କ୍ୟାନସର ରୋଗୀଙ୍କ ପାଇଁ କେଶଦାନ କରି ଚର୍ଚ୍ଚାରେ କଲେଜ ଛାତ୍ରୀ: ରୋଗୀଙ୍କ ପାଇଁ ଚୁଟି ଦେଇ ପ୍ରଶଂସା ସାଉଁଟିଲେ ବାରିପଦାର ଶ୍ରୃତି ମାଇତି

ପୂର୍ବରୁ ଦାନ କରିସାରିଛନ୍ତି ଆଖି

172

କନକ ବ୍ୟୁରୋ: କେଶ ହେଉଛି ନାରୀର ଗହଣା ଓ ସୌନ୍ଦର୍ଯ୍ୟର ପ୍ରତୀକ । ଅନେକ ଝିଅ ଓ ବୋହୂ ନିଜକୁ କେଶକୁ ସୁସ୍ଥ ଓ ସୁନ୍ଦର ରଖିବା ଲାଗି ଖୁବ ଯତ୍ନ ନେଇଥାନ୍ତି । ଏଭଳି ପରିସ୍ଥିତିରେ ବାରପିଦା ସହରର ଜଣେ କଲେଜଛାତ୍ରୀ ଶୃତି ମାଇତି କର୍କଟ ରୋଗୀଙ୍କ ପାଇଁ ନିଜ କେଶ ଦାନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ବାରିପଦାର ଏମପିସି ସ୍ୱଂୟଶାସିତ କଲେଜର ଛାତ୍ରୀ ଶ୍ରୃତି ମାଇତି ଆର୍ଥିକ ଭାବେ ସହଯୋଗ କରି ନପାରିବାର ଅସହାୟତାକୁ ନେଇ ନିଜର ସୁନ୍ଦରକୁ ତ୍ୟାଗ କରିଛନ୍ତି । ଏଥିପାଇଁ ଶୃତି ଲଣ୍ଡା ହୋଇ ନିଜର ସୁନ୍ଦର ଲମ୍ବା ଦେଶକୁ ଏକ ସଂସ୍ଥା ମାଧ୍ୟମରେ କର୍କଟ ରୋଗରେ ପୀଡିତ ଓ ଯୁବତୀଙ୍କୁ ପଠାଇଛନ୍ତି । ଶ୍ରୃତି ପୂର୍ବରୁ ନିଜର ଚକ୍ଷୁଦାନ କରିସାରିଥିବାବେଳେ ନିଜର ଅଙ୍ଗଦାନ କରିସାରିଛନ୍ତି ।

ଏ ହେଉଛନ୍ତି ସେଇ ଚର୍ଚ୍ଚିତ ଯୁବତୀ । ନାଁ ଶୃତି ମାଇତି । ଘର ବାରିପଦା ସହରର ତୁଳସୀଚୌରା ଅଂଚଳରେ । ଶୃତି ଏବେ ବାରିପଦା ସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର +୩ କଳାର ତୃତୀୟ ବର୍ଷର ଛାତ୍ରୀ । ଏନଏସଏସର ଭଲେଣ୍ଟିଅର ଭାବରେ ବିଭିନ୍ନ କାର୍ଯ୍ୟରେ ଯୋଗ ଦେଇ ବେଶ୍ ନାଁ କମେଇଛନ୍ତି ସେ । ପିଲାଟି ଦିନରୁ ଆଖପାଖରେ କର୍କଟ ରୋଗରେ ପିଡ଼ିତା ମହିଳାମାନଙ୍କ ଲଣ୍ଡାମୁଣ୍ଡକୁ ଦେଖି ଅନେକ ଚିନ୍ତିତ ରହୁଥିଲେ ଶୃତି । ସେତେବେଳେ ସେ ଭାବୁଥିଲେ ସମସ୍ତଙ୍କ ମୁଣ୍ଡରେ ଚୁଟି ରହିଥିବା ବେଳେ ଏମାନଙ୍କ ମୁଣ୍ଡ ଲଣ୍ଡା କାହିଁକି । ହେଲେ ଏହାର କାରଣ ଶୃତିକୁ ବଡ ହେଲା ପରେ ଜଣାଯାଇଥିଲା । ତେଣୁ ଏଭଳି ଲୋକ ମାନଙ୍କ ମନବଳକୁ ଦୃଢ଼ କରିବା ସହ ସେମାନଙ୍କର କଷ୍ଟକୁ ଲାଘବ କରିବା ପାଇଁ ସବୁବେଳେ ଚେଷ୍ଟିତ ଅଛନ୍ତି । ବିଶେଷ କରି ମହିଳା ବା ଯୁବତୀ ମାନେ କର୍କଟ ରୋଗରେ ପିଡ଼ିତ ହୋଇ କେମୋ ନେଲା ପରେ ସେମାନଙ୍କ ମୁଣ୍ଡରୁ ସବୁ ଚୁଟି ଉଠିଯାଇଥାଏ । ତେଣୁ ଲଣ୍ଡାମୁଣ୍ଡ ନେଇ ବାହାରକୁ ବାହାରିବାପାଇଁ ସେମାନେ କୁଣ୍ଠାବୋଦ୍ଧ କରିଥାନ୍ତି । କେବଳ ସେଇଥିପାଇଁ ଶୃତି ଲଣ୍ଡା ହୋଇ ନିଜର ସୁନ୍ଦର ଲମ୍ବା କେଶକୁ “ଓଡିଶା ହେୟାର ଡୋନେସନ୍” ସଂସ୍ଥା ମାଧ୍ୟମରେ କର୍କଟ ରୋଗରେ ନିଜର କେଶ ହରାଇଥିବା ମହିଳା ବା ଯୁବତୀ ମାନଙ୍କୁ ପଠାଇଛନ୍ତି । ଏବଂ ଏହା କରି ସେ ବେଶ୍ ଆନନ୍ଦିତ ବୋଲି କହିଛନ୍ତି ।

ତେବେ ଶୃତିଙ୍କର ଏଭଳି ନିଆରା ପଦେକ୍ଷପ ପାଇଁ ନିଜକୁ ଖୁବ୍ ଗର୍ବିତ ମନେକରୁଛନ୍ତି ପରିବାର ଲୋକେ । ସାହୀ ପଡିଶାଙ୍କ ଟାହିଟାପୋରାକୁ ଖାତିର ନକରି ନାତୁଣିର ଖୁସିକୁ ସ୍ୱାଗତ ଜଣାଇଛନ୍ତି ଉଭୟ ଅଜା ଏବଂ ଆଈ । ସେପଟେ, ଭବିଷ୍ୟତରେ ଜଣେ ଭଲ ସମାଜ ସେବୀ ହେବା ସହ ଜଣେ ପୋଲିସ ଅଫିସର ହେବାର ଲକ୍ଷ୍ୟ ରଖିଥିବା ଶୃତି ବର୍ତମାନ ସୁଦ୍ଧା ନିଜର ଚକ୍ଷୁ ଦାନ ଓ କେଶ ଦାନ କରିସାରିଥିବାବେଳେ ଆଗକୁ ନିଜର ଅଙ୍ଗଦାନ କରିବାର ଲକ୍ଷ୍ୟ ରଖିଛନ୍ତି ।