ଅଭାବୀ ଘରର ଆଦିବାସୀ ଝିଅ ମାଟ୍ରିକ ପରୀକ୍ଷାରେ ରଖିଛନ୍ତି ୫୧୯ ମାର୍କ । ଇଚ୍ଛା ଅଛି ଆଗକୁ ପଢିବେ, ଡାକ୍ତର ହେବେ । ହେଲେ ଅର୍ଥ ସାଜିଛି ବଡ ବାଧକ ।

755

କନକ ବ୍ୟୁରୋ: ଜୀବନରେ ଅଭାବ ତ ଅନେକ ଥାଏ । ହେଲେ ଅଭାବ ଭିତରେ ବି ଖୁବ୍ କମ୍ ଲୋକ ସ୍ୱପ୍ନ ଦେଖିବା ଜାରି ରଖନ୍ତି । ଖୁବ୍ କମ ଅଭାବ ଭିତରେ ବି ଆଶା ଛାଡିନଥାନ୍ତି । ଆଉ ସେଇ ଆଶାକୁ ନେଇ ସେମାନେ ଆଗକୁ ବଢନ୍ତି । ଏଇ ଯେମିିତି ଏ ଆଦିବାସୀ ଝିଅ ପ୍ରିୟଙ୍କା ମାଝୀ ।

ସହରୀ ପିଲାଙ୍କ ଭଳି ତା ପାଖରେ ସାଧନ ନାହିଁ । ପାଠ ଦି’ ଅକ୍ଷର ପଢିବାକୁ ତା ପାଖରେ ପଇସା ନାହିଁ । ହେଲେ ଏସବୁ ପରେ ବି ଆଦିବାସୀ ଦୁର୍ଗମ ଅଞ୍ଚଳର ଏ ଝିଅ, ଏ ସନ ମାଟ୍ରିକ ପରୀକ୍ଷାରେ ରଖିଛି ୫୧୯ ମାର୍କ । ଇଚ୍ଛା ଅଛି ଆଗକୁ ବି ପାଠ ପଢିବ, ଡାକ୍ତର ହେବ । ହେଲେ ପରିବାରର ଏ ଗରିବୀପଣ ଭିତରେ ତାର ସେ ସ୍ୱପ୍ନ ସତେ ଯେମିତି ଏ ଦୁର୍ବଳ କାନ୍ଥ ଭଳି ଭୁଶୁଡିଯାଉଛି ।

ଗଜପତି ଜିଲ୍ଲା ଦୁର୍ଗମ ଅଞ୍ଚଳର ଖରିଗୁଡା ଗାଁରେ ରହନ୍ତି ପ୍ରିୟଙ୍କା ମାଝୀ । ନିହାତି ଗରିବ ପରିବାର । ଆଉ ଘରେ ୫ ପ୍ରାଣୀ କୁଟୁମ୍ବ । ପ୍ରିୟଙ୍କାଙ୍କ ବାପା ସାମନ୍ତ ମାଝୀ କୁଲି କାମ କରି ଯାହା ଯେତିକି ଆଣନ୍ତି ସେଇଥିରେ ଏ ଘର ଚଳେ । ଅଭାବ ତ ଅନେକ ଅଛି । ହେଲେ ସେ ଅଭାବ ଭିତରେ ବି ପ୍ରିୟଙ୍କା କିନ୍ତୁ ପାଠ ପଢା ଛାଡିପାରିନି । ଯାହା ଯେତିକି ହେଉ ପଛେ । ଯେମିତି ହେଲେ ବି ସେ ଏଥର ମାଟ୍ରିକ ପରୀକ୍ଷା ଦେଇଥିଲା । ଆଉ ଏବେ ୫୧୯ ମାର୍କ ପାଇବା ପରେ ବି ଆଗକୁ ପାଠ ପଢିବାକୁ ତା ଆଗରେ ଅର୍ଥ ସାଜିଛି ବଡ ବାଧକ ।

ପିଲାଟି ଦିନୁ ପ୍ରିୟଙ୍କା ଗାଁର ଖରିଗୁଡା ହାଇ ସ୍କୁଲର ଜଣେ ମେଧାବୀ ଛାତ୍ରୀ । ପାଠ ହେଉ କି ସାଠ, ସବୁଥିରେ ସେ ଆଗରେ ରହିଥାଏ । ଏଥର ଦଶମ ପରୀକ୍ଷାରେ ସେ ୮୬ ପରସେଣ୍ଟରୁ ଅଧିକ ନମ୍ବର ରଖି ସେ ସ୍କୁଲ ଟପ୍ପର ବି ହେଇଛି । ହେଲେ ଜଣେ ଟପ୍ପର ହେଇ ବି ଆଜି ବାସ୍ କେଇମାତ୍ର ଟଙ୍କା ତା ବହି ବସ୍ତାନିକୁ ବନ୍ଦ କରିଦେବାକୁ ବସିଛି । ପ୍ରିୟଙ୍କର ବାପା-ମାଆ ଉଭୟଙ୍କ ଇଚ୍ଛା ଥିଲେ ବି ପରିସ୍ଥିତି ତାଙ୍କୁ ବାଧ୍ୟ କରୁଛି । ତେଣୁ ଏବେ ସରକାରୀ ସାହାଯ୍ୟ ଲୋଡିଛନ୍ତି ପ୍ରିୟଙ୍କାଙ୍କ ବାପା ଆଉଁ ଗାଁ ଲୋକ ।

ଦର୍ଶକ ବନ୍ଧୁ । ଛୋଟ ଆଧିବାସୀ ଅଧୁଷିତ ଗାଁରୁ ଭଲ ନମ୍ବର ରଖି ପୁଣି ଡାକ୍ତର ହେବାକୁ ଇଚ୍ଛା କରୁଥିବା ପ୍ରିୟଙ୍କାଙ୍କ ସ୍ୱପ୍ନ କିଛି କମ୍ କଥା ନୁହେଁ । ତେଣୁ ପ୍ରିୟଙ୍କାଙ୍କୁ ସରକାର ସହରରେ ଭଲ ଶିକ୍ଷା ଦେଇ ସୁବିଧା ସୁଯୋଗ ଦେଇପାରିଲେ । ସେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରନ୍ତା ।