ସତ ପରୀକ୍ଷା ମିଛ ପରୀକ୍ଷାର୍ଥୀ । ପୁରୁଷ ବନ୍ଧୁଙ୍କ ପାଇଁ ପରୀକ୍ଷା ଦେଇ ଫସିଲେ ଯୁବତୀ । ଦସ୍ତଖତ ବେଳେ ଧରାପଡିଲା ଜାଲିଆତି, ଉଭୟଙ୍କୁ ବାନ୍ଧିଲା ପୋଲିସ ।

852

କନକ ବ୍ୟୁରୋ : ଚଳିତବର୍ଷ ମାଟ୍ରିକ୍ ବୋର୍ଡ଼ ପରୀକ୍ଷାକୁ ଶୃଙ୍ଖଳିତ ଓ କପି ମୁକ୍ତ କରିବା ପାଇଁ ସରକାରଙ୍କ ପକ୍ଷରୁ ଚାରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ହେଲେ ଏହି ବ୍ୟବସ୍ଥାକୁ ଖୁଲମଖୁଲା ଉଲ୍ଲଘଂନ କରି ଧରାପଡ଼ିଛନ୍ତି ପ୍ରେମିକ ଏବଂ ପ୍ରେମିକା । ଜଣେ ପୁଅ ଛାତ୍ରଙ୍କ ନାଁରେ ଆଡ଼ମିଟ୍ କାର୍ଡ଼ ଆସିଥିବା ବେଳେ ପରୀକ୍ଷା ଦେଉଥିଲେ ଜଣେ ଯୁବତୀ । ଆଉ ଏସବୁ ଜଣାପଡ଼ିବା ପରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ସତ ପରୀକ୍ଷା ମିଛ ପରୀକ୍ଷାର୍ଥୀ । ପୁରୁଷ ବନ୍ଧୁଙ୍କ ପାଇଁ ପରୀକ୍ଷା ଦେଇ ଫସିଲେ ଯୁବତୀ । ଏଭଳି ଖବର ଆସିଛି ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ କମିଶନର କଲୋନୀ ଉଚ୍ଚ ବିଦ୍ୟାଳୟରୁ । ପୁରଷ ବନ୍ଧୁଙ୍କ ପାଇଁ ମାଟ୍ରିକ ପରୀକ୍ଷା ଦେଇ ଗିରଫ ହୋଇଛନ୍ତି ଯୁବତୀ ।

କମିଶନର କଲୋନୀ ଉଚ୍ଚ ବିଦ୍ୟାଳୟରେ ରାଜ୍ୟମୁକ୍ତ ଦଶମ ପରୀକ୍ଷା ଚାଲିଥିବା ବେଳେ କମଳିନୀ ସେଠ୍ ନାମକ ଯୁବତୀ ତାଙ୍କ ପୁରୁଷ ବନ୍ଧୁ ଲକ୍ଷ୍ମଣ ମେହେର ପାଇଁ ପରୀକ୍ଷା ଦେଉଥିଲେ । ପରୀକ୍ଷା ନିୟନ୍ତ୍ରକ ରେଜିଷ୍ଟରରେ ଛାତ୍ରଛାତ୍ରୀଙ୍କ ଦସ୍ତଖତ ନେବା ବେଳେ ଛାତ୍ରୀ ଜଣଙ୍କ ଲକ୍ଷ୍ମଣ ମେହେର ନାମରେ ଦସ୍ତଖତ କରିଥିଲେ । ଏହାପରେ ଖୋଳତାଡ ହେବାରୁ ପୁରା ଘଟଣାର ସତ ସାମ୍ନାକୁ ଆସିଛି । ଧନୁପାଲି ପରୀକ୍ଷା ଦେଉଥିବା ଯୁବତୀ କମଳିନୀ ସେଠ୍ ଓ ତାଙ୍କ ପୁରୁଷ ବନ୍ଧୁ ଲକ୍ଷ୍ମଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ପୁରୁଷ ବନ୍ଧୁଙ୍କ ପାଇଁ ମାଟ୍ରିକ୍ ପରୀକ୍ଷା ଦେବା ଯୁବତୀଙ୍କୁ ମହଙ୍ଗା ପଡ଼ିଲା । ଜାଲ ଦସ୍ତଖତ ବେଳେ ଧରାପଡ଼ିଲେ । ଆଉ ମାଟ୍ରିକ ପରୀକ୍ଷାରେ ଜାଲିଆତି ଧରାପଡିବା ପରେ ଯୁବତୀଙ୍କୁ ଜେଲ ଯିବାକୁ ପଡିଛି ।