ଉଦ୍ଧାର ହେଲେ ଦିଲ୍ଲୀରେ ବିକ୍ରି ହୋଇଥିବା ଯୁବତୀ : ସୁନ୍ଦରଗଡ଼ ସବଡେଗା ଅଂଚଳର ଯୁବତୀଙ୍କୁ ଉଦ୍ଧାର କଲା ପୁଲିସ

67

କନକ ବ୍ୟୁରୋ: ୪୦ ହଜାର ଟଙ୍କାରେ ବିକ୍ରି ହୋଇଥିବା ଆଦିବାସୀ ଯୁବତୀ ଉଦ୍ଧାର । ଦିଲ୍ଲୀ ସଙ୍ଗମ ବିହାରରେ ନିର୍ଯ୍ୟାତିତ ହେଉଥିବା ଯୁବତୀଙ୍କୁ ଉଦ୍ଧାର କରିଛି ସୁନ୍ଦରଗଡ଼ ପୁଲିସ । ୪ବର୍ଷ ହେଲା କାମ କରିବାକୁ ଯାଇ ଦିଲ୍ଲୀର ସଙ୍ଗମ ବିହାରରେ ନିର୍ଯ୍ୟାତିତ ହେଉଥିଲେ ଆଦିବାସୀ ଯୁବତୀ । ସୁନ୍ଦରଗଡ଼ ପୁଲିସ ସମ୍ପୃକ୍ତ ଯୁବତୀଙ୍କ ସମେତ ଆଉ ୪ଜଣ ଯୁବତୀ ଓ ୩ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ବିଭିନ୍ନ ଅଂଚଳରେ ଚଢାଉ କରି ପୁଲିସ ତାଙ୍କୁ ଉଦ୍ଧାର କରିଛି ।

ବିଳାସପୁରରେ କାମ କରାଇଦେବାକୁ କହି ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ଅଂଚଳର ଏହି ଆଦିବାସୀ ଯୁବତୀଙ୍କୁ ନେଇଯାଇଥିଲା ଜଣେ ଦଲାଲ । ହେଲେ ବିଳାସପୁର ନେବା ପରିବର୍ତ୍ତେ ଦିଲ୍ଲୀରେ ଏକ ଠିକା ସଂସ୍ଥାକୁ ୪୦ ହଜାର ଟଙ୍କାରେ ବିକ୍ରି କରିଦେଇଥିଲା । ସଂପୃକ୍ତ ଠିକାସଂସ୍ଥା ପୁଣି ଯୁବତୀଙ୍କୁ ଆଉଜଣଙ୍କ ଘରେ କାମ କରିବାକୁ ବିକ୍ରି କରିଦେଇଥିଲା ।

ଯେଉଁଠି ଅକଥନୀୟ ନିର୍ଯ୍ୟାତନାର ଶିକାର ହୋଇଥିଲେ ଯୁବତୀ ଜଣକ । ଯୁବତୀଙ୍କୁ ନିଜ ଘର ସହ କୌଣସି ଯୋଗାଯୋଗ କରିବାକୁ ଦିଆଯାଉନଥିବା ସହ ସେଠାରେ ତାଙ୍କୁ ବିଭିନ୍ନ ନିର୍ଯ୍ୟାତନା ଦିଆଯୋଉଥିବା ନେଇ ସେ କୌଣସିମତେ ଏକ ଭିଡିଓ ପଠାଇଥିଲେ । ଏହାପରେ ତତ୍ପର ହୋଇଉଠିଥିଲା ପୁଲିସ । ବିଭିନ୍ନ ସ୍ଥାନରେ ଚଢାଉ କରି ଯୁବତୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା ପୁଲିସ ।