ନାବାଳିକାକୁ ଦୁଷ୍କର୍ମ ପରେ କୁନ୍ଦୁଲିରେ ଆତଙ୍କ ! ସ୍କୁଲ ଆସୁନାହାନ୍ତି ଛାତ୍ରୀ, ଦିନରେ ବି ରାସ୍ତାରେ ଯିବାକୁ ଡରୁଛନ୍ତି ମହିଳା, ଯୁବତୀ

26

କନକ ବ୍ୟୁରୋ : କୋରାପୁଟ କୁନ୍ଦୁଲିଠାରେ ହୋଇଥିବା ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାର ୪ଦିନ ପରେ ବି ଦୁଷ୍କର୍ମକାରୀଙ୍କୁ ଠାବ କରିପାରିନି ପୋଲିସ୍ । ତଦନ୍ତର ଦାୟିତ୍ୱ ନେଇଛି କ୍ରାଇମବ୍ରାଞ୍ଚ । ଦୁଷ୍କର୍ମକାରୀ କିଏ ତାକୁ ନେଇ ଖୋଳତାଡ କରୁଛି ଟିମ୍ । ଅଧିକାରୀମାନେ ଘଟଣାସ୍ଥଳ ବୋଲି କୁହାଯାଉଥିବା ମେଞ୍ଜିଗୁଡା ଜଙ୍ଗଲକୁ ଯାଇ କିଛି ନମୁନା ମଧ୍ୟ ସଂଗ୍ରହ କରିଛନ୍ତି । ଯବାନ ପୋଷାକରେ ଥିବା ବଳ।କ୍ରାରୀ ଦୁର୍ବୃତଙ୍କୁ ଖୋଜିବାରେ ଲାଗି ପଡିଛି ପୁଲିସ ।

କ୍ୟାମ୍ପରୁ କ୍ୟାମ୍ପ ବୁଲି ସୁରକ୍ଷାକର୍ମୀଙ୍କୁ ତଦନ୍ତକାରୀ ଦଳ ପଚରାଉଚରା କରୁଥିବା କହିଛନ୍ତି ପୁଲିସ ମହାନିର୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା । ପୁଲିସ ମଧ୍ୟ ତଦନ୍ତ ଜାରି ରଖିଥିବା କହିଛନ୍ତି କୋରାପୁଟ ଏସପି ଡାକ୍ତର କନୱର ସିଂହ । କୌଣସି ବି ପରିସ୍ଥିତିରେ ଅଭିଯୁକ୍ତଙ୍କୁ ଛଡାଯିବନି ।ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହଛନ୍ତି ।

ତେବେ ଏହି ଘଟଣା ପରେ ସେ ରାସ୍ତା ଦେଇ ଯିବାକୁ ଲୋକେ ଡରୁଛନ୍ତି । କୁନ୍ଦୁଲି ନିକଟସ୍ଥ ମାରଲା, ମେଞ୍ଜିଗୁଡା,ମୂଷାଗୁଡା ଓ ସୋରିଷପଦର, ବିଲେଇଗୁଡା ଗାଁରେ ଏବେ କୋକୁଆ ଭୟ ହୋଇଛି । ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବାକୁ ମହିଳା, ଯୁବତୀମାନେ ଡରୁଛନ୍ତି । ଏପଟେ ସ୍କୁଲ ଯିବାକୁ ବି ଛାତ୍ରୀମାନେ ଡରିଲେଣି । ତେଣୁ ସ୍କୁଲରେ ଉପସ୍ଥାନ କମିବାରେ ଲାଗିଛି । ସଞ୍ଜ ହେଉ ହେଉ ଗାଁରେ ତାଟି କବାଟ ପଡିଯାଉଛି । ମହିଳା ମାନେ ବାହାରକୁ ବାହାରିବା ପୂର୍ବରୁ ହଜାରେ ଥର ଭାବୁଛନ୍ତି ।