ଗରିବୀର ଛାତି ଚିରି ଭାସି ଆସେ ସୁମଧୁର ସ୍ୱର । ଅଭାବୀ ବାପାର ଝିଅ ମୁହଁରେ ସ୍ୱଭାବ କବୀଙ୍କ ରଚିତ ଗୀତ । ବିନା ପ୍ରଶିକ୍ଷଣରେ ମୋବାଇଲରୁ ଗୀତ ଶିଖି ଅତି ସୁନ୍ଦର ଗୀତ ଗାଉଛନ୍ତି ବରଗଡ଼ର ରଂଜିତା

364

କନକ ବ୍ୟୁରୋ: ପ୍ରତିଭା । ସେ କେବେ ଲୁଚି ରହେନା, ପ୍ରତିବନ୍ଧକ ହୁଏତ ତାର ଗତିରୋଧ କରିପାରେ । କିନ୍ତୁ ସାତ ତାଳ ପଙ୍କ ତଳୁ ଯେମିତି ପଦ୍ମ ଫୁଟେ ଠିକ୍ ସେମିତି ପ୍ରତିଭା ପ୍ରସ୍ଫୁଟିତ ହୁଏ । ଏଭଳି କିଛି ଦେଖିବାକୁ ମିଳେ ବରଗଡ଼ ଭେଡ଼େନ ବ୍ଲକର ଜଣେ ଝିଅଙ୍କ କ୍ଷେତ୍ରରେ । ଯାହାଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା କ୍ଷେତ୍ରରେ ଗୁରୁ ପାଲଟିଛି ମୋବାଇଲ । ବିନା ପ୍ରଶିକ୍ଷଣରେ ମୋବାଇଲରୁ ଗୀତ ଶିଖି ଅତି ସୁନ୍ଦର ଗୀତ ଗାଉଛନ୍ତି । ଆଉ ସେଇ ଗୀତ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କର ଲକ୍ଷାଧିକ ଶ୍ରୋତା ତିଆରି ହୋଇଛନ୍ତି ।

ଗରିବୀର ଛାତି ଚିରି ଭାସି ଆସେ ସୁମଧୁର ସ୍ୱର । ଅଭାବୀ ବାପାର ଝିଅ ମୁହଁରେ ସ୍ୱଭାବ କବୀ ଗଙ୍ଗଧର ମେହେରଙ୍କ ରଚିତ ‘ବିଶ୍ୱ ଦେଖ ମଧୁମୟରେ ଜୀବନ’ ଗୀତ । ଏ ଗୀତ ଶୁଣିବାକୁ ଯେତିକି ମଧୁର ଏହାକୁ ଗାଉଥିବା କୁନି ଝିଅର ଅଭାବ ଅନଟନ ସେତିକି ଗମ୍ଭୀର । ସୋସିଆଲ ମିଡିଆରେ ଏ ଗୀତ ଶୁଣିବା ପରେ ଆପଣଙ୍କ ମନକୁ ନିଶ୍ଚୟ ଆସିଥିବ ଯେ, ଏ ଝିଅ କେଉଁ ଗୁରୁଙ୍କ ପାଖରୁ ଗୀତ ଶିଖୁଥିବେ । ହେଲେ ନା,ଁ ଆପଣ ଭାବନା ସଂପୂର୍ଣ୍ଣ ଭୂଲ । ମୋବାଇଲକୁ ଗୁରୁ କରି ଗୀତ ଶିଖୁଛନ୍ତି ଼ ଭେଡ଼େନ ବ୍ଲକ ସୁକଦେବ ହଂସଙ୍କ ଝିଅ ରଂଜିତା । ଗରିବ ପରିବାରରେ ଜନ୍ମ ନେଇଥିବା ଝିଅକୁ ଗୀତ ଶିଖାଇ ପାରୁନାହାନ୍ତି ବାପା । ହେଲେ ରଂଜିତା ମୋବାଇଲରୁ ଶିଖି ଗାଉଥିବା ଗୀତ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଏବଂ ତାଙ୍କ ଗୀତକୁ ଲକ୍ଷାଧିକ ଶ୍ରୋତା ଶୁଣି ସାରିଛନ୍ତି ।

ଏଇ ଝାଟି ମାଟିର ଘରେ ବାପା-ମାଆ ଓ ସାନ ଭାଇ ଭଉଣୀଙ୍କ ସହ ରହୁନ୍ତି ରଂଜିତା । ବାପା ଯାହା ରୋଜଗାର କରନ୍ତି ସେଥିରେ ୧୬ ବର୍ଷର ରଂଜିତା ଓ ସାନ ଭାଇ-ଭଉଣୀଙ୍କ ପାଠପଢା ଖର୍ଚ ହୁଏ । ଅଭାବୀ ପରିବାରରେ ଜନ୍ମ ହୋଇଥିବାରୁ ଗୀତ ଶିଖିବାକୁ ଇଛା ଥାଇ ବି ଶିଖି ପାରନ୍ତି ନାହିଁ ରଂଜିତା । ହେଲେ ପ୍ରତିଭା କେବେ ଲୁଚି ରହେନା, ସେ ଯେକୌଣସି ପ୍ରକାରେ ପଦାକୁ ଆସେ । ଯେମିିତି ସୋସିଆଲ ମିଡିଆ ଜରିଆରେ ଲୋକ ଲୋଚନକୁ ଆସିଛି ରଂଜିତାଙ୍କ ପ୍ରତିଭା ।