କନକ ବ୍ୟୁରୋ: ସୀମା ହୈଦର ଏବଂ ସଚିନଙ୍କ ପ୍ରେମ କାହାଣୀ ତ ଆପଣ ସମସ୍ତେ ଜାଣିଥିବେ । ନିଜ ପ୍ରେମ ପାଇଁ ସୀମା ପାକିସ୍ତାନର ସୀମା ଡେଇଁ ଭାରତ ଚାଲିଆସିଛନ୍ତି ଏବଂ ଏଠାରେ ନିଜର ଜୀବନ ଅତିବାହିତ କରୁଛନ୍ତି । ଏବେ ସେହିଭଳି ଆଉ ଏକ ଖବର ଆସିଛି ପଶ୍ଚିମବଙ୍ଗ ରାଜ୍ୟରୁ । ବାଂଲାଦେଶର ଜଣେ ଯୁବତୀ ପ୍ରେମରେ ପଡି ସୀମା ପାର୍ ହେବା ସହିତ ଭାରତ ଚାଲିଆସିଛନ୍ତି । ତେବେ ସୀମା-ସଚିନଙ୍କ ପ୍ରେମ କାହାଣୀ ଭଳି ବାଂଲାଦେଶରୁ ଆସିଥିବା ଯୁବତୀ ଜଣକ କିନ୍ତୁ ଠକାମୀର ଶିକାର ହେଇଛନ୍ତି । ଆଉ ନିଜ ପ୍ରେମିକର ଠକାମୀ ବିଷୟରେ ଜାଣିବା ପରେ ସେ ପ୍ରେମରେ ଧୋକା ପାଇଥିବା କଥା ସାମ୍ନାକୁ ଆସିଛି ।

Advertisment

ଅସଲ କଥା ହେଉଛି, ଅଢେଇ ମାସ ତଳେ ସପଲା ଅଖତର ନାମକ ଯୁବତୀ ଜଣକ ବେଆଇନ୍ ଭାବେ ବାଂଲାଦେଶରୁ ଆସି ଭାରତରେ ପହଞ୍ଚିଥିଲେ । ଏହାପରେ ସେ ନିଜ ପ୍ରେମିକ ସହିତ ସିଲିଗୁଡି ଯାଇ ସେଠାରେ ହସଖୁସିରେ ଜୀବନ ବିତାଉଥିଲେ । ହେଲେ ହଠାତ୍ ଦିନେ ସେ ଜାଣିପାରିଲେ ଯେ, ତାଙ୍କ ପ୍ରେମିକ ତାଙ୍କୁ ନେପାଳରେ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛି । ଏହା ଜାଣିବା ପରେ, ସେ ନିଜର ପ୍ରେମିକକୁ ଛାଡି ଫେରାର୍ ହେଇଯାଇଥିଲେ । ତେବେ ସିଲିଗୁଡି ରେଲୱେ ଜଙ୍କସନରେ ଟ୍ରେନ୍ ଧରିବାକୁ ଥଇବାବେଳେ, ଜଣେ ସ୍ୱେଚ୍ଛାସେବୀ ତାଙ୍କୁ ଦେଖିଥିଲେ ଏବଂ ଏହାପରେ ଏହି ଘଟଣା ପୋଲିସ ପାଖକୁ ଯାଇଥିଲା ।

ପୋଲିସ ପାଖରେ ଏହି ଘଟଣା ପହଞ୍ଚିବା ପରେ, ପୋଲିସ ଯୁବତୀ ଜଣକଙ୍କୁ ଗିରଫ କରିଛି । ଗୁରୁବାର ତାକୁ ସିଲିଗୁଡି କୋର୍ଟରେ ହାଜର ମଧ୍ୟ କରାଯାଇଛି । ତେବେ ଉକ୍ତ ଯୁବତୀଙ୍କ ଦଲାଲ ପ୍ରେମିକକୁ ଏବେ ଖୋଜିବା ଆରମ୍ଭ କରିଛି ପୋଲିସ ।