ସଟଡାଉନରେ ସଂକଟରେ ପଡିଗଲେ ସୁନ୍ଦରଗଡର ଯୁବତୀ: ମୁମ୍ୱାଇରୁ ଆସି ଭୁବନେଶ୍ୱରରେ ଫସିଲେ; ଖବର ପ୍ରସାରଣ ପରେ ସହାୟତାର ହାତ ବଢାଇଲେ ଅଭିନେତା ସବ୍ୟସାଚୀ

ସହାୟତା ପାଇବା ପରେ କନକନ୍ୟୁଜକୁ ଧନ୍ୟବାଦ ଦେଲେ ଯୁବତୀ

948

କନକ ବ୍ୟୁରୋ: ସଟଡାଉନର ପ୍ରଥମ ଦିନରେ କିଭଳି ସଂକଟ ବଢିଛି ତାର ଏକ ଚିତ୍ର କନକ ନ୍ୟୁଜ କ୍ୟାମେରାରେ କଏଦ ହୋଇଥିଲା । ରାଜଧାନୀ ରାସ୍ତାରେ ବସି ରହିଥିବା ଜଣେ ଯୁବତୀ ସୁନ୍ଦରଗଡ ଯିବାକୁ ଚାହୁଁଥିଲେ । ମୁମ୍ବାଇରୁ ଟ୍ରେନ ଯୋଗେ ଆସି ଭୋର ପ୍ରାୟ ସାଢେ ୪ଟାରେ ଭୁବନେଶ୍ୱର ଷ୍ଟେସନରେ ପହଂଚିବା ପରେ ଘରକୁ ଯିବା ପାଇଁ ଆଉ ଗୋଡିମୋଟର ପାଇନଥିଲେ । କାରଣ ଦୁଇ ଦିନିଆ ସଟଡାଉନ ଘୋଷଣା ନେଇ ତାଙ୍କ ପାଖରେ ଖବର ନଥିଲା । ଚାଲିଚାଲି ବରମୁଣ୍ଡା ବସଷ୍ଟାଣ୍ଡ ଯିବା ବାଟରେ ଅଟକାଇ ଦେଇଥିଲା ପୋଲିସ ।

ସେପଟେ, ରସୁଲଗଡ ବସଷ୍ଟାଣ୍ଡରେ ପୋଲିସ ଯୁବତୀଙ୍କୁ ବସାଇଥିବାବେଳେ କନକ ନ୍ୟୁଜର ପ୍ରତିନିଧିଙ୍କ ନଜର ତାଙ୍କ ଉପରେ ପଡିଥିଲା । ଆଉ ପାଖକୁ ଯାଇ ପଚାରିବାରୁ ଜଣାପଡିଲା ଟ୍ରେନରେ ଆସିଲା ବେଳେ ତାଙ୍କ ମୋବାଇଲ ଫୋନ୍ ଓ ପର୍ସ କେହି ଚୋରି କରିନେଇଛି । ପରିବାର ସହ ଯୋଗାଯୋଗ କରିପାରି ନାହାନ୍ତି । ବାପା ତାଙ୍କର ନଥିବାବେଳେ ଘରେ କେବଳ ମାଆ ଅଛନ୍ତି । ତେଣୁ ଏହି ବିପଦ ସମୟରେ ତାଙ୍କୁ କିଏ ସହାୟତା କରିବ । ନିରୁପାୟ ହୋଇ କେବଳ ରାଜଧାନୀ ରାସ୍ତାରେ ବସି ରହିଥିଲେ ।

ବଡ କଥା ହେଉଛି, କନକ ନ୍ୟୁଜରେ ଏହି ଖବର ପ୍ରସାରଣ ପରେ ସହାୟତା କରିବା ପାଇଁ ରସୁଲଗଡରେ ପହଂଚିଥିଲେ ଅଭିନେତା ସବ୍ୟସାଚୀ । କରୋନା କାଳରେ ଫସିରହିଥିବା ପ୍ରବାସୀଙ୍କୁ ବାରମ୍ବାର ସହାୟତା କରିଆସିଛନ୍ତି ସବ୍ୟସାଚୀ । ଆଉ ଯେତେବେଳେ ଘରକୁ ଫେରିବାକୁ  ନିରୁପାୟ ହୋଇ ବସିରହିଥିବା ଏହି ଯୁବତୀଙ୍କ ବାବଦରେ ଜାଣିଥିଲେ ତୁରନ୍ତ ତାଙ୍କ ସହାୟତା ପାଇଁ ଧାଇଁ ଆସିଥିଲେ । ତାଙ୍କୁ ଖାଇବା, ପିଇବାକୁ ଦେବା ସହିତ ସୁନ୍ଦରଗଡ ଫେରିଯିବା ପାଇଁ ବନ୍ଦୋବସ୍ତ କରିଥିଲେ । କୋଭିଡ କଂଟ୍ରୋଲ ରୁମରେ ବରିଷ୍ଠ ଆଇଏଏସ ଅମିତାଭ ଠାକୁରଙ୍କ ସହ କଥାହୋଇ ସୁନ୍ଦରଗଡ ଯିବାକୁ ଥିବା ବସରେ ଯୁବତୀଙ୍କୁ ପଠାଇ ଦେବାପାଇଁ ବରମୁଣ୍ଡା ନେଇଥିଲେ ।