କି ନାହିଁ ସେନେଇ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି । ଅନ୍ୟପଟେ ପୋଲିସର ଯାଞ୍ଚ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପୀଡିତାଙ୍କ ପରିବାର ।
Follow Us